Latest Odisha News

ପେଜର ବମ୍ : ମୋସାଦର ନୂଆ କୌଶଳ ?

ନୂଆଦିଲ୍ଲୀ: ଲେବାନନ ଓ ସିରିଆରେ ସିରିଆଲ୍ ପେଜର ବ୍ଲାଷ୍ଟ। ପ୍ରାୟ ଘଂଟାଏ ଧରି ହୋଇଥିଲା ପେଜର ବିସ୍ଫୋରଣ। ଏଥିରେ ଅନେକ ହୋଇଛନ୍ତି ମୃତାହତ । ସାଧାରଣ ନାଗରିକଙ୍କ ସମେତ ଇରାନ୍ ସମର୍ଥିତ ଇସ୍ରାଏଲ ବିରୋଧୀ ମିଲିସିଆ ହିଜବୋଲ୍ଲା କିଛି ସଦସ୍ୟ ନିହତ ହୋଇଥିବା ବେଳେ ଲେବାନନରେ ଇରାନ ରାଷ୍ଟ୍ରଦୂତ ପେଜର ବ୍ଲାଷ୍ଟରେ ଆହତ ହୋଇଛନ୍ତି । ସିରିଏଲ ପେଜର ବୋମା ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା କହିଛି ହିଜବୋଲ୍ଲା । ଶତ୍ରୁମାନଙ୍କୁ ମାରିବା ପାଇଁ ନୂଆ ନୂଆ ହାଇଟେକ୍ କୌଶଳ ପ୍ରୟୋଗରେ ସିଦ୍ଧହସ୍ତ ଇସ୍ରାଏଲ ଏବେ ପେଜର ବୋମାକୁ ଆୟୁଧ କରିଛି କି ବୋଲି ପ୍ରଶ୍ନ ହେଉଛି । ଇସ୍ରାଏଲ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନଥିଲେ ମଧ୍ୟ ଗୁଇନ୍ଦା ସଂସ୍ଥା ମୋସାଦ ଆଡକୁ ବିରୋଧୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ୱାଭାବିକ ।

ପେଜର୍ ବ୍ଲାଷ୍ଟ ପଛରେ ମୋସାଦ ଓ ତାଇୱାନ କମ୍ପାନୀ ?

ଲେବାନନ ଓ ସିରିଆରେ ବ୍ୟାପକ ପେଜର ବୋମା ବିସ୍ଫୋରଣ ପରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ଆଡକୁ ଅଙ୍ଗୁଳି ଉଠିଛି । ବିସ୍ଫୋରଣ ପଛରେ ଇସ୍ରାଏଲ ହାତ ରହିଛି ବୋଲି ହିଜବୋଲ୍ଲା କହିସାରିଛି । କୁହାଯାଉଛି ଯେ, ପାଂଚ ମାସ ଆଗରୁ ହିଁ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦ ପେଜରଗୁଡିକରେ ବିସ୍ଫୋରକ ଖଞ୍ଜିଥିଲା । ତାଇୱାନରେ ନିର୍ମିତ ହୋଇଥିଲା ପେଜର୍ । ତେଣୁ ବିସ୍ଫୋରଣ ପଛରେ ମୋସାଦ ସମେତ ତାଇୱାନ କମ୍ପାନୀର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ନ୍ୟୁୟର୍କ ଟାଇମସର ଏକ ରିପୋର୍ଟ ଅନୁସାରେ  ହିଜବୋଲ୍ଲା ବିରୋଧରେ ଗୁଇନ୍ଦା ଅପରେସନ ଅନ୍ତର୍ଗତ ମୋସାଦ ପେଜରରେ ବିସ୍ଫୋରକ ଫିଟ୍ କରିଥିଲା । ସୂଚନା ଅନୁସାରେ ତାଇୱାନର ଗୋଲ୍ଡ ଆପୋଲୋ ନାମକ କମ୍ପାନୀରୁ ୩ ହଜାର ପେଜର୍ ଅର୍ଡର୍ କରିଥିଲା ହିଜବୋଲ୍ଲା । ଲେବାନନରେ ପଂହଚିବା ପୂର୍ବରୁ ହିଁ ପେଜରଗୁଡିକରେ ବିସ୍ଫୋଟକ ଖଞ୍ଜି ଦିଆଯାଇଥିବା ସନ୍ଦେହ କରାଯାଉଛି । ଏ ବର୍ଷ ଏପ୍ରିଲରୁ ମେ’ ମାସ ମଧ୍ୟରେ ପେଜରଗୁଡିକ ତାଇୱାନରୁ ଲେବାନନ ପଂହଚିଥିଲା । ତେଣୁ ପେଜର୍ ବ୍ଲାଷ୍ଟ ପାଇଁ ଷଡଯନ୍ତ୍ର ବହୁ ଆଗରୁ ହୋଇଥିବା ଅନୁମାନ କରାଯାଉଛି । ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ଅନୁସାରେ ତାଇୱାନରୁ ଲେବାନନ ଯାଇଥିବା ପ୍ରତି ପେଜରରେ ଏକରୁ ଦୁଇ ଆଉନ୍ସ ବିସ୍ଫୋଟକ ଖଂଜା ହୋଇଥିଲା । ସ୍କାନର ଦ୍ୱାରା ଠାବ ନ ହୋଇପାରିବା ଭଳି ବିସ୍ଫୋରକ ପେଜରରେ ଖଞ୍ଜା ହୋଇଥିଲା ।

