Latest Odisha News

BREAKING NEWS

ଭୂମିହୀନ ଗରିବଙ୍କୁ ୪ ଡ଼ିସିମିଲ ଓ ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ମିଳିବ ୧୦ ଡ଼ିସିମିଲ ଜାଗା

ଭୁବନେଶ୍ଵର: ଆଜି ବିଧାନସଭାରେ ଏକ ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭୂମିହୀନ ଗରିବଙ୍କୁ ୪ ଡ଼ିସିମିଲ ଜାଗା ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵମନ୍ତ୍ରୀ । ଏଥିସହ ହୀରାକୁଦ ବିସ୍ଥାପିତଙ୍କ ପରିବାରର ତୃତୀୟ ପିଢିଙ୍କୁ ୧୦ ଡ଼ିସିମିଲ ଜମି ରାଜ୍ୟ ସରକାର ଯୋଗାଇଦେବେ ବୋଲି କହିଛନ୍ତି ରାଜସ୍ଵମନ୍ତ୍ରୀ ।

ସୂଚନା ଅନୁସାରେ, ୪ ଡ଼ିସିମିଲ ଜମି ଗରିବ ଲୋକଙ୍କୁ ଦେବେ ରାଜ୍ୟ ସରକାର। ୫ ବର୍ଷ ପରେ ରାଜ୍ୟରେ ବାସହୀନ ଲୋକ ନଥିବେ। ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ମଧ୍ୟରେ ସର୍ଭେ ହେବ। ରାଜସ୍ୱ ବିଭାଗ ଗରିବ ଲୋକଙ୍କ ପାଖକୁ ଯିବ ସେମାନଙ୍କୁ ଜମି ଦେବା ସହ ୪ ଡ଼ିସିମିଲର ପଟା ପ୍ରଦାନ କରିବ। ସେହିପରି ହୀରାକୁଦ ବନ୍ଧ ଯୋଜନାରେ ବିସ୍ଥାପିତଙ୍କ ପରିବାରର ତୃତୀୟ ପିଢିଙ୍କୁ ୧୦ ଡ଼ିସିମିଲ ଜମି ରାଜ୍ୟ ସରକାର ଯୋଗାଇଦେବେ ବୋଲି କହିଛନ୍ତି ରାଜସ୍ଵମନ୍ତ୍ରୀ । ରାଜସ୍ଵମନ୍ତ୍ରୀ କହିଛନ୍ତି ଯେ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୬୮ କୋଟି ୮୪ ଲକ୍ଷ ୪୦ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆବାସିକ ତଥା ଅଣ ଆବାସିକ ନୂତନ କୋଠା ବାଡି ନିର୍ମାଣ, ଭିତ୍ତିଭୂମିର ସୁରକ୍ଷା, ରାଜସ୍ୱ କାର୍ଯ୍ୟାଳୟ ଗୁଡ଼ିକରେ ଖର୍ଚ୍ଚ ଦାବି ଗୃହୀତ ହୋଇଛି।

ଅନ୍ୟପଟେ ଆଜି ଗୃହରେ ହୋଇଥିବା ହଟ୍ଟୋଗଳକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ଗୃହରେ ଆଜି ବିରୋଧୀ ମାନଙ୍କ ଆଚରଣ ଖୁବ ବ୍ୟଥିତ କରିଛି । ମହିଳା ମାନଙ୍କ ମାଧ୍ୟମରେ ସମାଜକୁ ସଶକ୍ତ କରିବାକୁ ଦେଶକୁ ଜଣେ ମହିଳା ରାଷ୍ଟ୍ରପତି ଦେଇଛି ବିଜେପି । ବାଚସ୍ପତି ମଧ୍ୟ ଜଣେ ମହିଳା । ତାଙ୍କ ପୋଡିୟମ ନିକଟକୁ ଚଢିବା ଗ୍ରହଣୀୟ ନୁହେଁ । ବିରୋଧୀ କହିଥାନ୍ତେ, ଆଲୋଚନା କରିଥାନ୍ତେ ହେଲେ ଦୁର୍ଭାଗ୍ୟ ବିରୋଧୀ ଗୃହ ଛାଡି ଚାଲିଗଲେ।

Comments are closed.