Latest Odisha News

ସିଜେଆଇଙ୍କ ଘରେ ପିଏମଙ୍କ ଉପସ୍ଥିତି ନେଇ ଝଡ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ । ପ୍ରଧାନ ବିଚାରପତିଙ୍କ ନିରପେକ୍ଷତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବିଚାରପତିଙ୍କ ଘରକୁ ଯାଇ ଗଣେଶ ପୂଜାରେ ସାମିଲ ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି । ଶିବସେନା ଉଦ୍ଧବ ଥାକରେ ଗୋଷ୍ଠୀ ଓ କିଛି ଆଇନଜୀବୀ ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆପତ୍ତି ପ୍ରକାଶ କରିଛନ୍ତି ।

ଆପତ୍ତି ଉଠାଇଲା ଉଦ୍ଧବ ଶିବସେନା, କେସରୁ ଓହରିବା ପାଇଁ ସିଜେଆଇଙ୍କୁ ପରାମର୍ଶ

ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣେଶ ପୂଜା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ପ୍ରଧାନମନ୍ତ୍ରୀଙ୍କୁ ଡାକିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସିଜେଆଇଙ୍କ ଘରକୁ ଯାଇ ଗଣେଶ ପୂଜାରେ ସାମିଲ ହୋଇଥିଲେ । ଏ ସଂପର୍କିତ ଫଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆପତ୍ତି ଉଠାଇଛନ୍ତି ଶିବସେନା ଉଦ୍ଧବ ଥାକରେ ଗୋଷ୍ଠୀର ନେତା ସଂଜୟ ରାଉତ । ଶିବସେନା ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ମାମଲାର ଶୁଣାଣିରୁ ସିଜେଆଇ ଓହରିବାକୁ ଦାବି କରିଛନ୍ତି ସଂଜୟ ରାଉତ । ପ୍ରଧାନମନ୍ତ୍ରୀ ସିଜେଆଇଙ୍କ ଘରକୁ ଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ରାଉତ । ପ୍ରଧାନମନ୍ତ୍ରୀ ପ୍ରଧାନ ବିଚାରପତିଙ୍କ ଘରକୁ ଯାଇ ତାଙ୍କ ସହ ମିଶି ଆରତି କରିଛନ୍ତି । ଯଦି ସମ୍ବିଧାନର ରକ୍ଷକ ଯଦି ଏଭଳି ରାଜନେତାମାନଙ୍କ ସହ ମିଶିବେ, ତାହା ହେଲେ ଲୋକଙ୍କ ସନ୍ଦେହ ହେବ ବୋଲି ଏକ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି ସଂଜୟ ରାଉତ ।

ଆପତ୍ତି ଉଠାଇଲେ ବରିଷ୍ଠ ଆଇନଜୀବୀ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ନେଇ ବହୁ ବରିଷ୍ଠ ଆଇନଜୀବୀ ଆପତ୍ତି ଉଠାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କିପରି ପ୍ରଧାନମନ୍ତ୍ରୀଙ୍କୁ ଘରୋଇ ଭାବେ ନିମନ୍ତ୍ରଣ କଲେ ବୋଲି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ୍ସରେ ଲେଖିଛନ୍ତି । ଏ ନେଇ ସେ ଆଶ୍ଚର୍ଯ୍ୟ । ନ୍ୟାୟପାଳିକାକୁ ଏକ ଖରାପ ବାର୍ତ୍ତା ଯିବ ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି । କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ଏକ ଦୂରତା ରହିବା ଆବଶ୍ୟକ ବୋଲି ଏକ୍ସରେ ଲେଖିଛନ୍ତି ପ୍ରଶାନ୍ତ ଭୂଷଣ । ଜଣେ ବିଚାରପତି ନିଜ ପଦର ଗରିମା ବଜାୟ ରଖିବା ଦରକାର ବୋଲି କହିଛନ୍ତି ପ୍ରଶାନ୍ତ ଭୂଷଣ । ଆଇନଜୀବୀ ଇନ୍ଦିରା ଜୟସିଂହ ମଧ୍ୟ ସିଜେଆଇଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ କଡା ଆପତ୍ତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ବାର ଆସୋସିଏସନ ସିଜେଆଇ-ପିଏମଙ୍କ ସାକ୍ଷାତକୁ ନିନ୍ଦା କରୁ ବୋଲି ବାର୍ ସଭାପତି କପିଲ ସିବଲଙ୍କଠାରେ ଦାବି କରିଛନ୍ତି ଇନ୍ଦିରା ଜୟସିଂହ । ସିଜେଆଇଙ୍କ ନିରପେକ୍ଷତା ଉପରୁ ତାଙ୍କର ଭରସା ଉଠିଯାଇଛି ବୋଲି ମଧ୍ୟ ଜୟସିଂହ କହିଛନ୍ତି ।

ବିରୋଧୀଙ୍କୁ ବିଜେପିର ଜବାବୀ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନ ବିଚାରପତିଙ୍କ ଘରକୁ ଯିବା ନେଇ ବିରୋଧୀମାନଙ୍କର ସମାଲୋଚନାର ଜବାବ ଦେଇଛି ବିଜେପି । ଜବାବୀ ପ୍ରଶ୍ନ ପଚାରିଛନ୍ତି ବରିଷ୍ଠ ବିଜେପି ନେତା ବି.ଏଲ ସନ୍ତୋଷ । ଏବେ କନ୍ଦାକଟା ଆରମ୍ଭ ହୋଇଯାଇଛି । ବାମପନ୍ଥୀ ଉଦାରବାଦୀଙ୍କ ପାଇଁ ଶିଷ୍ଟାଚାର, ସଦଭାବନା, ଏକତା ସବୁ ଯେମିତି ଅଭିଶାପ ବୋଲି ତାତ୍ସଲ୍ୟ କରି କହିଛନ୍ତି ବିଏଲ ସନ୍ତୋଷ । ବିଜେପି ମୁଖପାତ୍ର ସହଜାଦ ପୁନାୱାଲା କହିଛନ୍ତି ଗଣେଶ ପୂଜାରେ ସାମିଲ ହେବା ଅପରାଧ ନାହିଁ । ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ନ୍ୟାୟପାଳିକା ଓ ରାଜନେତାଙ୍କୁ ଏକାଠି ଦେଖିବାକୁ ମିଳେ । ଆଉ ଯଦି ପ୍ରଧାନମନ୍ତ୍ରୀ ସିଜେଆଇଙ୍କ ଘରକୁ ଗଣେଶ ପୂଜା ପାଇଁ ଯାଆନ୍ତି, ତାହା ହେଲେ ଉଦ୍ଧବ ଶିବସେନାର ସାଂସଦ ସିଜେଆଇ ଓ ସୁପ୍ରିମକୋର୍ଟର ନିରପେକ୍ଷତାକୁ ପ୍ରଶ୍ନ କରନ୍ତି । କଂଗ୍ରେସ ଇକୋସିଷ୍ଟମ ସୁପ୍ରିମକୋର୍ଟ ଉପରେ ଏମିତି ଆକ୍ରମଣ କରେ, ଯାହା କି ରାହୁଲ ଗାନ୍ଧି ଆଗରୁ କରୁଥିଲେ ବୋଲି କହିଛନ୍ତି ପୁନାୱାଲା ।

ସିଜେଆଇ ଘରେ ପିଏମ୍ ପ୍ରସଙ୍ଗ ଏବେ ଜାତୀୟ ରାଜନୀତିକୁ ଗରମ କଲାଣି ।

 

Comments are closed.