Latest Odisha News

ଏସବୁ କରନ୍ତୁ…ମାନସିକ ଭାବେ ରହିବେ ସୁସ୍ଥ

ନୂଆଦିଲ୍ଲୀ: ଅକ୍ଟୋବର ୧୦କୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ବରେ ମାନସିକ ସ୍ବାସ୍ଥ୍ୟ ନେଇ ଏବେ ଚର୍ଚ୍ଚା ହେଉଛି । ବଡ ବଡ ସେଲିବ୍ରିଟି ମାନସିକ ସ୍ବାସ୍ଥ୍ୟକୁ ନେଇ ଅଙ୍ଗେନିଭା କଥା କହୁଛନ୍ତି । ତେବେ ସକାରାତ୍ମକ ମାନସିକତା, ଶାରିରୀକ ସୁସ୍ଥତା ସାଙ୍ଗକୁ ଭାବାତ୍ମକ ସ୍ଥିରତା ମାନସିକ ଭାବେ ସୁସ୍ଥ ରହିବାକୁ ଜରୁରୀ । ଆସନ୍ତୁ ଜାଣିବା, କେମିତି ରହିବେ ମାନସିକ ଭାବେ ସୁସ୍ଥ?

୧- ନିଜର ଚିନ୍ତାଧାରା ଓ ଅନୁଭବ ଉପରେ ଫୋକସ କରନ୍ତୁ । ଏହା ଦୁଶ୍ଚିନ୍ତା ଦୂରାଇବା ସହ ମନକୁ ଶାନ୍ତ ରଖିବ । ଦୈନିକ ପ୍ରାଣାୟମ ଓ ଶାରିରୀକ ବ୍ୟାୟାମ କରନ୍ତୁ। ଏହାଦ୍ବାରା ମନ ବର୍ତ୍ତମାନରେ ରହିବା ସହ ଅଯଥା ଚିନ୍ତା ଦୂର ହେବ । ନିୟମିତ ବ୍ୟାୟାମ ଦ୍ବାରା ଅବସାଦ ଭଳି ମାନସିକ ରୋଗ ହେବାର ଆଶଙ୍କା କମିଯାଏ। କିଛି ବାଟ ଚାଲିବା କିମ୍ବା ଯୋଗ କରିବା ଦ୍ବାରା ଭାବାତ୍ମକ ସୁସ୍ଥତା ଆସିଥାଏ।

୨- ସବୁବେଳେ ସନ୍ତୁଳିତ ଆହାର ନିଅନ୍ତୁ । ପୁଷ୍ଟିକର ଖାଦ୍ୟ ସବୁ ବେଳେ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ଜରୁରୀ । ଡାଏଟରେ ପନିପରିବା, ଫଳ ସହ ଓମେଗା-ଥ୍ରୀ ଫ୍ୟାଟି ଏସିଡ୍ ଓ ଆଣ୍ଟିଅକ୍ସିଡାଣ୍ଟ ଥିବା ଖାଦ୍ୟ ନେବା ଦ୍ବାରା ମସ୍ତିଷ୍କର କାର୍ଯ୍ୟକାରିତା ବଢିବା ଦ୍ବାରା ମନ ଭଲ ରହେ । ପ୍ରୋସେସଡ ଖାଦ୍ୟ ଓ ଚିନି କମ୍ ଖାଇବା ଦ୍ବାରା ମଧ୍ୟ ମାନସିକ ଭାବେ ସୁସ୍ଥ ରହିବେ ।

୩- ମାନସିକ ସ୍ବାସ୍ଥ୍ୟ ପାଇଁ ନିଦ୍ରା ବେଶ୍ ଗୁରୁତ୍ବପୂର୍ଣ୍ଣ । ପ୍ରତିଦିନ ୭ରୁ ୯ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଠିକ୍ ସମୟରେ ଶୋଇବା ଦ୍ବାରା ମନ ଭଲ ରହିଥାଏ । ଚିଡଚିଡାପଣ ଦୂର ହେବା ସହ ଏକାଗ୍ରତା ବଢିଥାଏ ।

