Latest Odisha News

BREAKING NEWS

ରତନ ଟାଟା: ଏକ ଯୁଗର ଅବସାନ, ଯାହା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖା ହେବ

ମୁମ୍ବାଇ: ଆଉ ନାହାନ୍ତି ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା । ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତକାଲି ୮୬ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ତାଙ୍କ ନିଧନରେ ଭାରତ ଖାଲି ଜଣେ ଭେଟେରାନ, ବିଜ୍ଞ ତଥା ଜଣେ ହୃଦୟବାନ୍ ଉଦ୍ୟୋଗପତିକୁ ହରାଇନି ବରଂ ଜଣେ ଶ୍ରେଷ୍ଠ ଜୀବନ୍ତ ଉଦାହରଣ, ଯାହା ଆଜି ଇତିହାସ ପାଲଟିଛି । ଜଣେ ଉଦ୍ୟୋଗପତି ଯାହାକୁ ଆଜି ସାରା ଦେଶ ଝୁରୁଛି । ଯାହାର ଜୀବନ ଯାତ୍ରା, ଦେଶ ପ୍ରତି ଅବଦାନ ଏବଂ ମଣିଷ ପଣିଆର ନିଦର୍ଶନ କାଳ କାଳ ପର୍ଯ୍ୟନ୍ତ ଗୁଞ୍ଜରିତ ହେବ ।

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ରତନ ଟାଟା, ନବଲ ଟାଟା ଏବଂ ସୁନି କମିସାରିଏଟଙ୍କ ଏକ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ୧୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ମାଙ୍କ ବିବାହ ବିଚ୍ଛେଦ କାରଣରୁ ତାଙ୍କୁ ଓ ତାଙ୍କ ସାବତ ଭାଇ ଜିମିଙ୍କୁ ତାଙ୍କ ଜେଜେମା ନଓ୍ବାଜବାଇ ଟାଟା ଲାଳନପାଳନ କରିଥିଲେ । ରତନ ଟାଟା ମୁମ୍ବାଇ, କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲ୍, ମୁମ୍ବାଇରୁ ନିଜର ଶିକ୍ଷା ଆରମ୍ଭ କରିଥିବା ବେଳେ ପରେ ମାଧ୍ୟମିକ ଶିକ୍ଷା ବିଶପ୍ କଟନ୍ ସ୍କୁଲ୍, ଶିମଲାରେ ଏବଂ ରିଭରଡେଲ୍ କଣ୍ଟ୍ରି ସ୍କୁଲ୍, ନ୍ୟୁୟର୍କ ସିଟିରୁ ସେ ତାଙ୍କ ଉଚ୍ଚ ଶିକ୍ଷା ସମ୍ପର୍ଣ୍ଣ କରିଥିଲେ । ସେ ୧୯୬୨ରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟରୁ ଗ୍ରାଜୁଏଟ ହୋଇଥିବା ବେଳେ ଏବଂ ୧୯୭୫ରେ ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଆଡଭାନ୍ସ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ ।

