Latest Odisha News

କେନ୍ଦ୍ରକୁ ସୁପ୍ରିମ ଛାଟ…ଓଡିଶା ହେବ ମାଲେମାଲ

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଫାଙ୍କି ପାରିବନି କେନ୍ଦ୍ର । ଖଣିଜ ସଂପଦରେ ଭରପୂର ଓଡିଶା ହେବ ମାଲେମାଲ୍। ପୂର୍ବରୁ ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ସେସରୁ କେନ୍ଦ୍ର ବିପୁଳ ଲାଭ ପାଉଥିବା ବେଳେ ରାଜ୍ୟ କାଣି କଉଡିଟିଏ ବି ପାଉନଥିଲେ। ହେଲେ ଏବେ ସର୍ବୋଚ୍ଚ କୋର୍ଟଙ୍କ ରାୟ ପରେ ଖଣିଜ ସଂପଦ ଥିବା ରାଜ୍ୟ ସରକାର ବଜାର ଦର ଉପରେ ସେସ୍ ଓ ଟିକସ ଲଗାଇ ପାରିବେ । ଏହାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ କରିଥିଲେ । ତେବେ କୋର୍ଟ ଏହାକୁ ବରଖାସ୍ତ କରିଛନ୍ତି । ଖଣିଜ ସଂପଦ ଅଞ୍ଚଳ ରାଜ୍ୟର ଅଧିକାର କ୍ଷେତ୍ର, ତେଣୁ ରାଜ୍ୟ ସରକାର ଚାହିଁଲେ ସେସ୍ ଲଗାଇ ପାରିବେ ବୋଲି ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହାପରେ ଖଣି ସେସରେ କିଭଳି ଖଣି ଅଞ୍ଚଳ ତଥା ରାଜ୍ୟର ବିକାଶ କରାଯାଇପାରିବ ସେନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ।

କେନ୍ଦ୍ରର ରିଭ୍ୟୁ ପିଟିସନ୍ ଆଳ

ଓଡିଶା ଭଳି ଦେଶର ଅନ୍ୟ ଖଣିଜ ସଂପଦ ବହୁଳ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି । ଏସବୁ ରାଜ୍ୟ ଏଣିକି ଖଣିଜ ସଂପଦ ଅଞ୍ଚଳରୁ ସେସ୍ ଓ ଟିକସ ଲଗାଇ ପାରିବେ । ଏପରିକି ୧ଏପ୍ରିଲ ୨୦୦୫ରୁ ଖଣି ପଟ୍ଟାଦାର ଓ କେନ୍ଦ୍ର ସରକାର ଖଣିଜ ସମ୍ପଦ ପ୍ରଭାବିତ ରାଜ୍ୟଗୁଡ଼ିକର ବକେୟା ଟିକସକୁ ବିନା ସୁଧରେ ୧୨ଟି କିସ୍ତିରେ ପ୍ରଦାନ କରିବେ । ବକେୟା ଅର୍ଥ ଦେଲେ କେନ୍ଦ୍ର ଓ ରାଷ୍ଟ୍ରାୟତ୍ତ ସଂସ୍ଥାର ଆର୍ଥିକ ସ୍ଥିତି ଦୁର୍ବଳ ହେବା ଆଳ ଦେଖାଇ କୋର୍ଟଙ୍କୁ ରାୟ ନେଇ ପୁନର୍ବିଚାର କରିବାକୁ ଆବେଦନ କରିଥିଲେ କେନ୍ଦ୍ର ସରକାର। ଏଥିସହ କୋର୍ଟଙ୍କ ରାୟ ଦ୍ବାରା ରାଜ୍ୟଗୁଡ଼ିକୁ ଆଇନ ପ୍ରସ୍ତୁତ କରିବାର ଅଧିକାର ମିଳିଯିବ। ଫଳରେ ଦେଶର ସାର୍ବଭୌମତ୍ବ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହେବ ବୋଲି କେନ୍ଦ୍ର କହିଥିଲା । ତେବେ ରିଭ୍ୟୁ ପିଟିସନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଛନ୍ତି। ଫଳରେ ସେସ୍ ବସାଇଲେ ରାଜ୍ୟ ସରକାର ପ୍ରତି ବର୍ଷ ୫୦ହଜାର କୋଟିରୁ ଅଧିକ ଟଙ୍କା ପାଇପାରିବେ ।

