Latest Odisha News

ଜାମ୍ମୁ କାଶ୍ମୀର ନିର୍ବାଚନ ଫଳ : ଉମରଙ୍କ ରାଜନୈତିକ ଜୀବନରେ ନୂଆ ମୋଡ

ଜାମ୍ମୁ ଓ କାଶ୍ମୀରର ଐତିହାସିକ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଂଟକୁ ମିଳିଛି ସ୍ପଷ୍ଟ ବହୁମତ । ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ପୁଣି ଥରେ ହେବେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ । ୨୦୦୯ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଉମର ଅବଦୁଲ୍ଲା । ଏ ବର୍ଷ ଲୋକସଭା ନିର୍ବାଚନ ଲଢିଥିଲେ ଉମର । ବାରାମୂଲା ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଉମର, ତିହାର ଜେଲରେ ରହି ନିର୍ବାଚନ ଲଢିଥିବା ଇଞ୍ଜିନିୟର ରସିଦଙ୍କଠାରୁ ହାରିଯାଇଥିଲେ । ହେଲେ ବିଧାନସଭା ନିର୍ବାଚନରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି ୫୪ ବର୍ଷିୟ ଉମର ଅବଦୁଲ୍ଲା ।

ଉମରଙ୍କ ପାଇଁ ଅନେକ ଆହ୍ୱାନ
୨୦୦୯ରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଥିଲା । ଧାରା ୩୭୦ ଉଚ୍ଛେଦ ହୋଇଛି । ଜାମ୍ମୁ ଓ କାଶ୍ମୀର ଏବେ କେନ୍ଦ୍ର ଶାସିତ ଅଂଚଳ । ନୂଆ ବ୍ୟବସ୍ଥା ଅନୁସାରେ ନିର୍ବାଚିତ ସରକାର ଉପରେ ଉପରାଜ୍ୟପାଳ ହିଁ ସର୍ବେସର୍ବା । ନୂଆ ବ୍ୟବସ୍ଥାରେ ବିଧାନସଭା ନିର୍ବାଚନ ଲଢିବାକୁ ଅମଙ୍ଗ ହେଉଥିଲେ ଉମର। କିନ୍ତୁ ପରେ ମନ ପରିବର୍ତ୍ତନ କରିଥିଲେ। ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସର ପ୍ରଚାର ଅଭିଯାନର ମଙ୍ଗ ଧରିଥିଲେ। ଦୁଇ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ ଉମର। ଉଭୟ ବଡଗାମ ଓ ଗଣ୍ଡେରବଲ୍ ଆସନରୁ ବିଜୟୀ ହୋଇଛନ୍ତି ଉମର। କାଶ୍ମୀରିୟତ ପ୍ରସଙ୍ଗରେ ଭୋଟ୍ ମାଗିଥିଲେ ଉମର। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବା ସହ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇବା ପ୍ରସଙ୍ଗ ଉଠାଇଥିଲେ ଉମର। ବିଶେଷଜ୍ଞଙ୍କ ମତରେ ଉମର ଅବଦୁଲ୍ଲା କାଶ୍ମୀର ଉପତ୍ୟକାର ଭୋଟରଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହୋଇଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଉମର ଅବଦୁଲ୍ଲାଙ୍କ ବିଶେଷ କ୍ଷମତା ରହିବ ନାହିଁ। ରାଜନୈତିକ ଦୃଷ୍ଟିରୁ ଉମର ସେତେଟା ଶକ୍ତିଶାଳୀ ହେବେ ନାହିଁ। ହେଲେ ବିଧାନସଭା ନିର୍ବାଚନରେ ଉମରଙ୍କ ପାର୍ଟିର ବିଜୟ ପ୍ରତୀକାତ୍ମକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କ୍ଷମତା ଓ ଶାସନ ଏବେ ଲୋକଙ୍କ ନିକଟତର, ଏହା ଜାମ୍ମୁ ଓ କାଶ୍ମୀର ଲୋକଙ୍କୁ ବୁଝାଇବା ଉମର ଅବଦୁଲ୍ଲାଙ୍କ ପକ୍ଷେ ସବୁଠୁ ବଡ ଆହ୍ୱାନ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଲୋକଙ୍କ ଅଧିକାରର ସୁରକ୍ଷା ଓ ବିଶେଷ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ଏନସିର ପ୍ରତିଶ୍ରୁତି ପାଳନର ବୋଝ ବି ଉମର ଅବଦୁଲ୍ଲାଙ୍କ ଉପରେ ରହିବ।

