Latest Odisha News

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ: ଡିଜିପି

ଭୁବନେଶ୍ୱର: ଡିଜିପି ୱାଇ ବି ଖୁରାନିଆଙ୍କ ବଡ଼ ବୟାନ। ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ। ମାଓବାଦୀ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ। ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସରେ ମାଓ ମୁକାବିଲା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗୃହ ମନ୍ତ୍ରୀଙ୍କ ଟାସ୍କ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ନିପାତ ସରିବ ବୋଲି ଏହି ବୈଠକରେ ଉଲ୍ଲେଖ ହୋଇଛି।

ମାଓପ୍ରବଣ ଜିଲ୍ଲାଗୁଡିକରେ ତୂଣମୂଳସ୍ତରରେ ସ୍ଥିତି ବିଷୟରେ ତୀଷ୍ମ ନଜର ରଖାଯାଇଛି। ଆଗାମୀ ଦିନରେ ମାଓ ବିରୋଧୀ ଅପରେସନରୁ ଆହୁରି ତ୍ୱରିତ କରିବା ନେଇ ଆଲୋଚନା ହେଇଛି। ଯେଉଁ ଜିଲ୍ଲାଗୁଡିକରେ ମାଓ ସମସ୍ୟା ରହିଛି ସେ ଜିଲ୍ଲାଗୁଡ଼ିକ ବିଷୟରେ ଆଲୋଚନା କରାଯିବା ସହ ତଥ୍ୟ ସଂଗ୍ରହ କରାଯାଉଛି। ସେଠାରେ ଦେଖାଯାଉଥିବା ସମସ୍ୟା ସମାଧାନ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି।

ସୂଚନା ଥାଉକି ଗତକାଲି ଛତିଶଗଡ ଦାନ୍ତେନୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ନିହତ ହୋଇଛନ୍ତି। ସେଠାରେ ଅପରେସନ୍‌କୁ ଜୋରଦାର କରାଯାଉଥିବାରୁ ମାଓବାଦୀମାନେ ଓଡ଼ିଶାକୁ ଅନୁପ୍ରବେଶ ବଢ଼ିବା ଆଶଙ୍କା ଦେଖାଯାଇଛି। ଏହାକୁ ଲକ୍ଷ୍ୟରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।

ସେହିପରି ଛତିଶଗଡର ପଡୋଶୀ ଜିଲ୍ଲା ତଥା ନୂଆପଡା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବରଗଡ, ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାଗୁଡିକର ସୀମାକୁ ସିଲ୍‌ କରାଯାଇଛି। ଏହାସହ ଏହି ସବୁ ଜିଲ୍ଲାଗୁଡିକୁ ହାଇଆଲର୍ଟ ଜାରି କରାଯାଇଛି। ଓଡ଼ିଶାକୁ ଅନୁପ୍ରବେଶ କରିବାର ଆଶଙ୍କା କରି ସୀମାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

Comments are closed.