Latest Odisha News

ହରିୟାଣାରେ ହ୍ୟାଟ୍ରିକ : ବିଜେପି ପାଇଁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ସବୁ ପୂର୍ବାନୁମାନ ଭୁଲ । ବାଜି ମାରିନେଇଛି ବିଜେପି । ଲଗାତର ତୃତୀୟ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଗୈରିକ ପାର୍ଟି । ହରିୟାଣା ନିର୍ବାଚନରେ ଏଥର କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସବୁ ଏକଜିଟ ପୋଲ୍ ଆକଳନ କରିଥିଲେ । କିନ୍ତୁ ହୋଇଛି ଓଲଟା । ଅସମ୍ଭବକୁ ସମ୍ଭବ କରିଛି ବିଜେପି । ହ୍ୟାଟ୍ରିକ କରିବା ସହ ରାଜ୍ୟ ରାଜନୀତିରେ ନୂଆ ଇତିହାସ ରଚିଛି ବିଜେପି । ହରିୟାଣାରେ ପୂର୍ବରୁ କୌଣସି ଦଳ ଲଗାତର ତିନି ତିନି ଥର ବିଧାନସଭା ନିର୍ବାଚନ ଜିତିନଥିଲେ । କଂଗ୍ରେସ ପୁଣି ଥରେ ନିରାଶ । ସରକାର ବିରୋଧୀ ହାୱା ସହ ଜାଠ୍ ଭୋଟ୍ ଏବଂ କୃଷକଙ୍କ ଅସନ୍ତୋଷ ବଳରେ ଏଥର କ୍ଷମତା ଦଖଲ ପାଇଁ ଆଶା କରିଥିଲା କଂଗ୍ରେସ । କିନ୍ତୁ ଆଶା ନିରାଶାରେ ପରିଣତ ହୋଇଛି ।

କାମ ଦେଲା କି ମୁଖ୍ୟମନ୍ତ୍ରୀ ବଦଳାଇବା ଫର୍ମୁଲା ?

ହରିୟାଣାରେ ବିଜେପିର ଲଗାତର ତୃତୀୟ ବିଜୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୦ ବର୍ଷ କ୍ଷମତାରେ ରହିବା ପରେ ଏଥର ମଧ୍ୟ ଜନାଦେଶ ବିଜେପି ସପକ୍ଷରେ କିପରି ଗଲା ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ହରିୟାଣାରେ ବିଜେପିର ଚମକପ୍ରଦ ବିଜୟର ପ୍ରମୁଖ କାରଣ ସଂପର୍କରେ ଚର୍ଚ୍ଚା ହେବାରେ ଲାଗିଛି ।  ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇ ଥିଲା । ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ନାୟବ ସିଂହ ସୈନିଙ୍କୁ ଗାଦିରେ ବସାଇଥିଲା ବିଜେପି । ମୁଖ୍ୟମନ୍ତ୍ରୀ ବଦଳାଇବା ଫର୍ମୁଲା ବିଜେପି ପାଇଁ କାମ ଦେଇଛି ବୋଲି କିଛି ବିଶେଷଜ୍ଞ କହୁଛନ୍ତି । ମନୋହର ଲାଲ୍ ଖଟ୍ଟର ହେଉଛନ୍ତି ଜଣେ ପଞ୍ଜାବୀ । ହେଲେ ନାୟବ ସିଂହ ସୈନି ଜଣେ ଓବିସି । ବିଜେପିର ଓବିସି ଗ୍ୟାମ୍ବଲ ସଫଳ ହୋଇଛି ବୋଲି ଆଲୋଚନା ହେଉଛି ।

ଜାଠ୍ ଭୋଟ୍ ଧ୍ରୁବୀକରଣ ଯୋଗୁଁ ବିଜେପିକୁ ଫାଇଦା ?

