Latest Odisha News

ପୁଣି ଭିଡିଓ ଭାଇରାଲ୍ ପୁଣି ବିବାଦ

ପୁରୀ: ପୁଣି ବିବାଦରେ ସତ୍ୟବାଦୀ ବିଜେପି ବିଧାୟକ ଓମପ୍ରକାଶ ମିଶ୍ର। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ତେଜିଲାଣି ରାଜନୀତି । ଯୁବତୀଙ୍କ ସହ ବିଧାୟକଙ୍କ ସଂପର୍କ କଣ? ଭିଡିଓରେ ବ୍ଲାକମେଲିଂ କଥା କୁହାଯାଉଥିବା ବେଳେ, କିଏ କାହାକୁ ବ୍ଲାକମେଲିଂ କରୁଛି? ଭିଡିଓକୁ ନେଇ ଓମପ୍ରକାଶ ମିଶ୍ରଙ୍କ ସ୍ପଷ୍ଟୀକରଣ ମାଗିଛି ଆମ ଆଦମୀ ପାର୍ଟି । ସେପଟେ ଭିଡିଓ ସତ୍ୟବାଦୀ ମାଟିର ସମ୍ମାନ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛି ବିଜେଡି । ପ୍ରତିବାଦରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ବିରୋଧୀ ପୁରୁଣା ଭିଡିଓକୁ ନେଇ ଅପପ୍ରଚାର ଚଳାଇଥିବା ବିଜେପି ବିଧାୟକ କହିଛନ୍ତି ।

ଭାଇରାଲ୍ ଭିଡିଓର ସତ କଣ?

ଭାଇରାଲ୍ ଭିଡିଓରେ ବିଧାୟକ ଓମପ୍ରକାଶ ମିଶ୍ର ଏକ ରୁମରେ ଜଣେ ଯୁବତୀଙ୍କ ସହ ବସି ଖାଉଥିବା ବେଳେ କଥାବାର୍ତ୍ତା ବି ହେଉଛନ୍ତି । ଏଥିରେ ଯୁବତୀଙ୍କ ସହ ଫଟୋ ରହିଥିବାରୁ ପସ୍ତାଇବା କଥା କହୁଛନ୍ତି ବିଧାୟକ। ଏପରିକି ଫଟୋକୁ ନେଇ ବ୍ଲାକମେଲିଂ କଥା ବି କହୁଛନ୍ତି । ସେଥିରେ ଫଟୋ ନଥିଲେ ତାଙ୍କୁ ଛାଡି ଦେଇଥାନ୍ତେ ବୋଲି ଯୁବତୀ ପ୍ରଶ୍ନ କରୁଛନ୍ତି। ତେବେ ଯୁବତୀଙ୍କୁ ବିଧାୟକ ବ୍ଲାକମେଲିଂ କରୁଛନ୍ତି କି ? ନା ଯୁବତୀ ବିଧାୟକଙ୍କୁ ବ୍ଲକମେଲିଂ କରୁଛନ୍ତି? ନା ତୃତୀୟ ଜଣ କେହି ବ୍ଲାକମେଲିଂ କରୁଛନ୍ତି ? ସେନେଇ ସ୍ପଷ୍ଟ ହୋଇନି ।

