Latest Odisha News

ଲୋକସଭା ନିର୍ବାଚନରେ କେତେ କୋଟି ଖର୍ଚ୍ଚ କରିଛି କଂଗ୍ରେସ…

ନୂଆଦିଲ୍ଲୀ: ଚଳିତ ବର୍ଷର ଲୋକସଭା ଓ ଓଡିଶା ସମେତ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ନିର୍ବାଚନ ପ୍ରଚାର ପାଇଁ ପଇସା ନାହିଁ ବୋଲି ଭୋଟ୍ ପୂର୍ବରୁ କହି ବୁଲୁଥିଲେ କଂଗ୍ରେସ ନେତା । ଆୟକର ବିଭାଗ ଉପରେ ଦୋଷ ଲଦିଥିଲା କଂଗ୍ରେସ । ମିଛ ଅଭିଯୋଗରେ ଆୟକର ବିଭାଗ କଂଗ୍ରେସର ବ୍ୟାଙ୍କ ଆକାଉଂଟ ସିଜ୍ କରିଦେଇଥିଲା ବୋଲି ସେତେବେଳେ ଅଭିଯୋଗ କରିଥିଲା କଂଗ୍ରେସ । କିନ୍ତୁ ନିର୍ବାଚନ କମିଶନଙ୍କୁ ଦଳ ନିର୍ବାଚନୀ ଖର୍ଚ୍ଚ ସଂପର୍କିତ ଦେଇଥିବା ରିପୋର୍ଟ କିଛି ଅଲଗା କଥା ହିଁ କହୁଛି ।

ଜମାଣିଆ ଖର୍ଚ୍ଚ କରିଛି କଂଗ୍ରେସ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ପ୍ରଚାର ପାଇଁ ଦଳରେ ପାଖରେ ଅର୍ଥର ଅଭାବ ରହିଛି । ହେଲେ ଲୋକସଭା ନିର୍ବାଚନ ଏବଂ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ପାଖରେ ପଇସା ନାହିଁ ବୋଲି କଂଗ୍ରେସ ଯେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲା, ତାହା ଏବେ ସ୍ପଷ୍ଟ ହୋଇଛି । ନିର୍ବାଚନ କମିଶନଙ୍କୁ କଂଗ୍ରେସ ନିର୍ବାଚନ ଖର୍ଚ୍ଚ ସଂପର୍କିତ ରିପୋର୍ଟ ଦେଇଛି । ନିର୍ବାଚନ କମିଶନଙ୍କ ୱେବସାଇଟରେ କଂଗ୍ରେସର ନିର୍ବାଚନୀ ଖର୍ଚ୍ଚ ଜାରି କରାଯାଇଛି । ଲୋକସଭା ସହ ଓଡିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଖର୍ଚ୍ଚ କରିଛି ୫୮୫ କୋଟି । ବିଜ୍ଞାପନ ଓ ଗଣମାଧ୍ୟମରେ ନିର୍ବାଚନ ପ୍ରଚାର ପାଇଁ କେବଳ ଖର୍ଚ୍ଚ ହୋଇଛି ୪୧୦ କୋଟି ଟଙ୍କା । ଏଥିସହ ସୋସିଆଲ ମିଡିଆ, ଆପ୍ ଓ ଅନ୍ୟ ମାଧ୍ୟମରେ ଡିଜିଟାଲ୍ ପ୍ରଚାର ଅଭିଯାନ ପାଇଁ ୪୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା କଂଗ୍ରେସ । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ତାରକା ପ୍ରଚାରକଙ୍କ ବିମାନ ଯାତ୍ରା ବାବାଦ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଛି କଂଗ୍ରେସ ।

ରାହୁଲ ଓ କିଛି ପ୍ରାର୍ଥୀଙ୍କୁ ଦିଆଯାଇଛି ୧୧ କୋଟିରୁ ଅଧିକ

ନିର୍ବାଚନ କମିଶନଙ୍କୁ ଦେଇଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ କିଛି ପ୍ରମୁଖ ଲୋକସଭା ପ୍ରାର୍ଥୀଙ୍କୁ କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ୧୧ କୋଟି ୨୦ ଲକ୍ଷ ଟଙ୍କା । ଲୋକସଭା ନିର୍ବାଚନ ପ୍ରଚାର ବେଳେ ପୋଷ୍ଟର, ବ୍ୟାନର, ହୋର୍ଡିଂ ଓ ଅନ୍ୟ ପବ୍ଲିସିଟି ସାମଗ୍ରୀ ପାଇଁ ମୋଟ ୬୮ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା କଂଗ୍ରେସ।

କଂଗ୍ରେସ ପାଖରେ କେତେ ଥିଲା ?