ହରିୟାଣା ରାଜନୀତିରେ ଜାଠ୍ ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଆନ୍ତି । କୃଷକ ଓ ପରେ ରେସଲରଙ୍କ ଆନ୍ଦୋଳନ ଯୋଗୁଁ ଜାଠ୍ ଭୋଟରମାନେ ବିଜେପି ପ୍ରତି ଏଥର ମୁହଁ ମୋଡିପାରନ୍ତି ବୋଲି କୁହାଯାଉଥିଲା । ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଭରସାରେ ଜାଠମାନେ ଏଥର କଂଗ୍ରେସ ପ୍ରତି ଢଳିବେ ବୋଲି ମଧ୍ୟ ମନେକରାଯାଉଥିଲା । କାରଣ ଲୋକସଭା ନିର୍ବାଚନରେ ମଧ୍ୟ ଜାଠ୍ ଭୋଟରମାନେ ବିଜେପିକୁ ପ୍ରତ୍ୟଖ୍ୟାନ କରିଥିଲେ । ଏସବୁ ଦୃଷ୍ଟିରୁ ବିଜେପି ଓବିସି କାର୍ଡ ଖେଳିଥିଲା । ହରିୟାଣାରେ ଓବିସିଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୪୦ ପ୍ରତିଶତ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଜାଠ୍ ଭୋଟରଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇଥିଲା କଂଗ୍ରେସ । ଏଥିପାଇଁ ଦଳିତ ଓ ଅଣ ଜାଠ୍ ଭୋଟରମାନେ କଂଗ୍ରେସଠାରୁ ଦୂରେଇ ରହିଲେ ବୋଲି ଚର୍ଚ୍ଚା ହେଉଛି । ସବୁ ଜାଠ୍ ଭୋଟ୍ କଂଗ୍ରେସକୁ ଯାଇନାହିଁ । ଜାଠ୍ ଭୋଟ୍‌‌ ଧ୍ରୁବୀକରଣ ଯୋଗୁଁ ବିଜେପିକୁ ଫାଇଦା ହୋଇଛି ବୋଲି କିଛି ରାଜନୀତି ବିଶେଷଜ୍ଞ କହୁଛନ୍ତି । ଜାଠ୍ ଭୋଟ୍ ପାଇଁ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଉପରେ କଂଗ୍ରେସ ଅଧିକ ନିର୍ଭରଶୀଳ ହୋଇଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଦଳିତ ନେତ୍ରୀ କୁମାରୀ ଶୈଳଜା । ସେ ପ୍ରଚାରରୁ ଦୂରେଇ ରହିଥିଲେ ।

ଦକ୍ଷିଣ ହରିୟାଣା ଓ ସହରାଂଚଳ ଭୋଟରଙ୍କ ବିଜେପି ପ୍ରତି ଆନୁଗତ୍ୟ

ଦକ୍ଷିଣ ହରିୟାଣାର ଅହିରୱାଲ ଅଂଚଳ ସବୁବେଳେ ବିଜେପିକୁ ଭୋଟ୍ ଦେଇ ଆସିଛି । ୨୦୧୪, ୨୦୧୯ ବିଧାନସଭା ନିର୍ବାଚନ ପରେ ଏଥର ମଧ୍ୟ ଏହି ଅଂଚଳର ଭୋଟର ବିଜେପି ଉପରେ ଆସ୍ଥା ସ୍ଥାପନ କରିଛନ୍ତି । ହରିୟାଣାର ସାଇବର ହବ୍ ଭାବେ ପରିଚିତ ଗୁରୁଗ୍ରାମ ମଧ୍ୟ ବିଜେପି ସପକ୍ଷରେ ଭୋଟ୍ ଦେଇଛି । ସହରାଂଚଳ ଭୋଟରମାନେ ବିଜେପି ପ୍ରତି ପୁଣି ଆସ୍ଥା ସ୍ଥାପନ କରିଛନ୍ତି ।

ହରିୟାଣାରେ ହ୍ୟାଟ୍ରିକ ବିଜେପି ପାଇଁ ବୁଷ୍ଟର ଡୋଜ୍

ଲୋକସଭା ନିର୍ବାଚନ ପରେ ହରିୟାଣା ବିଧାନସଭା ନିର୍ବାଚନ ଥିଲା ବିଜେପି ପାଇଁ ପ୍ରଥମ ବଡ ପରୀକ୍ଷା । ହରିୟାଣାରେ ଲଗାତର ତୃତୀୟ ବିଧାନସଭା ନିର୍ବାଚନ ବିଜୟ ଦଳ ପାଇଁ ବୁଷ୍ଟର ଡୋଜ୍ ସଦୃଶ ହୋଇଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ହରିୟାଣା ବିଜୟ ଗୁରୁତ୍ୱପୂର୍ଣ୍ଣ ସଫଳତା । ଆଗକୁ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପି ପାଇଁ ନିର୍ବାଚନ ଚ୍ୟାଲେଞ୍ଜ ।

 

 

 

 

Leave A Reply

Your email address will not be published.