Latest Odisha News

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା l ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ l ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ l ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା l ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା l

ସୂଚନା ଅନୁସାରେ, ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ l ଏହାପରେ ସାଲେପୁର କୋର୍ଟଙ୍କ ପୁନଃ ତଦନ୍ତ ନିର୍ଦ୍ଦେଶ ପରେ ପୋଲିସ ନାଁ ଯୋଡ଼ିଥିଲା l ତଳକୋର୍ଟରେ ତାଙ୍କ ନାଁ ଯୋଡ଼ାଯିବା ପରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା l ଆଜି ତଳକୋର୍ଟ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ l

ସେପଟେ ହାଇକୋର୍ଟଙ୍କ ରାୟ ପରେ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା l ସତ୍ୟର ସବୁବେଳେ ଜୟହୁଏ l ଯେଉଁଠାରେ ଠାକୁର ଶ୍ରୀଜଗନ୍ନାଥ ଅଛନ୍ତି, ସେଠାରେ ଅନ୍ୟାୟ କେବେ ବି ଟିକିପାରିବ ନାହିଁ ବୋଲି ଲେଖିଛନ୍ତି ପ୍ରତାପ l

ସୂଚନାଯୋଗ୍ୟ, ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଉକ୍ତ ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ସାଲେପୁର ଏଡିଜେ କୋର୍ଟ। ଏହି ମାମଲାରେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା l ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯେଉଁ ୧୩ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା, ସେଥିରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କ ନାଁ ରହିଥିଲା । ଏହି ଘଟଣାରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଚାର୍ଜସିଟରୁ ନାଁ ହଟାଇବା ଲାଗି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Leave A Reply

Your email address will not be published.