ବିଧାୟକ କୁହନ୍ତୁ ସଂପର୍କର ସତ

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବିଜେପି ବିଧାୟକଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି। ଭିଡିଓରେ ଥିବା ଯୁବତୀଙ୍କ ସହ ପୂର୍ବରୁ ମଧ୍ୟ ବିଧାୟକଙ୍କ ଭିଡିଓ ଭାଇରାଲ୍ ହୋଇଥିଲା । ସେତେବେଳେ ବିଧାୟକ ଯୁବତୀଙ୍କୁ ତାଙ୍କ ସଂପର୍କୀୟ କହିଥିଲେ। ଯୁବତୀ ଜଣକ ୨୦୨୨ରେ ବିଜେପିରୁ ୨୯ନମ୍ବର ଜୋନରୁ ଜିଲ୍ଲା ପରିଷଦ ନିର୍ବାଚନ ଲଢିଥିଲେ । ତେଣୁ ଯୁବତୀଙ୍କ ସହ ବିଧାୟକଙ୍କର ସଂପର୍କ କଣ? କିଏ କାହାକୁ ବ୍ଲାକମେଲିଂ କରୁଛି? ବିଧାୟକଙ୍କୁ ଯଦି ଯୁବତୀ ବ୍ଲାକମେଲିଂ କରୁଛନ୍ତି, ସେ କାହିଁକ ପୋଲିସର ଦ୍ବାରସ୍ଥ ହେଉନାହାନ୍ତି? ଆଉ ଯଦି ଯୁବତୀଙ୍କୁ ବ୍ଲାକମେଲିଂ କରାଯାଉଛି, ତେବେ ବିଜେପିରେ କର୍ମୀ ସୁରକ୍ଷିତ ନୁହନ୍ତି କି? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ଦଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କହିବେ କି? ବୋଲି ଆପ୍ ନେତା ପ୍ରଶ୍ନ କରିଛନ୍ତି। ଏଥିସହ ଯୁବତୀଙ୍କୁ ତୁରନ୍ତ ଖୋଜି ତାଙ୍କୁ ସୁରକ୍ଷା ଦେବାକୁ ଦାବି କରିଛି । ଗୋପବନ୍ଧୁଙ୍କ ମାଟିରେ ଏଭଳି ଆଚରଣ ଉଚିତ ନୁହେଁ । ପୂରା ଘଟଣା ନେଇ ବିଧାୟକ ସ୍ପଷ୍ଟୀକରଣ ଦେବାକୁ ଆମ ଆଦମୀ ପାର୍ଟି ଦାବି କରିଛି ।

ବିଜେଡିର ଜୋରଦାର ବିକ୍ଷୋଭ

ସତ୍ୟବାଦୀ ବ୍ଲକ ବିଜେଡି ପକ୍ଷରୁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ପାଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଶତାଧିକ ବିଜେଡି କର୍ମୀ ବିକ୍ଷୋଭରେ ସାମିଲ ହୋଇ ବିଧାୟକ ସତ୍ୟବାଦୀ ମାଟିର ସମ୍ମାନ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଥିଲେ । ମହିଳା ସୁରକ୍ଷାକୁ ନେଇ ବଡ ବଡ କଥା କହୁଥିବା ବିଜେପି ନିଜ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ଘଟଣା ନୂଆ ନୁହେଁ । ନିର୍ବାଚନ ସମୟରେ ବିରୋଧୀ ଗୋଷ୍ଠୀ ଏଭଳି ହୀନ ଉଦ୍ୟମ କରିଥିଲେ । ତେବେ ସତ୍ୟବାଦୀ ଜନତା ଏହାର ଉଚିତ୍ ଜବାବ ଦେଇଥିଲେ । ଅସହିଷ୍ଣୁ ଲୋକେ ପୁରୁଣା ଭିଡିଓକୁ ମାନିପୁଲେଟ କରି ଅପପ୍ରଚାର କରୁଥିବା ବିଧାୟକ ଓମପ୍ରକାଶ ମିଶ୍ର କହିଛନ୍ତି ।

ପୂର୍ବରୁ ବି ସତ୍ୟବାଦୀ ବିଧାୟକଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ସେତେବେଳେ ଭିଡିଓକୁ ନେଇ ବିରୋଧୀ ତୁମ୍ବିତୋଫାନ କରିଥିଲେ । ଏବେ ପୁଣି ଭିଡିଓ ସାମନାକୁ ଆସିଛି । ଏଥିରେ ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିରୋଧୀ ।

Leave A Reply

Your email address will not be published.