ତେବେ ୨୧ ବର୍ଷ ବୟସରେ ୧୯୬୧ ମସିହାରେ ସେ ପ୍ରଥମେ ଟାଟା ଷ୍ଟିଲରେ ଯୋଗ ଦେଇଥିଲେ । ପରେ ଅଟୋ ଠାରୁ ଆରମ୍ଭ କରି ଷ୍ଟିଲ ପର୍ଯ୍ୟନ୍ତ ସେ ତାଙ୍କ ପାରିବାରିକ ଶିଲ୍ପ ସହ ଜଡିତ ହେଲେ । ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ବନିଥିଲେ ଟାଟା ସନ୍ସର ଚେୟାରମ୍ୟାନ୍ । ୧୯୯୧ରୁ ୨୦୧୨, ୨୧ ବର୍ଷ ପର୍ଯ୍ୟନ୍ତ ଟାଟା ଗ୍ରୁପର ଅଧ୍ୟକ୍ଷ ରହିଥିଲେ ରତନ ଟାଟା । ପରେ କ୍ଷତି ସହୁଥିବା ଟାଟାକୁ ସେ ସଫଳତାର ଶୀର୍ଷରେ ପହଞ୍ଚାଇ ଏହାର ଆର୍ଥିକ ସ୍ଥିତି ୫୦ ଗୁଣା ବୃଦ୍ଧି କରିଥିଲେ । ୧୯୯୬ରେ ଟାଟା ଟେଲିକମ୍ କମ୍ପାନୀ ଟାଟା ଟେଲିସର୍ଭିସେସର ସ୍ଥାପନା କରିଥିଲେ । ୧୯୯୮ରେ ସେତେବେଳେ ଦେଶର ସବୁଠୁ ଛୋଟ ଗାଡ଼ି ଟାଟା ଇଣ୍ଡିକା ଦେଶବାସୀଙ୍କୁ ଭେଟିଦେଇଥିଲେ ।  ୨୦୦୪ରେ ଟାଟା କନସଲଟାଣ୍ଟ ସର୍ଭିସ(ଟିସିଏସକୁ) ମାର୍କେଟରେ ଲିଷ୍ଟ କରାଇଥିଲେ । ୨୦୦୮ରେ କମ୍ ଦାମିକା ନେନୋ କାର ଯାହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ଥିଲା ତାକୁ ମାର୍କେଟକୁ ଆଣିଥିଲେ । ଏଥିସହିତ ସେହିବର୍ଷ ଜାଗୁଆର ଲାଣ୍ଡ ରୋଭରକୁ ଅକ୍ତିଆର କରିଥିଲା ଟାଟା । ୨୦୦୦ ମସିହରେ ବିଶ୍ବର ସବୁଠାରୁ ବଡ ଚାହା କମ୍ପାନୀ ଟେଟଲେକୁ ଟାଟା ସହ ମିଶ୍ରଣ କରାଇ ଟାଟା ଟି ବନିଥିଲା ବିଶ୍ବର ଦ୍ବିତୀୟ ବଡ ଚାହା ଉତ୍ପାଦନକାରୀ ସଂସ୍ଥା । ୨୦୨୨ରେ ଏୟାର ଇଣ୍ଡିଆ କ୍ଷତି ସହୁଥିବାରୁ ତାଙ୍କୁ ମଧ୍ୟ ଟାଟା ନିଜ ଅଧିନକୁ ଆଣି ଏୟାର ଇଣ୍ଡିଆକୁ ନୂଆ ଦିଶା ଦେଇଥିଲା । ଖାଲି ସେତିକି ନୁହେଁ ଜଣେ ଭେଟେରାନ ଶିଳ୍ପପତି ସହିତ ସେ ଜଣେ ବଦାନ୍ୟ ବ୍ୟକ୍ତି ମଧ୍ୟ ଥିଲେ । ମୁମ୍ବାଇରେ ସେ ଦେଶର ସମୁଠାରୁ ବଡ କ୍ୟାନସର ହସ୍ପିଟାଲ ତିଆରି କରିଥିଲେ । ଆଉ ସବୁ ବେଳେ ନିଜର ଲାଭର ୬୫ ପ୍ରାତିଶତ ସେ ଦାନ କରୁଥିଲେ ।

ତେବେ ଶିଳ୍ପ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଭାରତ ସରକାର ତାଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।

୨୧ ବର୍ଷ ଧରି ଟାଟା ଗ୍ରୁପକୁ ସମ୍ଭାଳିଥିଲେ । ଏଥିସହିତ ତାଙ୍କ ଶିଳ୍ପପତି ଜୀବନରେ ଅନେକ କୀର୍ତ୍ତି ସ୍ଥାପନ କରି ଦେଶର ସବୁଠୁ ପୁରୁଣା କାରବାର ଟାଟା ସାମ୍ରାଜ୍ୟକୁ ଆକାଶ ଛୁଆଁ ସଫଳତା ପ୍ରଦାନ କରିଥିଲେ । ତେବେ ଖାଲି ସେ ଯେ ଜଣେ ଭଲ ଉଦ୍ୟୋଗପତି ଥିଲେ ତାହା ନୁହେଁ ଜଣେ ହୃଦୟବାନ ନିଚ୍ଛକ ମଣିଷଟିଏ ଥିଲେ ଯେ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ମନର କଥା ବି ସତେ ଯେମିତି ବୁଝି ପାରୁଥିଲେ । ସେଥିପାଇଁ ତ ଖାଲି ଶିଳ୍ପ ଜଗତ ନୁହେଁ ଆଜି ତାଙ୍କର ନିଧନରେ ପୂରା ଦେଶ ମର୍ମାହତ ।

Leave A Reply

Your email address will not be published.