Latest Odisha News

ସାବାଡ ହେବେ ମାଫିଆ: ଖୋଲିବ ୨୫ ନୂଆ ଅବକାରୀ ଥାନା

ଭବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଦିନକୁ ଦିନ ନିଶା କାରବାର ଓ ମଦ ମାଫିଆଙ୍କ ବଢୁଥିବା ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଅବକାରୀ ନିର୍ଦ୍ଦେଶାଳୟ ।

ଏନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଜାକରି କରାଯାଇଛି । ନିଶା ଦୁର୍ନୀତିର ହଟସ୍ପଟ କୁହାଯାଉଥିବା ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ନୂଆ ଅବକାରୀ ଥାନା ଖୋଲିବ । କଟକ ଓ ମୟୂରଭଞ୍ଜରେ ଦୁଇଟି ଓ ଭୁବନେଶ୍ବରରେ ଗୋଟିଏ ଅବକାରୀ ଥାନା ଖୋଲିବ । ଏନେଇ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ ।

ତେବେ କହିରଖୁଛୁ, ଚିକିଟି ମଦ ମୃତ୍ୟୁ ପରେ ଏବେ ପୂରା ଆକ୍ସନ ମୋଡରେ ରାଜ୍ୟ ସରକାର ଓ ଅବକାରୀ ବିଭାଗ । ଏନେଇ ଗତକାଲି ନୂଆ ଅବକାରୀ ନାତି ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଗ୍ରାମାଞ୍ଚଳରେ କେବଳ ଥ୍ରୀ-ଷ୍ଟାର୍ ଏବଂ ତଦୁର୍ଦ୍ଧ ବର୍ଗର ହୋଟେଲ ବ୍ୟତୀତ କୌଣସି ନୂଆ ଅନ୍ ସପ୍ ଖୋଲା ଯିବାର ବ୍ୟବସ୍ଥା ରହିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍ ର ପୁନଃ ନବୀକରଣ କରାଯିବନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା ଏମଜିକ୍ୟୁ ଫ୍ୟାକ୍ଟର ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । ବାର୍ ଗୁଡିକ କେବଳ ସଙ୍ଗୀତ ପରିବେଷଣ ର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (ବାର୍ ଡ୍ୟାନ୍ସ)କୁ ଅନୁମତି ଦିଆଯିବ ନାହିଁ। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି । ଯାହା ୨୦୨୪ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇ ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସେହିପରି ରାଜ୍ୟରେ ଏବେ ବିଭିନ୍ନ ମଦ ଭାଟି ଉପରେ ଚଢାଉ ଜାରି ରହିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୮୭୮ଟି କେସ୍‌ ପଞ୍ଜିକୃତ ହେବା ସହ ୧୬୦୭ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ୍ । ସେହିପରି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୯ଟି ଗାଡ଼ିକୁ ଜବତ କରାଯାଇଛି ।

Comments are closed.