Latest Odisha News

ଟିପିଏସଓଡିଏଲର ଏଚଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁରର ଆମ୍ବଗଡ଼ ଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ୍ ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚ୍ଓଟିଟି) ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ୍ ଉଦଘାଟିତ ହୋଇଛି । କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ମିଟରର ସଠିକ୍ ଉପଯୋଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାକୁ ଉଦଘାଟନ କରାଯାଇଛି । ଟିପିଏସ୍ଓଡିଏଲର ବୋର୍ଡ ନିର୍ଦ୍ଦେଶକ ଡ. ଅରୁଣ କୁମାର ପଣ୍ଡା ଓ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଉଭୟ ପଦକ୍ଷେପ ଦକ୍ଷିଣ ଓଡ଼ିଶାରେ ଅପରେସନାଲ ଉତ୍କର୍ଷତା ଏବଂ ସୁରକ୍ଷା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଟିପିଏସ୍ଓଡିଏଲର ବୈଷୟିକ କର୍ମଚାରୀମାନଙ୍କୁ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା କମ୍ପାନୀର “ମିଶନ ଜିରୋ ହାର୍ମ” ଭିଜନକୁ ସୁଦୃଢ଼ କରିବ । ହ୍ୟାଣ୍ଡସ୍ ଅନ୍ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇ, ଏହି କେନ୍ଦ୍ର ମାଧ୍ୟମରେ ପାଠ୍ୟପୁସ୍ତକ ଜ୍ଞାନକୁ ବ୍ୟାବହାରିକ ପ୍ରୟୋଗ ସହିତ ଯୋଡ଼ିବା ନେଇ ଲକ୍ଷ୍ୟ ରହିଛି । ଏହା କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ପ୍ରଭାବଶାଳୀ ଢଙ୍ଗରେ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରେ ।

ଶକ୍ତି ବିତରଣ କ୍ଷେତ୍ରରେ ବାସ୍ତବ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି କେନ୍ଦ୍ରକୁ ଡିଜାଇନ୍ କରାଯାଇଛି, ଯେଉଁଥିରେ ଶ୍ରେଣୀଗୃହଭିତ୍ତିକ ଶିକ୍ଷାଠାରୁ ଆରମ୍ଭ କରି ଅଭ୍ୟାସ ୟାର୍ଡ ମଧ୍ୟ ରହିଛି। ଏଠାରେ  କର୍ମଚାରୀମାନେ ଲୋ ଟେନସନ୍ (ଏଲଟି) ଏବଂ ହାଇ ଟେନସନ୍ (ଏଚଟି) ନେଟୱାର୍କର କାମ ଶିଖିପାରିବେ । ଏହା ଦ୍ୱାରା କର୍ମଚାରୀମାନେ ବିଦ୍ୟୁତ ବିତରଣ କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣ ସମ୍ପର୍କରେ ଅଭିଜ୍ଞତା ହାସଲ କରିପାରିବେ ।

ପୂର୍ବରୁ କମ୍ପାନୀର ୧୬ଟି ଟିପିଏସ୍ଓଡିଏଲ୍ ସେଫ୍ଟି ଆଣ୍ଡ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିଏସଏସଡିଆଇ) ପ୍ରଶିକ୍ଷଣ କେନ୍ଦ୍ର ରହିଛି, ଯେଉଁଠାରେ ଇଣ୍ଡକ୍ସନ ଏବଂ ଅନ୍ୟାନ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ସମ୍ପୃକ୍ତ ପ୍ରଶିକ୍ଷଣ କେନ୍ଦ୍ରର ଆଖପାଖ ଅଞ୍ଚଳରୁ ପ୍ରଶିକ୍ଷକମାନଙ୍କୁ ସାମିଲ କରାଯାଏ।

ଏହା ବ୍ୟତୀତ ନବନିର୍ମିତ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ୍ ବିଦ୍ୟୁତ୍ ମିଟରର ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ କରାଯାଇଛି। ଏହି ପରୀକ୍ଷାଗାରରେ ମିଟରର ବ୍ୟାପକ ପରୀକ୍ଷଣ କରାଯାଇ ବିଭିନ୍ନ ପ୍ରକାର ଟ୍ୟାମ୍ପେରିଂ ପଦ୍ଧତିକୁ ପ୍ରତିରୋଧ କରାଯାଇଥାଏ । ପରୀକ୍ଷଣ ଶେଷ ହେବା ପରେ ଏହି ମିଟରଗୁଡ଼ିକୁ ଦକ୍ଷିଣ ଓଡ଼ିଶା ସାରା ସ୍ଥାପନ କରାଯିବ, ଯାହା ଦ୍ୱାରା ସଠିକ ବିଲିଂ ସୁନିଶ୍ଚିତ ହେବ ଏବଂ ଜାଲିଆତି କାର୍ଯ୍ୟକଳାପକୁ ରୋକାଯାଇପାରିବ । ଏହି କେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ମିଟରର ମରାମତି ଏବଂ ପୁନଃ ସାର୍ଟିଫିକେସନ୍ ବ୍ୟବସ୍ଥା ମଧ୍ୟ ରହିଛି। ଏହା ମାଧ୍ୟମରେ ଉପଭୋକ୍ତାଙ୍କଠାରେ ଘଟୁଥିବା ମିଟର ଟ୍ୟାମ୍ପରିଂକୁ  ଚିହ୍ନଟ କରାଯାଇପାରିବ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପଦକ୍ଷେପ ଉଭୟ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାରେ ନିରନ୍ତର ଉନ୍ନତି ଦିଗରେ ଆମର ସମର୍ପିତ ମନୋଭାବକୁ ପ୍ରତିଫଳିତ କରେ । ବ୍ୟାବହାରିକ ଦକ୍ଷତା ପ୍ରଦାନ କରି କର୍ମଚାରୀଙ୍କୁ ସଶକ୍ତ କରିବା ସହ ମିଟରିଂ ବ୍ୟବସ୍ଥାର ଅଖଣ୍ଡତା ସୁନିଶ୍ଚିତ କରି ଆମେ ଦକ୍ଷିଣ ଓଡ଼ିଶାରେ ଉତ୍କର୍ଷତାର ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛୁ।”

Leave A Reply

Your email address will not be published.