Latest Odisha News

ହଜି ହଜି ଯାଉଥିବା ଓଡିଆ ଗାଁ’ର ଜୀବନ ଓ ସୃଜନ…

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ:

ହଜି ହଜି ଯାଉଥିବା ଓଡିଆ ଗାଁ’ର ଜୀବନ ଓ ସୃଜନ

କେଦାର ମିଶ୍ର

ସଂଜ ବୁଡ଼ିଲା ବେଳକୁ ଗହ ଗହ ଗାଁ ଦାଣ୍ଡ । ପୋଲାଙ୍ଗ ତେଲରେ ଦିକଦିକ ହୋଇ ଜଳୁଥିବା ଦୀପର ଆଲୁଅ ଓ ସେଇ ରହସ୍ୟଘେରା ପ୍ରକାଶରେ କେଇପଦ ଲଳିତ ଭାଗବତ । ଆଜି ମନେପକେଇଲେ ବି ଲାଗୁଛି କାହିଁ କେତେ ପୁରୁଣା ଏଇ ଦୃଶ୍ୟ । କୁଆଡ଼େ ଗଲା ସେ ଗାଁ ଦାଣ୍ଡ, ଭାଗବତ ଟୁଙ୍ଗୀ, ପୋଲାଙ୍ଗ ତେଲର ଦୀପ, ପାକୁଆ ଘାଗଡା ଗଳାରେ ଲଳିତ ମଧୁର ଭାଗବତ ଓ ସେଇ ଆଚ୍ଛନ୍ନତାରେ ଜୀବନର ଉତ୍ସବ ପାଳୁଥିବା ଗ୍ରାମୀଣ ଜୀବନ । କୁଆଡ଼େ ଗଲା ସେ ଜୀବନ ଓ ଜୀବନବୋଧ ? କୋଉ ଦୂର ଅତୀତର ପୃଷ୍ଠାଏ ଅନାବାଦୀ ଅକ୍ଷର ହୋଇ ପଡିରହିଛିସେ ସ୍ମୃତି ।
ଏବେ ଧୂଳି ଜାଗାରେ କଂକ୍ରିଟ୍ । ଦୀପ ବଦଳରେ ବିଜୁଳି ଆଲୁଅ । କାନ ଫଟେଇ ବାଜୁଛି କଳ ଗାଉଣା । ଗାଁ ଆଜି ବିଶ୍ୱଗ୍ରାମ । ଗାଁର ମଣିଷ ଆଜି ପୃଥିବୀର ମଣିଷ । ନାରାୟଣପୁର ଓ ନ୍ୟୁୟର୍କ, ମହଦା ଅବା ମୁମ୍ବାଇ, ସରାଗାଡୁ କି ସାଓପୋଲୋ -ସଭିଏଁ ଏକାକାର । ଦୂରତା ବୋଲି କିଛି ନାହିଁ । ଗୋଟେ ଜାଲ ଭିତରେ ଆମ ଛନ୍ଦି ହୋଇ ରହିଛୁ । ସେ ଜାଲ ଆମକୁ କୋଳେଇ ଧରିଛି- ସେ ଜାଲର ନାଁ ଇଣ୍ଟରନେଟ୍ । କେହି କେହି ବଡ଼ ଶ୍ରଦ୍ଧାରେ ତାକୁ କୁହନ୍ତି ଅନ୍ତର୍ଜାଲ । ସାରା ପୃଥିବୀର ମଣିଷ ଆଜି ଇଣ୍ଟରନେଟ୍ ଜାଲରେ ଗୋଟେ ଗୋଟେ ଚମତ୍କାର ମାଛ ।ଏଇ ନୂଆ ପୃଥିବୀରେ ପୁରୁଣା ପୃଥିବୀ ରହିବ ନା ଲିଭିଯିବ ?
ଏଇ ଦୂରତ୍ୱହୀନ ପୃଥିବୀରେ ଆମେ କ’ଣ ସତରେ ବିଶ୍ୱଗ୍ରାମର ବାସିନ୍ଦା ?
ଆମେ କ’ଣ ସମାନ ଓ ସମଧର୍ମା ?
ନୂଆ ପୃଥିବୀ କ’ଣ ସର୍ବୋଦୟର ପୃଥିବୀ ?
ଆଜି ମୋର ଦୁଃଖ କ’ଣ ପୃଥିବୀର ଦୁଃଖ ଓ ପୃଥିବୀର ଦୁଃଖ କଣ ମୋରି ବିଷାଦ ?
