Latest Odisha News

୨୦୨୪-୨୫ ଆର୍ଥିକ ବର୍ଷରେ କ୍ରୀଡା ବିକାଶ ପାଇଁ ୧,୩୧୫ କୋଟି ଟଙ୍କା ଆବଣ୍ଟନ କଲେ ସରକାର

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ରେ ଓଡିଶା ସରକାର ୧,୩୧୫ କୋଟି ଟଙ୍କା କ୍ରୀଡା ଏବଂ ଯୁବସେବା ପାଇଁ ବ୍ୟୟ କରିବାକୁ ନିର୍ଧାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର କ୍ରୀଡା ବଜେଟ କୁ ବିଗତ ବର୍ଷ ଠାରୁ ୯୮ କୋଟି ଟଙ୍କା ଅଧିକ ବଢାଇଛନ୍ତି, ଯାହା ବିଗତ ବର୍ଷ ୧,୨୧୭ କୋଟି ଟଙ୍କା ଥିଲା।

ଏହି ୧,୩୧୫ କୋଟି ଟଙ୍କାରୁ ୧,୨୧୦ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଏବଂ ୧୦୫ କୋଟି ଟଙ୍କା ରକ୍ଷଣାବେକ୍ଷଣରେ ବ୍ୟୟ କରାଯିବ ବୋଲି ବଜେଟରେ ଉଲ୍ଲେଖ ରହିଛି।

ଚଳିତ ବର୍ଷ ଓଡିଶା ସରକାର ଦେଇଥିବା କ୍ରୀଡା ବଜେଟରେ କଣ ରହିଛି ଜାଣନ୍ତୁ-

ଭୁବନେଶ୍ୱରରେ ଏକ ନୂତନ ବିଶ୍ୱସ୍ତରୀୟ ଷ୍ଟାଡିୟମ୍, ରାଜ୍ୟର ୪ଟି ଜୋନରେ ବିଶ୍ୱସ୍ତରୀୟ କ୍ରୀଡା ଏକାଡେମୀ ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ କ୍ରୀଡା ଏକାଡେମୀ ପ୍ରତିଷ୍ଠା, ତୃଣମୂଳ ସ୍ତରରେ କ୍ରୀଡ଼ାବିତଙ୍କ ବିକାଶ, ମିନି ଷ୍ଟାଡିୟମ ଗୁଡିକର ସକ୍ରିୟତା ପାଇଁ ସରକାର ୯୫୨ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ଦେଇଛନ୍ତି।

ଯୁବକଙ୍କର ସମନ୍ୱିତ ବିକାଶ ପାଇଁ ରାଜ୍ୟ ସରକାର ଯୁବ ଶକ୍ତି ଯୋଜନାରେ ୧୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ଖୋଜିବା ଏବଂ ତାଙ୍କର ସାମଗ୍ରିକ ବିକାଶ ପାଇଁ ସରକାର ‘ଖେଳ ରତ୍ନ ଖୋଜା ଅଭିଯାନ’ ର ମଧ୍ୟ ଘୋଷଣା କରିଛନ୍ତି।

ଉଲ୍ଲେଖନୀୟ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଏବଂ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ସରକାର ୬୫ କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ଆବଣ୍ଟନ କରିଛନ୍ତି।

‘ଖେଳ ରତ୍ନ ଖୋଜା ଅଭିଆନ୍’ ଏବଂ ‘ଯୁବ ଶକ୍ତି’ ଭଳି ପଦକ୍ଷେପ ମାଧ୍ୟମରେ ଓଡିଶା ଆଗାମୀ ପିଢ଼ିର ଚାମ୍ପିଅନମାନଙ୍କୁ ପ୍ରତିପୋଷଣ ଏବଂ ପ୍ରୋତ୍ସାହିତ କରିବ।

ଏହି ପୁଞ୍ଜି ବିନିଯୋଗ କେବଳ କ୍ରୀଡା ଭିତ୍ତିଭୂମି ନୁହେଁ ବରଂ ଏକ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଓଡିଶାର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯାହା ତୃଣମୂଳ ସ୍ତରରୁ ପ୍ରତିଭା ସୃଷ୍ଟି ଏବଂ ଭବିଷ୍ୟତରେ କ୍ରୀଡା ସଫଳତା ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବI

Comments are closed.