୪- ଅନ୍ୟ ମାନଙ୍କ ସହ ମିଶିବା ଦ୍ବାରା ମାନସିକ ଭାବେ ସପୋର୍ଟ ମିଳେ । ପରିବାର ସଦସ୍ୟ, ବନ୍ଧୁ ଓ ସହକର୍ମୀଙ୍କ ସହ ନିୟମିତ କଥାବର୍ତ୍ତା ହେବା ଦ୍ବାରା ଏକାକିତ୍ବ ଦେଖାଦିଏନି । ଫଳରେ ଅଯଥା ଚିନ୍ତାରୁ ମୁକ୍ତି ମିଳିଥାଏ ।

୫- ଅଫିସ ଏବଂ ଘର ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ । ଆବଶ୍ୟକସ୍ଥଳେ ନା କହିବା ଶିଖନ୍ତୁ । ନିଜ ପାଇଁ ସମୟ ଓ ଶକ୍ତି କାଢିବା ଶିଖନ୍ତୁ । ଜୀବନରେ ଯାହା ଅଛି ସେଥିପାଇଁ କୃତଜ୍ଞ ରୁହନ୍ତୁ । ପ୍ରତିଦିନ ଡାଏରୀ ଲେଖି କୃତଜ୍ଞତା ଜଣାନ୍ତୁ। ନକାରାତ୍ମକରୁ ସକାରାତ୍ମକ ମନୋବୃତ୍ତି ଦିଗରେ ଏହା ବାଟ କଢାଏ ।

୬- ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଦ୍ବାରା ନିଦ ବ୍ୟାଘାତ ହୁଏ। ତେଣୁ କେତେ ସମୟ ମୋବାଇଲ୍ ବା ଟିଭିରେ ବିତାଇବେ ତାହା ନିର୍ଦ୍ଧାରଣ କରନ୍ତୁ । ସୋସିଆଲ୍ ମିଡିଆରେ କଥା ହେବା ଅପେକ୍ଷା ବ୍ୟକ୍ତିଗତ ଭାବେ ଭେଟିବାକୁ ଗୁରୁତ୍ବ ଦିଅନ୍ତୁ । ନିଜର କିଛି ହବି ଥିଲେ ସେଥିପାଇଁ ସମୟ ଦିଅନ୍ତୁ । ସୃଜନଶୀଳ କାମରେ ମନ ଲଗାଇଲେ ମନ ଖୁସି ରହିବା ସହ ଅବସାଦ ଦୂର ହୋଇଥାଏ । ଯଦି ଏସବୁ ପରେ ବି ମାନସିକ ସ୍ବାସ୍ଥ୍ୟ ଠିକ୍ ନରୁହେ, ତେବେ ପ୍ରଫେସନାଲଙ୍କ ସାହାଯ୍ୟ ନିଅନ୍ତୁ । ଥେରାପି ଓ କାଉନସେଲିଂ ଦ୍ବାରା ମାନସିକ ରୋଗୀ ସୁସ୍ଥ ହୋଇପାରିବେ ।

ଦେଶରେ ପ୍ରତି ୫ଜଣଙ୍କ ମଧ୍ୟରେ ଜଣେ କୌଣସି ପ୍ରକାରର ମାନସିକ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଆକ୍ରାନ୍ତ। ସେହିପରି ପ୍ରତି ୪ଜଣରୁ ଜଣେ ଜୀବନରେ ଥରେ ମାନସିକ ଅସୁସ୍ଥତା ଦେଇ ଗତି କରନ୍ତି । ବିଶ୍ବର ୧୪ପ୍ରତିଶତରୁ ଅଧିକ ମୃତ୍ୟୁ ତଥା  ୮୦ଲକ୍ଷ ଲୋକ ପ୍ରତିବର୍ଷ ମାନସିକ ରୋଗରେ ପ୍ରାଣ ହରାଇଥାନ୍ତି । ଦେଶରେ ୬ରୁ ୭କୋଟି ଲୋକ ମାନସିକ ଅସୁସ୍ଥତା ଭୋଗୁଛନ୍ତି । ବର୍ଷକରେ ଅଢେଇ ଲକ୍ଷରୁ ଅଧିକ ଆତ୍ମହତ୍ୟା ସହ ବିଶ୍ବର ସୁଇସାଇଡ୍ କ୍ୟାପିଟାଲ୍ ପାଲଟିଛି ଭାରତ।

Leave A Reply

Your email address will not be published.