ତାଇୱାନ କମ୍ପାନୀର ଅସ୍ୱୀକାର

ପେଜର ବିସ୍ଫୋରଣ ପରେ ତାଇୱାନ କମ୍ପାନୀ ଦେଇଛି ସ୍ପଷ୍ଟୀକରଣ । ପେଜରଗୁଡିକ ନିର୍ମାଣ କରିନାହିଁ ବୋଲି ସଫେଇ ଦେଇଛି ଗୋଲ୍ଡ ଆପୋଲୋ କମ୍ପାନି । ବିସ୍ପୋରଣ ହୋଇଥିବା ପେଜରଗୁଡିକୁ ୟୁରୋପର ଏକ କଂପାନି ନିର୍ମାଣ କରିଥିଲା ବୋଲି ଗୋଲ୍ଡ ଆପୋଲୋ କମ୍ପାନି ପକ୍ଷରୁ କୁହାଯାଇଛି । ସେହି ୟୁରୋପୀୟ କମ୍ପାନୀକୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡ୍ ବ୍ୟବହାର କରିବାକୁ ଅଧିକାର ଦିଆଯାଇଥିବା କହିଛି ତାଇୱାନ କମ୍ପାନୀ ।

ପେଜର କ’ଣ ଓ କେଉଁ କାମରେ ଲାଗେ?

ପେଜର ଏମିତି ଏକ ଡିଭାଇସ, ଯାହା ସହାୟତାରେ ମେସେଜ ପଠାଇ ହୁଏ ଓ ରିସିଭ କରିହୁଏ । ମୋବାଇଲ ଫୋନ ପୂର୍ବରୁ ଲୋକପ୍ରିୟ ଥିଲା ପେଜର୍ । ୧୯୯୦ ଦଶକରେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ପେଜରର ବହୁଳ ବ୍ୟବହାର ଥିଲା । ବିଶେଷକରି ଡାକ୍ତର, ବ୍ୟବସାୟୀ ଓ ଜରୁରୀସେବାରେ ଥିବା ପେଷାଦାରମାନେ ପେଜର ବ୍ୟବହାର କରୁଥିଲେ । ପେଜରର ସିକ୍ୟୁରିଟି ସିଷ୍ଟମ ସେତେ ମଜବୁତ ନୁହେଁ କି ଇନକ୍ରିପଟେଡ୍ ନୁହେଁ । ତେଣୁ ପେଜର ଡାଟା ହ୍ୟାକ୍ କରିବା ସହଜ । ଲେବାନନରେ ବିସ୍ଫୋରଣ ଯୋଗୁଁ ଏବେ ପେଜର ପୁଣି ଚର୍ଚ୍ଚାକୁ ଆସିଛି ।

Comments are closed.