Latest Odisha News

BREAKING NEWS

ଛାତ୍ରନେତାରୁ ରାଜନେତା, ଜାଣନ୍ତୁ କିଭଳି ଥିଲା ସୀତାରାମ ୟେଚୁରୀଙ୍କ ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ୧୯ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ବରିଷ୍ଠ ନେତା ସୀତାରାମ ୟେଚୁରୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍)ର ମହାସଚିବ ଥିଲେ।

ସୀତାରାମ ୟେଚୁରୀ ୧୨ ଅଗଷ୍ଟ ୧୯୫୨ରେ ତତ୍କାଳୀନ ମଦ୍ରାସର ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ ମସିହାରେ ସେ ଦିଲ୍ଲୀ ଆସିଥିଲେ ଏବଂ ଏଠାରେ ସେ ଦିଲ୍ଲୀର ପ୍ରେସିଡେଣ୍ଟସ୍ ଇଷ୍ଟେଟ୍ ସ୍କୁଲରେ ଆଡମିଶନ ନେଇଥିଲେ। ଏମଏ କରିବା ପରେ ୟେଚୁରୀ ନିଜେ ଜେଏନୟୁରେ ପିଏଚଡି କରିଥିଲେ। ଆଉ ଏହି ସମୟରେ ଅର୍ଥାତ୍ ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହି ସମୟରେ ୟେଚୁରୀ ମଧ୍ୟ ଗିରଫ ହୋଇଥିଲେ, ଯାହା ଫଳରେ ତାଙ୍କର ପାଠପଢା ଅଧାରୁ ବନ୍ଦ ହୋଇଯାଇଥିଲା।

କଲେଜରେ ପଢିବା ବେଳେ ସୀତାରାମ ୟେଚୁରୀ ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ୧୯୭୪ରେ ସେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆରେ ଯୋଗ ଦେଇଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ସିପିଏମରେ ଯୋଗ ଦେଇଥିଲେ।

୧୯୭୭-୭୮ ମସିହାରେ, ସେ ଜେଏନୟୁ ଛାତ୍ର ସଂଘର ସଭାପତି ହୋଇଥିଲେ। ଏହି ଅବଧି ମଧ୍ୟରେ ବାମପନ୍ଥୀ ଆଦର୍ଶରେ ସାରା ବିଶ୍ୱବିଦ୍ୟାଳୟ ପ୍ରଭାବିତ ହୋଇଥିଲା।

ସେ ସଂସଦରେ ନିଜର ବକ୍ତବ୍ୟ ତଥା ବାକଚାତୁରି ପାଇଁ ବିରୋଧୀଙ୍କ ମୁହଁ ବନ୍ଦ କରିପାରୁଥିଲେ। ୨୦୦୫ରେ ସେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରୁ ରାଜ୍ୟସଭାର ସାଂସଦ ହୋଇଥିଲେ। ସେ ୧୮ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିଥିଲେ। ଏହି ସମୟ ମଧ୍ୟରେ ସେ ସଂସଦରେ ଜନସାଧାରଣଙ୍କ ପାଇଁ ଅନେକ ପ୍ରସଙ୍ଗ ଉଠାଇଥିଲେ। ତେବେ ସୀତାରାମ ୟେଚୁରୀ ଏକାଧାରାରେ ଜଣେ ରାଜନେତା, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ, ସାମ୍ବାଦିକ ଏବଂ ଲେଖକ ମଧ୍ଯ ଥିଲେ।

ଅଧିକ ପଢନ୍ତୁ- ଆରପାରିରେ ସୀତାରାମ ୟେଚୁରୀ

Comments are closed.