Latest Odisha News

ପୂରିଲା ବର୍ଷେ ହେଲେ ପଡୁନି ପୂର୍ଣ୍ଣଚ୍ଛେଦ: ଭାରି ପଡୁଛି ଇସ୍ରାଏଲ, ହାରୁନାହିଁ ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସର ଆକ୍ରମଣକୁ ବର୍ଷେ ପୂରିଛି । ବର୍ଷକ ତଳେ ଇସ୍ରାଏଲ ଭିତରେ ପଶି ହମାସ ଅତର୍କିତ ଭାବେ ଭୟାବହ ଆକ୍ରମଣ କରିଥିଲା । ଆକ୍ରମଣରେ ୧୨ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଥିଲେ ।  ମହିଳା ଓ ଶିଶୁଙ୍କ ସମେତ ୨୫୦ ଜଣଙ୍କୁ ମୁଣ୍ଡଜାମିନ ରଖିଥିଲା ହମାସ । ହମାସର ଏହି ସୁଚିନ୍ତିତ ଆକ୍ରମଣ ନେଇ ଇସ୍ରାଏଲର କୌଣସି ଗୁଇନ୍ଦା ସଂସ୍ଥା ଟେର୍ ବି ପାଇନଥିଲେ । ଇସ୍ରାଏଲ ବିରୋଧରେ ହମାସର ଏହି ଅଭିଯାନକୁ ଅପରେସନ ଅଲ୍ -ଆକସା ଫ୍ଲଡ୍ ନାମ ଦିଆଯାଇଥିଲା ।

ହେଲେ ଏହାର କାଉଣ୍ଟରରେ ଇସ୍ରାଏଲର ଜବାବ ଥିଲା ଅତି ଭୟଙ୍କର । ହମାସ ବିରୋଧରେ ଯୁଦ୍ଧ ଘୋଷଣା କରଥିଲା ଇସ୍ରାଏଲ୍ । ଗାଜାରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ ଆଇରନ ସୋର୍ଡସ୍ । ଗାଜାଷ୍ଟ୍ରିପରେ ଭୀଷଣ ଆକ୍ରମଣ କରିଥିଲା ଆଇଡିଏଫ୍ । ହଜାର ହଜାର ପାଲେଷ୍ଟିନୀୟ ପ୍ରାଣ ହରାଇସାରିଛନ୍ତି । ହମାସ ମୁଖ୍ୟଙ୍କୁ ଇରାନ ରାଜଧାନୀରେ ହତ୍ୟା କରିଛି ଇରାନ୍ । କିନ୍ତୁ ଯୁଦ୍ଧ ଥମିନାହିଁ । ଇସ୍ରାଏଲର ଆକ୍ରମଣ ବନ୍ଦ ହୋଇନାହିଁ କି ହମାସ ପଛକୁ ହଟିନାହିଁ । ଏଣେ ହମାସ ସହ ଲେବାନନରେ ହିଜବାଲ୍ଲା ସହ ଲଢେଇ କରୁଛି ଇସ୍ରାଏଲ । ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କରି ବିରାଟ ସଫଳତା ହାସଲ କରିଛି ଇସ୍ରାଏଲ । କିନ୍ତୁ ମଧ୍ୟପ୍ରାଚ୍ୟ ସଂକଟ ଆହୁରି ଜଟିଳ ହୋଇଛି । ଇରାନର କ୍ଷେପଣାସ୍ତ୍ର ମାଡ ପରେ ଇସ୍ରାଏଲ ସମସ୍ତ ବିକଳ୍ପ ଖୋଲାରଖିଛି ।

ବିଜୟର ବଜ୍ର ଶପଥ ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ହମାସ ଆକ୍ରମଣର ପ୍ରଥମ ବାର୍ଷିକୀରେ ବିଜୟ ପାଇଁ ଶପଥ ନେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ । ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣ ପରବର୍ତ୍ତୀ ସ୍ଥିତିକୁ ଇସ୍ରାଏଲ ସଂପୂର୍ଣ୍ଣ ବଦଳାଇ ଦେଇଛି ବୋଲି କହିଛନ୍ତି ନେତାନୟାହୁ । ଗାଜାଷ୍ଟ୍ରିପ୍ ଓ ଲେବାନନ ଲଢେଇରେ ଇସ୍ରାଏଲର ହିଁ ବିଜୟ ହେବ ବୋଲି ସେନାକୁ କହିଛନ୍ତି ନେତାନ୍ୟାହୁ । ଏଣେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଦୃଢ ଜବାବ ଦେବା ଅପେକ୍ଷାରେ ରହିଛି ଇସ୍ରାଏଲ ।

