Latest Odisha News

କ୍ୱାଡ୍ ମଂଚରୁ ଚୀନକୁ ମୋଦିଙ୍କ କଡା ସନ୍ଦେଶ

ନୂଆଦିଲ୍ଲୀ: ଆମେରିକାରେ ଆୟୋଜିତ କ୍ୱାଡ୍ ବୈଠକରେ ଚୀନ୍‌ର ବିସ୍ତାରବାଦୀ ନୀତିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନ ନେଇ ଚୀନକୁ ଦେଇଛନ୍ତି ଦୃଢ ସନ୍ଦେଶ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ହୋମ ଟାଉନ ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଭାରତର ଆଭିମୁଖ୍ୟ । କ୍ୱାଡ୍ ଦେଶ ସମୂହର ନେତା ଆଇନ କାନୁନ ଉପରେ ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ଓ ସାର୍ବଭୌମତ୍ୱକୁ ସମ୍ମାନ କରନ୍ତି । ଦୁନିଆରେ ବର୍ତ୍ତମାନ ସଂଘର୍ଷ ଚାଲିଛି । କ୍ୱାଡ୍ ସବୁ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଂଗଠନ କୌଣସି ଦେଶକୁ ବିରୋଧ କରେ ନାହିଁ ବୋଲି କହିଛନ୍ତି ମୋଦି । ସ୍ୱତନ୍ତ୍ର, ସମୃଦ୍ଧ ଓ ସମାବେଶୀ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଂଚଳ କ୍ୱାଡ୍‌ର ପ୍ରାଥମିକତା । ହିନ୍ଦ୍ ଓ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଚୀନର ବିସ୍ତାରବାଦୀ ନୀତି ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଅଂଚଳରେ ପ୍ରାଧାନ୍ୟ ବିସ୍ତାର କରିବାକୁ ବେଜିଂ ପ୍ରୟାସରତ । ଏ ଦୃଷ୍ଟିରୁ ନିୟମ ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ସପକ୍ଷରେ କ୍ୱାଡ୍ ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନ ଚୀନ୍ ପ୍ରତି କଡା ସନ୍ଦେଶ ବୋଲି ମନେ କରାଯାଉଛି ।

ଭାରତକୁ ପ୍ରଶଂସାରେ ପୋତି ପକାଇଲେ

କ୍ୱାଡ୍ ସମ୍ମିଳନୀରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଭାରତକୁ ପ୍ରଶଂସା କରିଛନ୍ତି । ଭାରତ ମହାସାଗରରେ ସକ୍ରିୟ ରହିଛି ଭାରତୀୟ ନୌସେନା । ହୁତି ବିଦ୍ରୋହୀ ଓ ଜଳଦସ୍ୟୁଙ୍କଠାରୁ ଜାହାଜ ମୁକ୍ତ କରି ଭାରତ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଥିସହ ଭାରତ ମହାସାଗରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଭାରତର ଉଦ୍ୟମକୁ କ୍ୱାଡ୍ ନେତାମାନେ ପ୍ରଶଂସା କରିଛନ୍ତି । ହିନ୍ଦ୍ ମହାସାଗର ଅଂଚଳରେ ଭାରତର ଭୂମିକାକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି କ୍ୱାଡ୍ ନେତା । ଭଏସ ଅଫ୍ ଗ୍ଲୋବାଲ ସାଉଥ୍ ସମିଟ୍ ଆୟୋନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ହିନ୍ଦ୍ ମହାସାଗର କ୍ଷେତ୍ରରେ ଭାରତର ଅଭିଜ୍ଞତା ଓ ନେତୃତ୍ୱରୁ ସେ ବହୁତ କିଛି ଶିଖିଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ମିଳନୀରେ କହିଛନ୍ତି ।
ମିଳିତ ବିବୃତିରେ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର

ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ କ୍ୱାଡ୍ ନେତାଙ୍କ ମଧ୍ୟରେ ପ୍ରକାଶ ପାଇଛି ସହମତି । ପରିଷଦରେ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି ଉପରେ ଜୋର୍ ଦିଆଯାଇଛି । ଏ ନେଇ ମିଳିତ ବିବୃତି ଜାରି କରାଯାଇଛି । ଆତଙ୍କବାଦର ମିଳିତ ମୁକାବିଲା ଓ ସାମୁଦ୍ରିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି କ୍ୱାଡ୍ ଦେଶ ସମୂହ ।
କ୍ୱାଡ୍ କ’ଣ ? ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?

କ୍ୱାଡ୍ କ’ଣ ? ଭାରତ ପାଇଁ କାହିଁକି ଏହି ସଂଗଠନ ଗୁରୁତ୍ୱ ରଖେ ? ଚାରି ଦେଶର ଏକ ଗୋଷ୍ଠୀ ହେଉଛି କ୍ୱାଡ୍ । ଏଥିରେ ଅଷ୍ଟ୍ରେଲିଆ, ଭାରତ, ଆମେରିକା ଓ ଜାପାନ ସଦସ୍ୟ ଅଛନ୍ତି । କ୍ୱାଡ୍ ଗ୍ରୁପ୍ ୨୦୦୭ରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୦୮ରେ ଅଷ୍ର୍ଟ୍ରେଲିଆ ଓହରିଯିବାରୁ ଗ୍ରୁପ୍ ବନ୍ଦ ହୋଇଯାଇଥିଲା । କ୍ୱାଡ୍ ଦେଶଗୁଡିକ ସହ ଚୀନର ସଂପର୍କ ଭଲ ଥିବାରୁ ଅଚଳ ହୋଇଯାଇଥିଲା କ୍ୱାଡ୍ । ହେଲେ ୨୦୧୭ରେ ସ୍ଥିତି ଥିଲା ଅଲଗା । ଚୀନ୍ ସହ କ୍ୱାଡ୍ ଦେଶର ସଂପର୍କରେ ଆସିଥିଲା ତିକ୍ତତା । ତେଣୁ ଚୀନ୍‌ର ପ୍ରଭାବକୁ ପ୍ରତିହତ କରିବା ପାଇଁ ପୁଣି କ୍ୱାଡ୍‌ର ଆବଶ୍ୟକ ପଡିଲା । ଚୀନର ବଢି ଚାଲିଥିବା ଆର୍ଥିକ ଓ ସାମରିକ ପ୍ରତି କ୍ୱାଡ୍ ଏକ ସାମୂହିକ ପ୍ରତିକ୍ରିୟା । ତେଣୁ ଭାରତ ପାଇଁ କ୍ୱାଡ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । କ୍ୱାଡ୍ ସମିଟ୍ ଭାରତର ଆର୍ଥିକ ଓ ସାମରିକ ସାମର୍ଥ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହେଉଛି । ଚୀନ୍ କୁ ଚେକ୍ ଦେବା ପାଇଁ କ୍ୱାଡ୍ ଭାରତ ଲାଗି ଅତି ଜରୁରୀ ମନେ ହେଉଛି ।

 

Leave A Reply

Your email address will not be published.