Latest Odisha News

BREAKING NEWS

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଗାମୀ ଦିନ ପାଇଁ ରୋଡ ମ୍ୟାପ ପସ୍ତୁତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ମାତ୍ର ୧୦୦ ଦିନର ଏହି ଉପଲବ୍ଧିକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ସଂଗଠନ ପର୍ବ “ସଦସ୍ୟତା ଅଭିଯାନ-୨୦୨୪” ଏବଂ ଆସନ୍ତା ୧୭ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବା ନେଇ ଆଲୋଚନା ହୋଇଛି ।

ବୈଠକରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ଭାଜନ ହୋଇପାରିଛି । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସିଏମ୍ କିଶାନ ଯୋଜନାରେ ଶୁଭାରମ୍ଭ କରାଯାଇ ୪୬ ଲକ୍ଷର ଉର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ୫୮ ସବ୍‌ଡିଭିଜନରେ ଶୀତଳ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି । ମହିଳମାନଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଏବଂ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି ।

ଆଜିର ବୈଠକ ପ୍ରସଙ୍ଗରେ ସୁଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏଥିରେ ମୁଖ୍ୟତଃ ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ୧୭ ତାରିଖ ଓଡିଶା ଗସ୍ତରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଏବଂ ୧୦୦ ଦିନ ବିଜେପି ସରକାରର ଉପଲବ୍ଧି ଭଳି ପ୍ରମୁଖ ୪ଟି ପ୍ରସଙ୍ଗରେ ଆଲୋଚନା କରାଯାଇ ଆଗାମୀ ଦିନ ପାଇଁ ରୋଡ ମ୍ୟାପ ପସ୍ତୁତ କରାଯାଇଛି । ସଦସ୍ୟତା ଅଭିଯାନକୁ କିପରି ବ୍ୟାପକ କରାଯିବ ସେ ପ୍ରସଙ୍ଗରେ ବୈଠକରେ ଗୁରତ୍ୱାରୋପ କରାଯାଇଛି ।

ପ୍ରତି ବିଧାନସଭା କ୍ଷେତ୍ରରେ ଯେପରି ୧ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ସଂଗ୍ରହ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସହରଠାରୁ ଆରମ୍ଭ କରି ବ୍ଲକ, ପଂଚାୟତ, ଗ୍ରାମସ୍ତରରେ କିପରି ଅଧିକ ଅଧିକ ସଦସ୍ୟ ବିଜେପିରେ ସାମିଲ ହେବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଓ ବିଧାୟକମାନେ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.