ମୃତ୍ୟୁର ଇଲାକା ପାଲଟିଛି ଗାଜା, ୪୨ ହଜାର ମୃତ 

ବର୍ଷକ ମଧ୍ୟରେ ଗାଜାଷ୍ଟ୍ରିପରେ ହମାସ ବିରୋଧରେ ଇସ୍ରାଏଲର ଅପରେସନ ଆଇରନ୍ ସୋର୍ଡ୍‌ସରେ ପାଖାପାଖି ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ । ବିନାଶଲୀଳା ରଚିଛି ଇସ୍ରାଏଲ । ଗାଜାର ଭିତ୍ତିଭୂମି ମାଟିରେ ମିଶିଯାଇଛି । ବର୍ଷକ ମଧ୍ୟରେ ଇସମାଇଲ ହନିୟା ଓ ମହମ୍ମଦ ଡେଫ୍ ସମେତ ହମାସର ପ୍ରମୁଖ ନେତାଙ୍କୁ ହତ୍ୟା କରିଛି ଇସ୍ରାଏଲ୍ । ଏହା ସତ୍ତ୍ୱେ ହାର ମାନିବାକୁ ପ୍ରସ୍ତୁତ ନୁହେଁ ହମାସ । ଏଣେ କତାରରେ ଥିବା ହମାସ ସଦସ୍ୟ ଖଲିଲ ଅଲ୍ ହୟା ୨୦୨୩ ଅକ୍ଟୋବର ୭ ଆକ୍ରମଣକୁ ମହାନ କାର୍ଯ୍ୟ ଭାବେ ବର୍ଣ୍ଣନା କରି ଭିଡିଓ ଜାରି କରିଛି ।

ଯୁଦ୍ଧ ଶେଷ କରିପାରୁ ନାହିଁ ଇସ୍ରାଏଲ

ଇସ୍ରାଏଲ ଗାଜାଷ୍ଟ୍ରିପ୍‌ରେ ହମାସ ଓ ଲେବାନନରେ ହିଜବୋଲ୍ଲା ବିରୋଧରେ ଯୁଦ୍ଧ ଲଢୁଛି । ଦୁଇ ସଂଗଠନର ପ୍ରମୁଖ ନେତା ଓ କମାଣ୍ଡରକୁ ହତ୍ୟା କରିଛି ଇସ୍ରାଏଲ୍ । ହେଲେ ଯୁଦ୍ଧକୁ ନିର୍ଣ୍ଣାୟକ ଭାବେ ଶେଷ କରିପାରୁନାହିଁ ଇସ୍ରାଏଲ୍ । ହମାସ ଓ ହିଜବୋଲ୍ଲାର ସାମରିକ କ୍ଷମତାକୁ ଦୁର୍ବଳ କରିଥିଲେ ମଧ୍ୟ ଦୁଇ ସଂଗଠନକୁ ମୂଳପୋଚ୍ଛ କରିବାରେ ବିଫଳ ହୋଇଛି ଇସ୍ରାଏଲ୍ । ପାଲେଷ୍ଟାଇନରେ ହମାସ ଓ ଲେବାନନରେ ହିଜବୋଲ୍ଲା ସର୍ବଦା ସକ୍ରିୟ ରହିବେ ବୋଲି ଇସ୍ରାଏଲର ସେନାଧିକାରୀ ବି ସ୍ୱୀକାର କରିଛନ୍ତି । ଏବେ ଏହି ସଂଘର୍ଷରେ ଇରାନର ଏଂଟ୍ରି ଯୋଗୁଁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା ସୃଷ୍ଟି ହୋଇଛି ।

 

 

Leave A Reply

Your email address will not be published.