ଯାଜପୁର: ମା ମହାମାୟା ବିଭିନ୍ନ ନାମର ଓ ରୂପରେ ଆର୍ଯ୍ୟବର୍ତ୍ତର କୋଣେ ଅନୁକୋଣେ ବିରାଜିତା । ଭାରତର ପ୍ରମୁଖ ଶକ୍ତି କ୍ଷେତ୍ର ମଧ୍ୟରେ ବିରଜା କ୍ଷେତ୍ର ପ୍ରମୁଖ । ଏହିଠାରେ ଦେବୀ ସତୀଙ୍କ ନାଭି ଅଂଶ ପଡିଥିବା ପୁରାଣରେ ବର୍ଣ୍ଣିତ । ଏଣୁ ଏହି ପୀଠର ନାମ ନାଭିଗୟା । ବିଶ୍ବାସ କରାଯାଏ ଏଠାରେ ଏକ ଗୁପ୍ତ ସୃଢ଼ଙ୍ଗ ରହିଛି । ଏକାଧାରରେ ଏହି ପୀଠ ଏକ ଧର୍ମପୀଠ, ଯଜ୍ଞପୀଠ, ପିଣ୍ଡ ପୀଠ, ଶକ୍ତିପୀଠ ଭାବରେ ଜଗତରେ ପ୍ରସିଦ୍ଧ । ଆଜି ପବିତ୍ର ମହାଳୟା ଅବସରରେ ନାଭିଗୟାରେ ପିଣ୍ଡ ଦାନ କରିବାକୁ ଲାଗିଛି ପ୍ରବଳ ଗହଳି । ହଜାର ହଜାର ଭକ୍ତଙ୍କ ସମାଗମରେ ପୁରି ଉଠିଛି ମା’ ବିରଜା କ୍ଷେତ୍ର ।
ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ରହିଥାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀଙ୍କ ମୁକୁଟରେ ଗଣେଷ, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ମା’ଙ୍କ ଆର୍ବିଭାବଠାରୁ ଆରମ୍ଭ କରି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପରମ୍ପରା ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନା । ପୁରାଣ ଅନୁଯାୟୀ ବ୍ରହ୍ମା ଯେତେବେଳେ ପାପରୁ ମୁକ୍ତି ହେବା ପାଇଁ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଯଜ୍ଞ କରୁଥିଲେ ସେତେବେଳେ ମା’ ସେହି ଯଜ୍ଞ କୁଣ୍ଡରୁ ଆର୍ବିଭୃତ ହୋଇ ନିଜକୁ ମା’ ବିରଜା ବୋଲି ପରିଚୟ ଦେଇଥିଲେ ।
ବାମନ ପୁରାଣ ଅନୁସାରେ ବ୍ରହ୍ମା ପାଞ୍ଚଗୋଟି ସ୍ଥାନରେ ଅଶ୍ୱମେଧ ଯଜ୍ଞ କରିଥିଲେ । ସେଥିମଧ୍ୟରୁ ଉତ୍ତର ବେଦୀ କୁରୁକ୍ଷେତ୍ର(ହରିୟାଣା), ପଶ୍ଚିମ ବେଦୀ ପୁଷ୍କର(ରାଜସ୍ଥାନ), ଦକ୍ଷିଣ ବେଦୀ ବିରଜା ମଣ୍ଡଳ(ଉତ୍କଳସ୍ଥ), ପୁର୍ବ ବେଦୀ ଗୟା(ବିହାର), ମଧ୍ୟ ବା ଅନ୍ତରବେଦୀ ପ୍ରୟାଗ (ଆଲ୍ଲାବାଦ)ଠାରେ ଅବସ୍ଥିତ । ଆହୁରି ମଧ୍ୟ ବାୟୁ ପୁରାଣ ଅନୁସାରେ ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତାହାର ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଏବଂ ପାଦ ଆନ୍ଧ୍ର ପ୍ରଦେଶର ପିଠାପୁରମ୍ ସ୍ଥାନରେ ପଡ଼ିଥିଲା । ଏବେ ବିରଜା ମନ୍ଦିର ପରିସର ମଧ୍ୟରେ ନାଭି ଗୟା କୂପ ଅଛି, ଯେଉଁଠାରେ ଲୋକମାନେ ସେମାନଙ୍କ ଦିବଙ୍ଗତ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପିଣ୍ଡ ଦାନ କରିଥାନ୍ତି । ବିଶ୍ୱାସ ରହିଛି ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ଏହି ନାଭିଗୟା ତଳେ ରହିଛି ଗୁପ୍ତ ଗଂଗା । ଯାହାକି କେବେ ପୂର୍ଣ୍ଣ ହୋଇନଥାଏ ।
Comments are closed.