Latest Odisha News

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା: ବିରୋଧୀଙ୍କ ‘ଜୋତା ମାର୍’ ବିକ୍ଷୋଭ

ହାଇଦ୍ରାବାଦ: ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ସିନ୍ଧୁଦୁର୍ଗ ଜିଲ୍ଲାରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିରୋଧୀ । ଲଗାତାର ଶାସକଙ୍କୁ ଘେରି ଜାରି ରଖିଛନ୍ତି ବିକ୍ଷୋଭ । ଏହି କ୍ରମରେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସରକାର ବିରୋଧରେ ଅଘାଡି (ଏମଭିଏ) ମେଣ୍ଟ ମୁମ୍ବାଇରେ ‘ଜୋତା ମାର୍’ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ରାଜ୍ୟ କଂଗ୍ରେସ ସଭାପତି ନାନା ପଟୋଲ ଏବଂ ଏନସିପି ତଥା ଏସ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ସମେତ ବରିଷ୍ଠ ବିରୋଧୀ ଦଳ ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇ ହୁତତ୍ମା ଛକଠାରୁ ଗେଟ୍ ୱେ ଅଫ୍ ଇଣ୍ଡିଆ ସ୍ଥିତ ଶିବାଜୀ ପ୍ରତିମୂର୍ତ୍ତି ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ ବିରୋଧୀ ଦଳର କର୍ମୀମାନେ ହାତରେ ଜୋତା ଧରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ଅନ୍ୟପକ୍ଷରେ ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏମଭିଏର ଏହି ଆନ୍ଦୋଳନକୁ ଶସ୍ତା ରାଜନୈତିକ ପଦକ୍ଷେପ ବୋଲି କହି ସମାଲୋଚନା କରିଛନ୍ତି।

ତେବେ କହିରଖୁଛୁ, ଗତ ବର୍ଷ ଡିସେମ୍ବର ୪ରେ ଛତ୍ରପତୀ ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ ହୋଇଥିଲା । ସେହି ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ଅଗଷ୍ଟ ୨୬ରେ ତାହା ଭୁଶୁଡ଼ି ପଡ଼ିଥିଲା। ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳ, ବିଜେପି ଓ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରିଥିଲେ । ସ୍ଥିତି ଭାରି ପଡିବାରୁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ନତମସ୍ତକ କରି କ୍ଷମା ପ୍ରାର୍ଥନା କରିଥିଲେ । ହେଲେ ଏହାକୁ ବି ସମାଲୋଚନା କରିଛନ୍ତି ବିରୋଧୀ । ଏନେଇ ଉଦ୍ଧବ ଠାକରେ କହିଛନ୍ତି କ୍ଷମା ପ୍ରାର୍ଥନାରେ ବି ଅହଙ୍କାର ରହିଛି ।

Comments are closed.