ଲୋକସଭା ନିର୍ବାଚନ ଘୋଷଣା ହେବାବେଳେ କଂଗ୍ରେସ ପାଖରେ ବିଭିନ୍ନ ଡିପୋଜିଟରେ ଥିଲା ମୋଟ ୧୭୦ କୋଟି ଟଙ୍କା । ତେବେ ବିଭିନ୍ନ ସ୍ୱରୂପରେ ଗ୍ରସ୍ ରିସିପ୍ଟ ବାବଦରେ ଦଳ ଗ୍ରହଣ କରିଥିଲା ୫୩୯ କୋଟି ୩୭ ଲକ୍ଷ ଟଙ୍କା । ଏଥିମଧ୍ୟରେ ଥିଲା ୧୩ କୋଟି ୭୬ ଲକ୍ଷ ଟଙ୍କାର କ୍ୟାସ ଡିପୋଜିଟ୍ ।

ବ୍ୟାଙ୍କ ଆକାଉଂଟ ଫ୍ରିଜ ବିରୋଧରେ କୋର୍ଟ ଯାଇଥିଲା କଂଗ୍ରେସ ଲୋକସଭା ନିର୍ବାଚନ ପୂର୍ବରୁ ନିଜର କିଛି ବ୍ୟାଙ୍କ ଆକାଉଂଟ ଫ୍ରିଜ୍ କରାଯିବା ନେଇ ଆପତ୍ତି ଉଠାଇଥିଲା ମୁଖ୍ୟ ବିରୋଧୀ ଦଳ । ଆୟକର ବିଭାଗ ପକ୍ଷରୁ କଂଗ୍ରେସର କିଛି ବ୍ୟାଙ୍କ୍ ଆକାଉଂଟ ଫ୍ରିଜ୍ କରିଦିଆଯାଇଥିଲା । ପୂର୍ବବର୍ଷ ଗୁଡିକରେ ଆୟକର ରିଟର୍ଣ୍ଣ ବିବାଦ ନେଇ କଂଗ୍ରେସ ବ୍ୟାଙ୍କ୍ ଆକାଉଂଟ ଫ୍ରିଜ କରାଯାଇଥିଲା । ଏ ମାମଲା କୋର୍ଟରେ ପହଂଚିବା ପରେ କିଛି ବ୍ୟାଙ୍କ ଆକାଉଂଟ ସଚଳ କରାଯାଇଥିଲା । ଲୋକସଭା ନିର୍ବାଚନରେ ୯୯ ଆସନ ଜିତିଥିଲା କଂଗ୍ରେସ ।

ନିର୍ବାଚନ ଫଳାଫଳ ଘୋଷଣାର ୭୫ରୁ ୯୦ ଦିନ ମଧ୍ୟରେ ସମସ୍ତ ଦଳଙ୍କୁ ନିୟମ ଅନୁସାରେ ନିର୍ବାଚନୀ ଖର୍ଚ୍ଚର ବିବରଣୀ କମିଶନଙ୍କୁ ଦେବାକୁ ପଡେ । ସମୟସୀମା ମଧ୍ୟରେ ବିବରଣୀ ନ ଦେଲେ ନୋଟିସ ପଠାଇଥାଆନ୍ତି ନିର୍ବାଚନ କମିଶନ । ନୋଟିସର ଜବାବରେ ଡେରି କରନ୍ତି ବିଭିନ୍ନ ଦଳ । ଜୁନ୍ ଚାରି ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଫଳାଫଳ ଘୋଷଣାର ୧୨୪ ଦିନ ବିତିଯାଇଥିଲେ ମଧ୍ୟ କଂଗ୍ରେସ ଏକମାତ୍ର ଦଳ ଭାବେ ନିର୍ବାଚନ କମିଶନଙ୍କୁ ନିଜର ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦେଇଛି ।

Leave A Reply

Your email address will not be published.