Latest Odisha News

BREAKING NEWS

ପୂର୍ବ ସରକାରର ଗୋହି ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାରର ମିଡିଆ ବିରୋଧୀ ମନୋଭାବର ଗୋହି ଖୋଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ବାର୍ଷିକୋତ୍ସବରେ ଯୋଗ ଦେଇ ପୂର୍ବ ସରକାରଙ୍କ ବଡ଼ ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ l ପୂର୍ବ ସରକାରରେ କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ୍‌ ହୋଇଥିଲା l ସେମାନେ ସରକାରଙ୍କ ହିଜ୍‌ ମାଷ୍ଟର୍ସ ଭଏସ୍‌ ହେବାକୁ ମନା କରିବାରୁ ଏମିତି କରିଥିଲେ l ଏବେ କିନ୍ତୁ ସମୟ ବଦଳିଛି, ଲୋକଙ୍କ ସରକାର କ୍ଷମତାକୁ ଆସିଛି l ଏଠି ମିଡିଆକୁ ଧମକ ନାହିଁ କି, କଣ୍ଠରୋଧ କରିବାର ନାହିଁ ବୋଲି କହିଛନ୍ତି ମୋହନ l

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସତ୍ୟକୁ ଲୋକଲୋଚନକୁ ଆଣିବା ପ୍ରତ୍ୟେକ ଗଣମାଧ୍ୟମର ନୀତି ହେବା ଉଚିତ୍। ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ ଚିତ୍ରଣ କରିବା ଗଣମାଧ୍ୟମର ଲକ୍ଷ୍ୟ ହେବା ଆବଶ୍ୟକ । ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମମାନେ ସଠିକ୍‌ ଭାବେ ତୁଲାଇ ପାରିଥାନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ସେ କହିଥିଲେ।

ଗତ କିଛି ବର୍ଷ ମଧ୍ୟରେ ସମ୍ବାଦ ପରିବେଷଣ ଏକ ବ୍ୟବସାୟ ହୋଇଯାଇଛି l ସେହିପରି ଖବରକାଗଜ ଏକ କମୋଡିଟି ଏବଂ ସମ୍ବାଦିକତା ଏକ ବୃତ୍ତି ହୋଇଯାଇଛି l ଏହି ବ୍ୟବସାୟ ମଡେଲକୁ ସଫଳ କରିବା ପାଇଁ ସରକାରଙ୍କ ପୃଷ୍ଠପୋଷକତା ଅର୍ଥାତ ବିଜ୍ଞାପନ ଆବଶ୍ୟକ। ଯଦି ଆପଣ ମାତ୍ରାଧିକଭାବେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଅନୁଗ୍ରହ ନେବେ, ଆପଣଙ୍କ କଣ୍ଠରୋଧ ହେବା ସ୍ଵାଭାବିକ। ଯାହା ଗତ ସରକାର ଅମଳରେ ଦେଖାଦେଇଥିଲା। ସେ ସମୟରେ କିଛି ସମ୍ବାଦ ପତ୍ର ଓ ଗଣମାଧ୍ୟମକୁ କୌଣସି ସରକାରୀ ବିଜ୍ଞାପନ ନ ଦେବା ପାଇଁ ଏକ ଅଘୋଷିତ ଆଦେଶ ଜାରି ହୋଇଥିଲା, କାରଣ ସେମାନେ ସରକାରଙ୍କ ହିଜ୍‌ ମାଷ୍ଟର୍ସ ଭଏସ୍‌ ହେବାପାଇଁ ସ୍ପଷ୍ଟ ମନାକରିଦେଇଥିଲେ।

ଯେତେବେଳେ ଉଭୟ ବିରୋଧୀ ଏବଂ ଶାସକଦଳ ଆପଣଙ୍କୁ ସମାଲୋଚନା କରିବେ, ଆପଣ ଜାଣିବେ ଯେ ଆପଣ ସଠିକ ସାମ୍ବାଦିକତା କରୁଛନ୍ତି। ସରକାରଙ୍କୁ ସମାଲୋଚନା କରିବା ଗଣମାଧ୍ୟମର ନୈତିକ ଦାୟିତ୍ଵ l ଜାତୀୟ ସ୍ତରରେ ଏପରିକି ଆମ ଓଡିଶାରେ ମଧ୍ୟ ସମ୍ବାଦିକତା ଧର୍ମକୁ ନିଭାଉଥିବା ଅନେକ ସାମ୍ବାଦିକ ଗଣମାଧ୍ୟମ ଇତିହାସକୁ ଗର୍ବିତ କରିଛନ୍ତି। କିନ୍ତୁ, କ୍ଷୋଭର କଥା ହେଉଛି ଯେ ଏହି ପ୍ରଜାତିର ସାମ୍ବାଦିକ ଆଜି ଡାଇନାସୋର ପରି ବିଲୁପ୍ତ ପ୍ରାୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave A Reply

Your email address will not be published.