Latest Odisha News

BREAKING NEWS

ଯେଉଁ ରାଜ୍ୟ ଜିତାଇଲା ସେଇଠି ଜନ୍ମଦିନ ପାଳିବେ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ତମ ଜନ୍ମଦିନ। ପ୍ରଥମ ଥର ପାଇଁ ସେ ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ, ଗୁଜରାଟ ଛାଡି ଜଗନ୍ନାଥଙ୍କ ମାଟିକୁ ଆସିବେ। ଆଉ ଏହି ଅବସରରେ ସେ ରାଜ୍ୟ ସରକାରର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।

ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନ ତାଙ୍କ ମାଙ୍କ ସହିତ ପାଳନ କରିବାରେ ନଜିର ରହିଛି। ହେଲେ ତାଙ୍କ ମାଙ୍କ ଅବର୍ତ୍ତମାନ ପରେ ସେ ସାରା ଦେଶକୁ ତାଙ୍କ ପରିବାର ବୋଲି କହିସାରିଛନ୍ତି। ଆଉ ତାଙ୍କ ମାଙ୍କ ପରଲୋକ ପରେ ମଧ୍ୟ ସେ ନିର୍ବାଚନ ଲଢି ବିଜୟ ହୋଇଛନ୍ତି। ଏବଂ ସେ ତାଙ୍କ ବିଜୟର ଶ୍ରେୟ ମହିଳାଙ୍କୁ ଦେଇଥିଲେ। ତାଙ୍କ ପାଇଁ ସାରା ଦେଶ ହେଉଛି ପରିବାର। ତେଣୁ ସେ ନିର୍ବାଚନ ବେଳେ ‘ମୋଦୀ କା ପରିବାର’ ନାରା ଦେଇଥିଲେ।

କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ନିଜର ପଦ ସୁରକ୍ଷିତ ରଖିଛନ୍ତି । ଏହି ବିଜୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ସାଂସଦ। କାରଣ ବିଭିନ୍ନ ରାଜ୍ୟରେ ଯେତେବେଳେ ବିଜେପି ନିରାଶ ହୋଇଛି ସେତେବେଳେ ଓଡ଼ିଶାବାସୀ କିନ୍ତୁ ସମର୍ଥନ କରିଛନ୍ତି।

ନିର୍ବାଚନ ବିଜୟ ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ହେଉ କିମ୍ବା ଅନ୍ତର୍ଜାତୀୟ ଗସ୍ତ ସମୟରେ ମୋଦୀ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଅନେକ ସମୟରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଠାକୁର ବୋଲି ସେ କହିଛନ୍ତି। ତେଣୁ ଏବେ ତୃତୀୟ ପାଳି ସରକାରରେ ଓଡ଼ିଶାର ଅବଦାନକୁ ମନେ ପକାଇବାକୁ ଯାଇ ସେ ‘ଜୟ ଜଗନ୍ନାଥ’ ନାରା ଦେଉଛନ୍ତି।

ମୋଦୀ ସରକାର ତୃତୀୟ ପାଳିରେ ୧୦୦ ଦିନ ପୂର୍ତି କରିସାରିଛି। ଅନେକ ପ୍ରତିଶ୍ରୁତି ମଧ୍ୟ ପାଳନ କରିସାରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ନିଜକୁ ଜଗନ୍ନାଥଙ୍କ ଭକ୍ତ ବୋଲି କହିବା ସହ ଭୋଟ୍ ଦେବାକୁ ନିବେଦନ କରିଥିଲେ। ଏବଂ ଭୋଟ୍ ମିଳି କ୍ଷମତାକୁ ଆସିଲେ ଘରେ ଥିବା ବୃଦ୍ଦ ବାପା, ମାଙ୍କ ଚିକିତ୍ସା ଖର୍ଚ୍ଚ ତାଙ୍କ ସରକାର ବୁଝିବ ବୋଲି କହିଥିଲେ। ଯାହାକି ନିକଟରେ ମୋଦୀ ସରକାର ଘୋଷଣା କରିସାରିଛନ୍ତି।

ସେହିପରି ଓଡ଼ିଶାରେ ତାଙ୍କ ଦଳ ବିଜୟୀ ହେଲେ ମହିଳା ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ଆରମ୍ଭ ହେବ ବୋଲି କହିଥିଲେ। ଏବେ ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି। ଏବଂ ମହିଳା ସଶକ୍ତୀକରଣ ଦିଗରେ ସୁଭଦ୍ରା ଯୋଜନା ଆରମ୍ଭ କରି ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ନିର୍ବାଚନ ପ୍ରଚାର ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଓଡ଼ିଶା ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯୋଜନାର ଶୁଭାରମ୍ଭ ସେପ୍ଟେମ୍ବର ୧୭ ବା ମୋଦୀଙ୍କ ଜନ୍ମଦିନ ତାରିଖକୁ ସ୍ଥିର କରିଛନ୍ତି ମୋହନ ସରକାର।

ଏହି ପଦକ୍ଷେପ ଅଧୀନରେ ସାରା ରାଜ୍ୟରେ ମହିଳାମାନଙ୍କୁ ସେମାନଙ୍କ ସୁରକ୍ଷା, ସ୍ୱାଧୀନତା ଏବଂ ଅର୍ଥନୈତିକ ଉନ୍ନତି ପାଇଁ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଏବଂ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା ହୋଇଛି। ମହିଳା ସଶକ୍ତୀକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ ଭାବେ ମୋଦିଙ୍କ ଜନ୍ମଦିନ ଅବସରରେ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ।

ସୁଭଦ୍ରା ଯୋଜନାକୁ ମହିଳାଙ୍କ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାକୁ ସମର୍ଥନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଯାହା ଏକ ପ୍ରଗତିଶୀଳ ଭାରତ ପାଇଁ ମୋଦୀଙ୍କ ବ୍ୟାପକ ଦୃଷ୍ଟିକୋଣର ମୁଖ୍ୟ ଉପାଦାନ। ଏହି ଯୋଜନା ଦ୍ୱାରା ହଜାର ହଜାର ମହିଳା ଉପକୃତ ହେବେ ଏବଂ ବିଜେପିର ମହିଳା ବିକାଶ ଦିଗରେ ଥିବା ବାର୍ତ୍ତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟା ୩୦ରେ ସେ ଓଡ଼ିଶାରେ ପହଁଚିବେ। ଆଉ ଏହାପରେ ସେ ଶୈଳଶ୍ରୀ ବିହାର ସ୍ଥିତ ଗାଡକଣାର ଏକ ବସ୍ତିକୁ ଯିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ସେ ତାଙ୍କ ଜନ୍ମଦିନ ପାଳନ କରିପାରନ୍ତି। ଏହାପରେ ପୂର୍ବ ନିର୍ଦ୍ଦାରିତ ସୂଚୀ ଅନୁଯାୟୀ ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।

Comments are closed.