Latest Odisha News

ଶାନ୍ତି ପାଇଁ ମସ୍କୋ ଯିବେ ଭାରତର ‘ବଣ୍ଡ୍’

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବ କି ଭାରତ? ପୁଟିନ ଓ ଜେଲେନସ୍କିଙ୍କୁ କଥାବାର୍ତ୍ତା ଟେବୁଲକୁ ଆଣିବା ପାଇଁ ସମର୍ଥ ହେବ କି ଭାରତ ? ପ୍ରକୃତରେ ପୁଟିନ ଓ ଜେଲେନସ୍କି ଶାନ୍ତି ଚାହୁଁଛନ୍ତି କି ? ଏସବୁ ଜଟିଳ ପ୍ରଶ୍ନର ଉତ୍ତର ମୁସ୍କିଲ ଲାଗୁଥିଲେ ମଧ୍ୟ ଶାନ୍ତି ପାଇଁ ପ୍ରୟାସ ଆରମ୍ଭ କରାଯାଇପାରେ । ଶାନ୍ତି ସ୍ଥାପନର ସମ୍ଭାବନା ଖୋଜିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶତାଦା ଅଜିତ ଡୋଭାଲ୍ ମସ୍କୋ ଯିବେ । ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଭାରତ, ଚୀନ୍ ଓ ବ୍ରାଜିଲ ମଧ୍ୟସ୍ଥତା କରିପାରିବେ ବୋଲି ଭ୍ଲାଦିମିର ପୁଟିନ କିଛି ଦିନ ତଳେ କହିଥିଲେ । ପୁଟିନଙ୍କ ପ୍ରସ୍ତାବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଏସଏ ଅଜିତ ଡୋଭାଲଙ୍କୁ ମସ୍କୋ ପଠାଉଛନ୍ତି । ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ତା ପ୍ରସଙ୍ଗ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ।

ଶାନ୍ତି ସମ୍ଭାବନା ଖୋଜିବେ ଅଜିତ ଡୋଭାଲ

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଲା ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମସ୍କୋ ଗସ୍ତରେ ଯିବେ । ଡୋଭାଲ୍ ନିଜର ଋଷୀୟ ସମକକ୍ଷଙ୍କୁ ଭେଟି ସମ୍ଭାବ୍ୟ ଶାନ୍ତି କଥାବାର୍ତ୍ତା ନେଇ ବିଚାରବିମର୍ଶ କରିବେ । ବ୍ରିକସ ରାଷ୍ଟ୍ର ସମୂହର ସଦସ୍ୟ ଚୀନ୍ ଓ ବ୍ରାଜିଲର ପ୍ରତିନିଧିଙ୍କ ସହ ମଧ୍ୟ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ସଂପର୍କିତ ଆଲୋଚନା କରିବେ ଡୋଭାଲ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତିଦୂତ ଭାବେ ମସ୍କୋ ଯିବେ ଡୋଭାଲ୍ । ବ୍ରିକ୍ସ ଦେଶଗୁଡିକର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକରେ ମଧ୍ୟ ଯୋଗ ଦେବେ ଡୋଭାଲ୍ ।

ଶାନ୍ତି ପାଇଁ ପ୍ରୟାସ କରିବାକୁ ପୁଟିନଙ୍କୁ କହିଥିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବର୍ଷ ପ୍ରଥମେ ଋଷିଆ ଓ ପରେ ୟୁକ୍ରେନକୁ ହାଇପ୍ରୋଫାଇଲ ଗସ୍ତରେ ଯାଇଥିଲେ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରି ଯୁଦ୍ଧ ବନ୍ଦ ହେବା ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୭ ତାରିଖରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ପ୍ରଧାନମନ୍ତ୍ରୀ ନିଜର ୟୁକ୍ରେନ ଗସ୍ତ ନେଇ ପୁଟିନଙ୍କୁ ସୂଚିତ କରିବା ସହ ରାଜନୈତିକ ଓ କୂଟନୈତିକ ସ୍ତରରେ କିଭ୍ ସହ ସବୁକିଛି ଠିକ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜଣାପଡିଛି ଯେ, ଫୋନ୍ ବାର୍ତ୍ତାଳାପ ପରେ ଅଜିତ ଡୋଭାଲ ଶାନ୍ତି କଥାବାର୍ତ୍ତା ନେଇ ବିଚାରବିମର୍ଶ କରିବାକୁ ମସ୍କୋ ଯିବେ ବୋଲି ମୋଦି ଓ ପୁଟିନ ନିଷ୍ପତ୍ତି ନେଇଥିଲେ ।

ଭାରତର ମଧ୍ୟସ୍ଥତା ସପକ୍ଷରେ ପୁଟିନ୍ ଓ ଅନ୍ୟ ବିଶ୍ୱନେତା

ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ନେଇ ସ୍ପଷ୍ଟ କରିଥିଲେ ଭାରତର ଆଭିମୁଖ୍ୟ । ଭାରତ ନିରପେକ୍ଷ ରହିବା ବଦଳରେ ସବୁବେଳେ ଶାନ୍ତି ସପକ୍ଷରେ ମତ ଦେଇଛି ବୋଲି କହିଥିଲେ ମୋଦି । କିଛି ଦିନ ତଳେ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସଂଘର୍ଷ ନେଇ ଋଷିଆ ସହ ଯୋଗାଯୋଗରେ ରହୁଥିବା ତିନି ଦେଶମଧ୍ୟରୁ ଭାରତର ନାଁ ବି ନେଇଥିଲେ । ଋଷିଆ ନିଜର ସବୁ ମିତ୍ର ଓ ଭାଗୀଦାରୀଙ୍କୁ ସମ୍ମାନ କରେ । ଚୀନ୍, ବ୍ରାଜିଲ ଓ ଭାରତ ୟୁକ୍ରେନ ସଂଘର୍ଷ ଶେଷ କରିବା ପାଇଁ ମଧ୍ୟସ୍ଥତାର ଭୂମିକା ତୁଲାଇପାରିବେ ବୋଲି ପୁଟିନ କହିଥିଲେ । ଅନ୍ୟ ବିଶ୍ୱନେତାମାନଙ୍କର ବିଶ୍ୱାସ ଯେ, ଭାରତ ଋଷିଆ-ୟୁକ୍ରେନ ଲଢେଇ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଭାରତ ଭଲ ମଧ୍ୟସ୍ଥ ହୋଇପାରିବ ବୋଲି କହିଛନ୍ତି । ମେଲୋନି ଏ ସଂପର୍କରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହୋଇଛନ୍ତି । ବିଶ୍ୱର ଅନେକ ଦେଶ ୟୁକ୍ରେନର ପକ୍ଷ ନେଉଛନ୍ତିା ଭାରତ କିନ୍ତୁ ଶାନ୍ତି ପାଇଁ ଆହ୍ୱାନ ଦେଇଛି । ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିସାରିଛନ୍ତି ।

Comments are closed.