Latest Odisha News

BREAKING NEWS

ଯୁଦ୍ଧର ସାଇଡ୍ ଇଫେକ୍ଟସ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂକଟ ଘନେଇବାରେ ଲାଗିଛି । ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଂକଟ ହୋଇଛି ଘନୀଭୂତ । ଇସ୍ରାଏଲ ଜବାବୀ ଆକ୍ରମଣ କରିବା ନେଇ ଅନୁମାନ କରାଯାଉଛି । ମଧ୍ୟପ୍ରାଚ୍ୟରେ ବ୍ୟାପକ ଯୁଦ୍ଧ ହେଲେ ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ । ଭାରତ ମଧ୍ୟ ଏଥିରୁ ବାଦ୍ ପଡିବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଯୁଦ୍ଧ ହେଲେ ତେଲ ଦର ବଢିବ, ତେଲ ବଢିଲେ ସବୁ ବଢିବ

ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ସଂକଟ ଯଦି ଆଗକୁ ବଢି ଯୁଦ୍ଧର ରୂପ ନିଏ, ତାହା ହେଲେ ଏହାର ପାଶ୍ୱର୍ ପ୍ରଭାବ ବିଶ୍ୱ ଉପରେ ପଡିବ । ଭାରତର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି । ଅନେକ ସାମଗ୍ରୀ ମହଙ୍ଗା ହୋଇପାରେ । ଅଶୋଧିତ ତୈଳ ଉତ୍ପାଦନ କ୍ଷେତ୍ରରେ ଇରାନ ବିଶ୍ୱର ଏକ ଅଗ୍ରଣୀ ଦେଶ । ଇସ୍ରାଏଲ ସହ ଇରାନର ଯୁଦ୍ଧ ହେଲେ ଆନ୍ତର୍ଜାତିକ ତୈଳ ଉତ୍ପାଦନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବ । ଅଶୋଧିତ ତେଲ ଦର ବଢିବ । ଆଉ ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ ଓ ପେଟ୍ରୋଲିୟମ ଜାତ ସାମଗ୍ରୀ ମହଙ୍ଗା ହେବ । ଭାରତ ଏଥିଯୋଗୁଁ ବିଶେଷ ଭାବେ ପ୍ରଭାବିତ ହେବ । ଅଶୋଧିତ ତେଲ ଦର ବଢିଲେ ଭାରତରେ ଅନ୍ୟ ସାମଗ୍ରୀ ବି ମହଙ୍ଗା ହୋଇଯିବ । ଯୁଦ୍ଧ ହେଲେ ଇରାନର ପ୍ରାକୃତିକ ଗ୍ୟାସ ରପ୍ତାନୀ କ୍ଷମତା ପ୍ରଭାବିତ ହେବ । ଭାରତ ସମେତ ବିଭିନ୍ନ ଦେଶରେ ଶକ୍ତି ସଂକଟ ଦେଖାଯିବ । ଭାରତରେ ପ୍ରାକୃତିକ ଗ୍ୟାସର ଦର ବୃଦ୍ଧି ପାଇବ । ଏହାର ସିଧାସଳଖ ପ୍ରଭାବ ଘରୋଇ ଗ୍ୟାସ ସିଲିଣ୍ଡର ଓ ବିଜୁଳି ଉତ୍ପାଦନ ଉପରେ ପଡିବ ।

ପ୍ରଭାବିତ ହେବ ଅଳଙ୍କାର ଶିଳ୍ପ

ଯୁଦ୍ଧ ଭଳି ବୈଶ୍ୱିକ ଅସ୍ଥିରତା ବେଳେ ନିବେଶକମାନେ ସୁରକ୍ଷିତ ନିବେଶ ପାଇଁ ସୁନା ଓ ରୁପା ଉପରେ ନିର୍ଭର କରିଥାଆନ୍ତି । ଯୁଦ୍ଧ ହେଲେ ସୁନା ଓ ରୁପା ଦର ବଢିଯିବ । ଭାରତରେ ସୁନା ଦର ଏବେ ତ ମହଙ୍ଗା ଅଛି । ଆହୁରି ଯଦି ଦର ବଢେ, ତାହା ହେଲେ ଅଳଙ୍କାର ଶିଳ୍ପ ଓ ସାଧାରଣ ଉପଭୋକ୍ତା ଅଧିକ ପ୍ରଭାବିତ ହେବେ ।

ଯୁଦ୍ଧ ହେଲେ ସିପିଂ ରୁଟ୍ ଉପରେ ପଡିବ ପ୍ରଭାବ

ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷର ପ୍ରଭାବ ଗ୍ଲୋବାଲ ସିପିଂ ରୁଟ୍ ଉପରେ ବି ପଡିବା ଆଶଙ୍କା ରହିଛି । ବିଶେଷକରି ଇରାନ ନିୟନ୍ତ୍ରିତ ହର୍ମୁଜ୍ ସିପିଂ ରୁଟ୍ ପ୍ରଭାବିତ ହୋଇପାରେ । ଏହି ସିପିିଂ ରୁଟ୍ ଦେଇ ଖାଦ୍ୟ ଓ କୃଷି ସାମଗ୍ରୀ କାରବାର ହୋଇଥାଏ । ଯଦି ଏହି ରୁଟରେ ସିପିଂ ବାଧାପ୍ରାପ୍ତ ହୁଏ, ତାହା ହେଲେ ଗ୍ଲୋବାଲ ସପ୍ଲାଏ ଚେନ୍ ପ୍ରଭାବିତ ହେବ । ଏଥିଯୋଗୁଁ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବ । ଭାରତରେ ବି ଏହାର ପ୍ରଭାବ ଅନୁଭୂତ ହୋଇପାରେ ।

ଇସ୍ରାଏଲ ଓ ଇରାନରୁ ବିଭିନ୍ନ ସାମଗ୍ରୀ ଆମଦାନୀ କରେ ଭାରତ

ଭାରତ ଉଭୟ ଇସ୍ରାଏଲ ଓ ଇରାନରୁ ବିଭିନ୍ନ ସାମଗ୍ରୀ ଆମଦାନୀ କରିଥାଏ । ଇରାନରୁ ଅଶୋଧିତ ତୈଳ, ସାର, ରସାୟନ, ଡ୍ରାଏ ଫ୍ରୁଟ୍‌, ପ୍ରାକୃତିକ ଗ୍ୟାସ, ପେଟ୍ରୋକେମିକାଲ୍ସ ଅଧିକ ମାତ୍ରାରେ ଇରାନରୁ ଆମଦାନୀ କରିଥାଏ ଭାରତ । ଇସ୍ରାଏଲରୁ ପ୍ରତିରକ୍ଷା ଉପକରଣ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତି, ରସାୟନ ଓ ସାର, ହୀରା, ଇଲେକ୍ଟ୍ରୋନିକ୍ସ ଏବଂ ମେଡିକାଲ ଏବଂ ହେଲଥକେୟାର ଉତ୍ପାଦ ଆମଦାନୀ କରିଥାଏ ଭାରତ । ଇରାନ ଓ ଇସ୍ରାଏଲ ସହ ଭାରତର ବାଣିଜ୍ୟିକ ସଂପର୍କ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ଯୁଦ୍ଧ ହେଲେ ଭାରତର ଅର୍ଥନୀତି ବି ବେଶ୍ ପ୍ରଭାବିତ ହେବ । ସାଧାରଣ ଲୋକେ ହଇରାଣ ହରକତ ହେବ ।

Leave A Reply

Your email address will not be published.