ପ୍ରଶ୍ନ ପଚାରିବା ଇ ଆମ ସମୟର ସବୁଠୁ ଦୁଃଖ । ଲାଗୁଛି, ନୂଆ ପୃଥିବୀରେ ସବୁ ପ୍ରଶ୍ନର ଉତ୍ତର ଗୋଟେ କ୍ଲିକ୍ ରେ ମିଳିଯିବ । ଅଥଚ ପ୍ରଶ୍ନ ପଚାରୁ ପଚାରୁ ଉତ୍ତରର ଭିଡ ଏତେ ଅଧିକ ଯେ ପ୍ରଶ୍ନଟି ନିଜେ ଲାଗୁଛି ଅସ୍ତିତ୍ୱହୀନ ଓ ଅବାନ୍ତର । ଯେତେ ପ୍ରଶ୍ନ ସେତେ ଦୁଃଖ । ବିଶ୍ୱଗ୍ରାମର ଏଇ ନବ୍ୟ ଅନୁଭବ ଆମକୁ କୋଳାହଳ ଭିତରେ ଅଧିକରୁ ଅଧିକ ଏକାକୀ କରି ଦେଉଛି । ଆମେ ବାସ୍ତବ ଅପେକ୍ଷା ଏକ କଳ୍ପିତ ଜୀବନର ଫାନ୍ଦରେ ପଡ଼ି ନିଜ ଭିତରର ପକ୍ଷୀଟିକୁ ଭୁଲି ସାରିଛୁ । ଆଜି ଆମ ଲାଗି ଆଉ କେହି ଜଣେ ଉଡୁଛି । ଆମେ ତାକୁ ଦେଖି ନିଜ ଭିତରେ ଉଡାଣର କଳ୍ପନା କରୁଛୁ ।
ଆମର ନୂଆ ପୃଥିବୀରେ ଅନେକ ନୂଆ ବାକ୍ୟ ଆମର ଜୀବନକୁ ନବକଳେବର ଦେଇଛି ।
ଆମେ କହୁଚୁ, ଜୀବନମାନେ ଫୁଲ ମସ୍ତି – ନିରୋଳା ଆନନ୍ଦ,
ହେଲେ ଏ ଆନନ୍ଦର କୌଣସି ଆକାର ନାହିଁ ।
ଗୋଟେ କବନ୍ଧ ପରି ରାସ୍ତାରେ ଗଡିବାର ଏକ ବିକଳ ଆନନ୍ଦ ।
ଆମେ କହୁଛୁ, ଜୀନ୍ଦଗି ନା ମିଲେଗି ଦୋବାରା –
ଆଉ ଥରେ ଜୀବନ ମିଳିବ ନାହିଁ । ଏଇ ଏକା ଜୀବନ ।
ମନ ଭରି ଏହାକୁ ଉପଭୋଗ କର । ହେଲେ
ଏ ଜୀବନରେ ଶହ ଶହ କୋଠରୀ । ଆଉ ପ୍ରତ୍ୟେକ
କୋଠରୀରେ ମଣିଷ ଗୋଟେ ଖାଲି ଚଉକି । ଜୀବନ
ଗୋଟେ ବୋରିଂ ଅପେକ୍ଷା । ଲାଗୁଛି ସଭିଏଁ ଅଛନ୍ତି
ହେଲେ କେହି ନାହିଁ ।
ଆମର ସମୟ ସୋସିଆଲ ମିଡ଼ିଆର ସମୟ । ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମର ସମୟ । ସମାଜ ଆମ ମୋବାଇଲ ଫୋନର କେତୋଟି ବର୍ଗକ୍ଷେତ୍ର ମାତ୍ର । ସବୁ ସଂପର୍କ ଏବେ ଗୋଟେ ଗୋଟେ ଏକାଉଣ୍ଟ ଓ ସବୁ ଭାବନା ୧୪୦ଟି ଅକ୍ଷରର ଦରମଲା ପୋଷ୍ଟିଂ । ଆମର ରାଜନୀତି, ଅର୍ଥନୀତି, ସଂସ୍କୃତି ଓ ଜୀବନବୋଧ – ସବୁ ସେଇ ସୋସିଆଲ ମିଡ଼ିଆର ଶିକାର ।ସେଠି ସରକାର ଗଢାହୁଏ ଓ ଭଙ୍ଗାଯାଏ ।
ସେଠି ସଂପର୍କ ଉଦେ ହୁଏ ଓ ଅସ୍ତ ଯାଏ ।
ସେଠି ନୀଳ ପରଦାର ରାତି ଓ ସଫେଦ ଚାଦରର ସକାଳ ।
ସେଠି ସକାଳ ଚାଟରେ ପ୍ରେମ ଓ ସନ୍ଧ୍ୟାର ଅକ୍ଷରରେ ସନ୍ଦେହ ।
ସେଠି ଜୀବନ, ଭାସମାନ ଚିତ୍ର ଓ ଅକ୍ଷରଙ୍କର
ଅନ୍ତହୀନ ଅସ୍ଥିରତା ।
ତା’ରି ଭିତରେ ପୁରୁଣା ଗାଁକୁ ଖୋଜିବାର କାରଣ କ’ଣ !!
ପୁରୁଣା ଗାଁରେ ଯୋଉ ଜୀବନ ଓ ଜୀବନବୋଧ ତାକୁ ଆଜି ଝୁରିହେବା ଛଡ଼ା ଅଲଗା ବାଟ ବା କାହିଁ !

Comments are closed.