Latest Odisha News

BREAKING NEWS

ନବରାତ୍ରୀ ୨୦୨୪: ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ ମା’

ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ୯ ଦିନ ଧରି ପୂଜା ଉପାସନା କରିବେ । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ ।

ଆଦିଶକ୍ତିଙ୍କ ପ୍ରଥମ ସ୍ୱରୁପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ ହୁଏ । ପ୍ରଥମ ଦିନ ମାତାଙ୍କ ପ୍ରଥମ ସ୍ୱରୂପ ହେଉଛି ଶୈଳପୁତ୍ରୀ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ । ମାଙ୍କୁ ଉପାସନା କଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ । ମାଙ୍କୁ ପୂଜା କରିବା ବେଳେ କମଳା ରଙ୍ଗ ପିନ୍ଧିବା ଦ୍ୱାରା କରୁଣା ଲାଭ ହୁଏ । ପର୍ବତକୁ ଶୈଳ କୁହାଯାଏ ଓ ପର୍ବତରାଜା ହିମାଳୟଙ୍କ କନ୍ୟା ରୂପରେ ଜନ୍ମ ନେଇଥିବାରୁ ମାଆଙ୍କର ନାମ ଶୈଳପୁତ୍ରୀ ଅଟେ । ଆଉ ଏହି ରୂପରେ ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମାତା । ଏହିରୂପରେ ପୂଜା କରିବା ଦ୍ୱାରା ମା ଆମକୁ ସହିବାର ଶକ୍ତି ଦେଇଥାନ୍ତି । ମାତା ଶୈଳପୁତ୍ରୀଙ୍କ ଅନ୍ୟ ନାମ ମଧ୍ୟ ପାର୍ବତୀ ଅଟେ । ମାତା ସତୀ ଭାବେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଏହି ଦିନ ଭକ୍ତ ଓ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରନ୍ତି ।

ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭବବାନ ଶିବଙ୍କ ସହ ହୋଇଥିଲା । ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରାଯାଇନଥିଲେ । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହୋଇ ଶୈଳପୁତ୍ରୀ ନାମରେ ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ ।

 

Leave A Reply

Your email address will not be published.