Latest Odisha News

ପାକିସ୍ତାନରେ ‘ସ୍ଲୋ ନେଟ୍‌’ ରହସ୍ୟ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ଦ୍ଦଶାର ସାମନା କରୁଥିବା ପାକିସ୍ତାନରେ ଇଂଟରନେଟ ବ୍ରେକଡାଉନ୍ । ବେଶ୍ କିଛି ଦିନ ହେବ ଏହି ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଇଂଟରନେଟ ଧୀମା ପଡିଯାଇଥିବାରୁ ଉପୁଜିଛି ଅନେକ ସମସ୍ୟା । ଅନଲାଇନ କାମ ପ୍ରଭାବିତ ହୋଇଛି । ଅଭିଯୋଗ ହୋଇଛି ଯେ, ପାକିସ୍ତାନର ଏଜେନସୀମାନେ ଇଂଟରନେଟ ଫାୟରୱାଲ୍ ଲାଗୁ କରିଥିବାରୁ ସୋସିଆଲ ମିଡିଆ ଆପ୍ଲିକେସନରେ ଚଳାଇବାରେ ସୃଷ୍ଟି ହେଉଛି ସମସ୍ୟା ।

ପାକ୍ ସରକାରଙ୍କ ଇଂଟରନେଟ ଫାୟରୱାଲ ?

ଇଂଟରନେଟ ଫାୟରୱାଲ ହେଉଛି ଏପରି ଏକ ବ୍ୟବସ୍ଥା, ଯାହା କି କୌଣସି ଦେଶର ସେଂଟ୍ରାଲ୍ ଇଂଟରନେଟ୍ ଗେଟୱେରେ ଲଗାଯାଇଥାଏ । ଇଂଟରନେଟ୍ ଟ୍ରାଫିକ ଫିଲଟ୍ରେସନ ଓ ତଦାରଖ ହେଉଛି ଏହାର ଉଦ୍ଦେଶ୍ୟ । ଏହି ବ୍ୟବସ୍ଥା ସହାୟତାରେ ୱେବସାଇଟ୍ ଓ ସୋସିଆଲ ମିଡିଆ ଫ୍ଲାଟଫର୍ମର କଂଟେଟ୍ ନିୟନ୍ତ୍ରଣ ବା ବ୍ଲକ୍ କରିହୁଏ । ଫାୟରୱାଲ ସିଷ୍ଟମ ଦ୍ୱାରା କଂଟେଟ୍‌ର ଉତ୍ସ ବାବଦରେ ମଧ୍ୟ ସୂଚନା ମିଳିପାରିବ ।

ବିପୁଳ ଆର୍ଥିକ କ୍ଷତି

ବିଗତ କିଛି ସପ୍ତାହ ଧରି ୟୁଜର୍ସମାନଙ୍କୁ ହ୍ୱାଟସଆପ୍ ଭଳି ମେସେଜିଙ୍ଗ ଆପ୍ ଜରିଆରେ ମିଡିଆ ଫାଇଲ୍ ଓ ଭଏସ ନୋଟ୍‌ସ ପଠାଇବା ଓ ଡାଉନଲୋଡ୍ କରିବାରେ ଅସୁବିଧା ସୃଷ୍ଟି ହୋଇଛି । ବ୍ରଡବ୍ୟାଣ୍ଡ୍ ନେଟୱର୍କ ବ୍ୟବହାର କରୁଥିଲେ ମଧ୍ୟ ନେଟ୍ ସ୍ଲୋ ରହୁଛି । ଇଂଟରନେଟର ଧୀମା ଓ ଅନିୟମିତା ସେବା କାରଣରୁ ପାକିସ୍ତାନର ଅର୍ଥନୀତି ଆହୁରି ଅଧିକ ପ୍ରଭାବିତ ହୋଇଛି । ବହୁସଂଖ୍ୟାରେ ବିଦେଶୀ ବ୍ୟବସାୟୀ ପାକିସ୍ତାନରୁ ପଳାୟନ କରୁଛନ୍ତି । ପ୍ରମୁଖ ଆଇଟି କମ୍ପାନି ପାକିସ୍ତାନ ସଫ୍ଟୱେୟାର ହାଉସ ଆସୋସିଏସନ ଅନୁସାରେ ଇଂଟରନେଟ୍ ସଂପର୍କିତ ସମସ୍ୟା କାରଣରୁ ଦେଶକୁ ୩୦୦ ମିଲିଅନ ଡଲାର ଆର୍ଥିକ କ୍ଷତି ସହିବାକୁ ହେବ । ପାକ୍ ସରକାରଙ୍କ ରାଷ୍ଟ୍ରୀୟ ଫାୟରୱାଲ ନୀତିକୁ ଦାୟୀ କରିଛି ଆସୋସିଏସନ୍ । କିନ୍ତୁ ପାକିସ୍ତାନ ଟେଲିକମ ଅଥୋରିଟି-ପିଟିଏ ଏହି ଅଭିଯୋଗକୁ ଅଗ୍ରାହ୍ୟ କରିଛି ।

ବିରୋଧୀଙ୍କ ପାଇଁ ଇଂଟରନେଟ ଫାୟରୱାଲ୍ ?

ପାକିସ୍ତାନରେ ଅଭିଯୋଗ ହୋଇଛି ଯେ, ବିରୋଧୀ ଦଳଗୁଡିକ ଉପରେ ନଜର ରଖିବା ପାଇଁ ପାକ୍ ସରକାର ଇଂଟରନେଟ୍ ଫାୟରୱାଲ ଲାଗୁ କରିଛନ୍ତି । ବିଶେଷକରି ଇମ୍ରାନ ଖାନଙ୍କ ପିଟିଆଇକୁ ଟାର୍ଗେଟ କରୁଥିବା ଅଭିଯୋଗ ପାକ୍ ସରକାରଙ୍କ ବିରୋଧରେ ଆସିଛି । ଧୀମା ଇଂଟରନେଟ ପ୍ରସଙ୍ଗ ପାକିସ୍ତାନ ପାର୍ଲାମେଂଟରେ ଉଠିଛି ।

ଖରାପ ସବ୍‌ମାରିନ କେବୁଲକୁ ଦୋଷ

ଅନେକ ହୋହଲ୍ଲା ପରେ ଧୀମା ଇଂଟରନେଟ୍ ନେଇ ମୁହଁ ଖୋଲିଛି ପାକିସ୍ତାନ ଟେଲିକମ ଅଥୋରିଟି-ପିଟିଏ । ଖରାପ ସବମାରିନ କେବୁଲ ଯୋଗୁଁ ଦେଶରେ ଇଂଟରନେଟ୍ ବ୍ରେକଡାଉନ ହୋଇଛି ବୋଲି କହିଛନ୍ତି ପିଟିଏ ଅଧ୍ୟକ୍ଷ ହଫିଜୁର ରହମନ । ସଂସଦର ଆଇଟି ସଂପର୍କିତ କମିଟି ଆଗରେ ହାଜର ହୋଇ ଏକାଧିକ ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ ରହନ । କିନ୍ତୁ ଫାୟରୱାଲ ଇନଷ୍ଟଲ ହୋଇଛି କି ନାହିଁ , ସେ ବାବଦରେ ସେ ସିଧାସଳଖ କିଛି କହିନଥିଲେ । ସ୍ଲୋ ଇଂଟରନେଟ ପାଇଁ ପିଟିଏ ଦାୟୀ ନୁହେଁ ବୋଲି ରହମନ କହିଛନ୍ତି । କିନ୍ତୁ ରହମନଙ୍କ ଏଭଳି ମତ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହନ୍ତି ।

 

Comments are closed.