ଓଡିଶା ସରକାରଙ୍କୁ ଶ୍ରୀକାନ୍ତଙ୍କ ପ୍ରସ୍ତାବ

୨୦୦୪ ମସିହାରେ ପୂର୍ବ ବିଜେଡି ସରକାରରେ ଓଆରଆଇଏସଇଡି- ବିଲ୍ ବିଧାନସଭାରେ ପାସ୍ ହୋଇଥିଲା । ପରେ ହାଇକୋର୍ଟ ଏହାକୁ ଖାରଜ କରିଥିଲେ । ତେବେ ଏହି ଆଇନ ଖଣି ମାଲିକଙ୍କୁ ସୁହାଇଲା ଭଳି ହୋଇଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି । ତୁରନ୍ତ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ନୂଆ ବିଲ୍ ଅଣାଯାଉ। ଯେଉଁ ଅଞ୍ଚଳରୁ ଖଣିଜ ସଂପଦ ଉତ୍ତୋଳନ ହେଉଛି, ସେଠାରେ ହିଁ ଆଦାୟ ହେଉଥିବା ସେସ ଅର୍ଥର ୫୦ପ୍ରତିଶତ ଖର୍ଚ୍ଚ ହେଉ । ପୂର୍ବ ବିଲରେ ସଂପୃକ୍ତ ଅଞ୍ଚଳରେ ମାତ୍ର ୧୦ପ୍ରତିଶତ ଖର୍ଚ୍ଚ ପାଇଁ ବ୍ୟବସ୍ଥା ଥିଲା। ଏଥିସହ କେତେ ସେସ୍ ଲାଗିବ? ବଜାର ଦରକୁ କିଏ ନିର୍ଦ୍ଧାରଣ କରିବେ? ସେନେଇ ପୂର୍ବ ବିଲରେ ଏକ କମିଟି ଗଠନ କରି ନିଷ୍ପତ୍ତି ନେବାର ବ୍ୟବସ୍ଥା କରାଯାଇଥିଲା। ତେବେ କମିଟିରେ ହାଇକୋର୍ଟର ଜଣେ ବିଚାରପତି ଅଧ୍ୟକ୍ଷ ରହିଲେ ହିଁ ନିରପେକ୍ଷ ନିଷ୍ପତ୍ତି ନିଆଯାଇପାରିବ ବୋଲି ଶ୍ରୀକାନ୍ତ କହିଛନ୍ତି । କ୍ରୋମାଇଟ୍, ମାଙ୍ଗାନିଜ ଓ ବକ୍ସାଇଟ ଉତ୍ତୋଳନ ବେଳେ ବଜାର ଦରକୁ ଆଖିରେ ରଖି ସେସ୍ ଓ ଟିକସ ଲାଗୁ କରାଯାଉ। ଫଳରେ ରାଜ୍ୟ ସରକାର ଅଧିକ ରାଜସ୍ବ ଆଣିପାରିବେ । ସେହିପରି କୋଇଲା ଉପରେ ବଜାର ଦର ଓ ପରିବେଶକୁ ଆଖିରେ ରଖି ୩୦ରୁ ୪୦ ପ୍ରତିଶତ ସେସ୍ ଓ ଟିକସ ଲଗାଇବାକୁ ଶ୍ରୀକାନ୍ତ ପ୍ରସ୍ତାବ ଦେଇଛନ୍ତି।

ଖଣିଜ ସଂପଦରେ ପୂର୍ଣ୍ଣ ଓଡିଶା ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହିଥିବା ଅଭିଯୋଗ ହୋଇଆସୁଛି। ହେଲେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ଖଣି କ୍ଷେତ୍ରରେ ସେସ୍ ଓ ଟିକସ ଲଗାଇ ରାଜସ୍ବକୁ ସମୃଦ୍ଧ କରିବା ଦାୟିତ୍ବ ରାଜ୍ୟ ସରକାରଙ୍କର । କାରଣ ରାଜସ୍ବ ବଢିଲେ ହିଁ ରାଜ୍ୟର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ହୋଇପାରିବ ।

Leave A Reply

Your email address will not be published.