Latest Odisha News

ନବରାତ୍ରୀ ୨୦୨୪: ଷଷ୍ଠ ଦିନରେ ପୂଜା ପାଉଛନ୍ତି ମା’ କାତ୍ୟାୟନୀ

ଭୁବନେଶ୍ଵର: ଚାଲିଛି ନବରାତ୍ରୀ । ଏନେଇ ଉତ୍ସବ ମୁଖର ଗାଁ ଠୁ ସହର । ନବରାତ୍ରୀର ଷଷ୍ଠ ଦିନରେ ମାଆ ଆଦିଶକ୍ତି କାତ୍ୟାୟନୀଙ୍କୁ ପୂଜା କରାଯାଏ । ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ । ଗୋଟିଏ ହାତରେ ଖଣ୍ଡା ଦ୍ବିତୀୟ ହାତରେ ପଦ୍ମ ଫୁଲ ଶୋଭା ପାଇଥାଏ । ଅନ୍ୟ ହସ୍ତ ଦ୍ବୟ କ୍ରମଶଃ ବରମୁଦ୍ରା ଓ ଅଭୟମୁଦ୍ରାରେ ରହିଥାଏ । ଚାରିଭୁଜାଧାରୀ ମା’ କାତ୍ୟାୟନୀ ସିଂହ ଉପରେ ବିରାଜମାନ ହୋଇଥାନ୍ତି ।

ମାତା କାତ୍ୟାୟନୀ ମହିଷାସୁରକୁ ବଦ୍ଧ କରିଥିଲେ । ସେଥିପାଇଁ ତାଙ୍କୁ ପାପୀ, ଅସୁର, ଦାନବଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ। କୁହାଯାଏ ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରୀୟ ବଶ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ । ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ। ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ। ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ, ଭୟ ବିନାଶ ହୋଇଥାଏ।

ମା’ କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି। ପୌରାଣିକ ମତରେ, ଯେଉଁ କନ୍ୟାର ବିବାହ ବିଳମ୍ବ ହେଉଛି ବିଧି ମୁତାବକ, ମାଆଙ୍କର ପୂଜା କଲେ ବାହାଘର ହୋଇଯାଏ। ତେବେ କତ ନାମକ ଜଣେ ପ୍ରସିଦ୍ଧ ଋଷି ଥିଲେ। ଏହି କାତ୍ୟ ଗୌତ୍ରରେ ବିଶ୍ବପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମଲାଭ କରିଥିଲେ। ଯେତବେଳେ ଅସୁର ମହିଷାସୁରର ଅତ୍ୟାଚାର ଦେବତା ଓ ଋଷି ମାନଙ୍କ ଉପରେ ବଢିଗଲା ତାର ବିନାଶ ପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଜଣେ ଦେବୀଙ୍କୁ ଉତ୍ପନ୍ନ କରିଥିଲେ । ଆଉ କାତ୍ୟାୟନଙ୍କ ଆଶ୍ରମରେ ଜନ୍ମଲାଭ କରିଥିବାରୁ ତାଙ୍କ ନାମ କାତ୍ୟାୟନୀ ।

Leave A Reply

Your email address will not be published.