Latest Odisha News

ଏହି ଦିନ ଶପଥ ନେବେ ହରିୟାଣାର ନୂଆ ସରକାର, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି ଏବଂ ବାଜି ମାରିନେଇଛି ବିଜେପି। ବିଧାନସଭା ନିର୍ବାଚନରେ ବିଜେପି ଲଗାତର ତୃତୀୟ ଥର ପାଇଁ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ପରେ ଏଠାରେ ଏବେ ଆରମ୍ଭ ହୋଇଯାଇଛି ନୂଆ ସରକାର ଗଠନ ପ୍ରସ୍ତୁତି। ନାୟବ ସିଂହ ସୈନିଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସ୍ପଷ୍ଟ ହୋଇସାରିଛି। ବିଜେପି ରାଜ୍ୟ ସଭାପତି ମୋହନଲାଲ ବଦୋଲି ଏବଂ ନାଏବ ସୈନି ଆଜି ଦିଲ୍ଲୀ ଗସ୍ତରେ ଯିବେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାଏବ ସୈନି ବିଜୟ ଦଶମୀ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ହରିୟାଣା ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ସହିତ ଏବେ ପରବର୍ତ୍ତୀ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ଯେ ହରିୟାଣାରେ ପରବର୍ତ୍ତୀ ସରକାର ନାଏବ ସୈନିଙ୍କ ନେତୃତ୍ୱରେ ଗଠନ ହେବ ଏବଂ ମୁଖ୍ୟମନ୍ତ୍ରୀ ନାଏବ ସୈନିଙ୍କ ସହ ଜଣେ କିମ୍ବା ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିପାରନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ସରକାର ଗଠନ ହେବ ବୋଲି ସୂତ୍ରରୁ ପ୍ରକାଶ। ଏହାପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ହରିୟାଣାକୁ ବିଧାୟକଙ୍କ ସହ ଆଲୋଚନା କରିବା ପାଇଁ ପର୍ଯ୍ୟବେକ୍ଷକ ପଠାଇବେ, ଯାହା ଦ୍ୱାରା ଦଳ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିପାରିବ। ଏହା ସହିତ କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯିବ।

ନିର୍ବାଚନ ଫଳାଫଳ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦିଲ୍ଲୀ ବାସଭବନରେ ଅନେକ ନେତାଙ୍କ ଭିଡ଼ ଜମିଛି। ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସହ ପ୍ରଭାରୀ ବିପ୍ଳଦ ଦେବ ମନୋହର ଲାଲଙ୍କ ସହିତ ବସି ପ୍ରସ୍ତୁତ କରିଛନ୍ତି ରଣନୀତି। ଏହି ବୈଠକରେ କିଏ ହେବ ମନ୍ତ୍ରୀ, ତାକୁ ନେଇ ଆଲୋଚନା ହୋଇଛି। ଏଥିସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ବିଜେପି ନେତା। ନୂତନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି। ବରିଷ୍ଠତା ଆଧାରରେ ପୂର୍ବତନ ଗୃହ ସଚିବ ଅନିଲ ବିଜ ଓ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ।

ବିଜେପି ହାଇକମାଣ୍ଡ ଅନିଲ ବିଜଙ୍କ ପରି ବରିଷ୍ଠ ନେତାଙ୍କୁ ଉଚିତ୍ ସମ୍ମାନ ଦେବାକୁ ଚାହୁଁଛନ୍ତି। ତେବେ ଅନିଲ ବିଜ୍‌ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବହୁ ଥର ଇଚ୍ଛା ପ୍ରକାଶ କରିସାରିଛନ୍ତି। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ତାଙ୍କ ଉପମୁଖ୍ୟମନ୍ତ୍ରୀ କରିପାରେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାରେ ବିଜୟ ପରେ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ରାଜ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପିକୁ କ୍ଷମତା ପ୍ରଦାନ କରି ହରିୟାଣା ଇତିହାସ ସୃଷ୍ଟି କରିଛି।

Leave A Reply

Your email address will not be published.