ଉମରଙ୍କ ରାଜନୈତିକ ଜୀବନ
ଜାମ୍ମୁ ଓ କାଶ୍ମୀର ରାଜନୀତିରେ ଉମରଙ୍କ ପରିବାରର ପ୍ରଭାବ ରହିଆସିଛି। ଉମରଙ୍କ ଜେଜେ ବାପା ଶେଖ୍ ଅବଦୁଲ୍ଲା ତତ୍କାଳୀନ କାଶ୍ମୀରର ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ। ୧୯୭୦ ମାର୍ଚ୍ଚ ୧୦ ତାରିଖରେ ନ୍ୟୁୟର୍କର ରୋଚେଷ୍ଟରରେ ଜନ୍ମିଥିବା ଉମର ଅବଦୁଲ୍ଲା ଶ୍ରୀନଗରର ବର୍ନହଲ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ମୁମ୍ବାଇର ସିଡେନହମ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଉମର। ଯୁବାବସ୍ଥାରେ ହିଁ ରାଜନୀତିରେ ପାଦ ରଖି ୧୯୯୮ ଲୋକସଭା ନିର୍ବାଚନରେ ଶ୍ରୀନଗର ଆସନରୁ ଲଢିଥିଲେ। ମାତ୍ର ୨୮ ବର୍ଷ ବୟସରେ ସାଂସଦ ହୋଇଥିଲେ ଉମର ଅବଦୁଲ୍ଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ଉମର। ୨୦୦୯ରେ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ସରକାର ବିଜୟ ହେବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଉମର ଅବଦୁଲ୍ଲା। ମୁଖ୍ୟମନ୍ତ୍ରୀ ଭାବେ ନିଜର ପ୍ରଥମ ଇନିଂସରେ ଅନେକ ସମସ୍ୟାର ସାମନା କରିଥିଲେ ଉମର। ୨୦୧୦ରେ ଜାମ୍ମୁକାଶ୍ମୀରରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉମରଙ୍କ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଥିଲା। ବିଚ୍ଛିନ୍ନତାବାଦର ସଠିକ ମୁକାବିଲା କରିବାରେ ବିଫଳ ହୋଇଥିଲେ ଉମର ସରକାର । ୨୦୧୪ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲା ନ୍ୟାସନାଲ କନଫରେନ୍ସ। ଦଳର ପରାଜୟ ପରେ ମଧ୍ୟ ଉମର ଅବଦୁଲ୍ଲା ଏନସିର ଜାତୀୟ ଅଧ୍ୟକ୍ଷ ପଦରେ ରହିଥିଲେ। ଜାମ୍ମୁ ଓ କାଶ୍ମୀରଠାରୁ ବିଶେଷ ରାଜ୍ୟର ମାନ୍ୟତା ସଂପର୍କିତ ଧାରା ୩୭୦ ଉଚ୍ଛେଦକୁ ଜୋରଦାର ବିରୋଧ କରିଥିଲେ ଉମର ଅବଦୁଲ୍ଲା। ଏବେ ପୁଣି ଏନସିର ନିର୍ବାଚନୀ ସଫଳତା ଉମର ଅବଦୁଲ୍ଲାଙ୍କ ରାଜନୈତିକ କ୍ୟାରିୟରକୁ ନୂଆ ମୋଡ ଦେଇଛି।

Leave A Reply

Your email address will not be published.