Latest Odisha News

BREAKING NEWS

ବାହାରିନରେ ‘ବିକାସ୍‌’ର ମହୋତ୍ସବ, ଚମକିଲା ଓଡିଶା କଳା, ସଂସ୍କୃତି ଓ ପରମ୍ପରା

ବାହାରିନ୍‌: ବାହାରିନରେ ଚମକିଲା ଓଡିଶା । ମାନାମାରେ ବାହାରିନ ଇଣ୍ଡିଆନ କଲଚର ଆଣ୍ଡ ଆର୍ଟ ସର୍ଭିସେସ୍ (ବିକାସ୍‌) ପକ୍ଷରୁ ଏକ ବିରାଟ ମହୋତ୍ସବର ଆୟୋଜନ କରାଯାଇଛି । ଉଦ୍ଦେଶ୍ୟ ଥିଲା ଭାରତୀୟ କଳା ସଂସ୍କୃତିର ପ୍ରଚାର ପ୍ରସାର । ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିକାସ୍‌ର ନିମନ୍ତ୍ରଣ ଅନୁସାରେ ପ୍ରାୟ ୨୯ଟି ଭାରତୀୟ ସଂଗଠନ ଏହି ମହୋତ୍ସବରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବାହାରିନରେ ଅବସ୍ଥିତ ବାହାରିନ ଓଡିଆ ସମାଜ ପକ୍ଷରୁ ଆମ ଓଡିଆ ସଂସ୍କୃତି, ପରମ୍ପରା ଓ କଳାର ପ୍ରଦର୍ଶନ କରାଯାଇଥିଲା । କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ ବରଂ ଓଡିଶାର ସ୍ୱତନ୍ତ୍ର ଷ୍ଟଲକୁ ପ୍ରତିନିଧିତ୍ୱ କରିବା ସହ ମୁରୁଜ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଓଡିଆ ପ୍ରତିଯୋଗୀ ଅଧିକ ସୁନ୍ଦର ମୁରୂଜ ଆଙ୍କି ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଇପାରିଥିଲେ । ୨୦ଟି ଟିମରୁ ଦ୍ୱିତୀୟ ସ୍ଥାନ ଅଧିକାର କରି ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ପ୍ରଦୀପ ସିଂହ ରାଜପୁରୋହିତଙ୍କଠାରୁ ପୁରସ୍କୃତ ହୋଇଛନ୍ତି ।

ବେଶି ଆକର୍ଷିତ କରିଥିଲା ବାହାରିନ ଓଡିଆ ସମାଜ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ଲୋକନୃତ୍ୟ । ସାଗରିକା ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଖୁବ୍ ସୁନ୍ଦର ପରିବେଶଣ କରିଥିଲେ ସମସ୍ତେ । ଏହି ମହୋତ୍ସବରେ ଓଡିଆ ସମାଜର ସମସ୍ତଲୋକ ଏକାଠି ହୋଇ ଆନନ୍ଦ ନେବା ସହ ପ୍ରତିଯୋଗୀଙ୍କ ମନୋବଳ ବଢାଇଥିଲେ । ଏହାବ୍ୟତୀତ ସୁନ୍ଦର ଷ୍ଟଲ ମଧ୍ୟ ଖୋଲିଥିଲେ । ଏଥିରେ ଓଡିଶାର ବିଭିନ୍ନ ହସ୍ତଶିଳ୍ପ, ଆଦିବାସୀ ଉତ୍ପାଦ, ପାରମ୍ପରିକ ବସ୍ତ୍ର ଓ ହସ୍ତତନ୍ତର ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଦୂତାବାସର କାର୍ଯ୍ୟକର୍ତ୍ତା, ଅତିଥି ଓ ଅନେକ ଅଣଓଡିଆ ଏସବୁ ହସ୍ତଶିଳ୍ପ ଦେଖିବାରେ ଆଗ୍ରହ ପ୍ରକାଶ କରିଥିଲେ । ଯାହା ବିଶ୍ୱ ଦରବାରରେ ଆମ ଓଡିଶାର ଗର୍ବ ଓ ଗୌରବକୁ ଦ୍ୱିଗୁଣିତ କରିଛି । ବିଦେଶ ମାଟିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର ପାଇଁ ଏହା ସହାୟକ ହେବ ବୋଲି ଆଶା ସଂଚାର ହୋଇଛି । ବାହାରିନରେ ଗତ ୨୦ ବର୍ଷ ଧରି ବାହାରିନ ଓଡିଆ ସମାଜ ଓଡିଆର ସମୃଦ୍ଧ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ହସ୍ତତନ୍ତର ପ୍ରଚାର ପ୍ରସାର କରିଆସୁଛନ୍ତି ।

Leave A Reply

Your email address will not be published.