Latest Odisha News

ଖୋଲିବ ମହାଦେବ ବେଟିଂ ସ୍କାମ୍‌ର ରାଜ୍‌, ଧରାପଡିଲା ମହାଠକ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ବଡ ଧରଣର ସଫଳତା । ମହାଦେବ ବେଟିଂ ଠକେଇ ମାମଲାର ମାଷ୍ଟରମାଇଣ୍ଡ୍ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରିଛି ଇଂଟରପୋଲ୍ । ଦୁବାଇରେ ସୌରଭଙ୍କୁ ବାନ୍ଧିଛି ଇଂଟରପୋଲ୍ । ସୌରଭ ଚନ୍ଦ୍ରାକର ମହାଦେବ ବେଟିଂ ଆପ୍‌ର ମାଲିକ ଓ ପ୍ରମୋଟରଙ୍କ ମଧ୍ୟରୁ ଜଣେ । ସୌରଭଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୌରଭ ଚନ୍ଦ୍ରାକର ଧରାପଡିବା ଭାରତୀୟ ଯାଂଚ ଏଜେନସୀଙ୍କ ପାଇଁ ବଡ ସଫଳତା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସପ୍ତାହକ ମଧ୍ୟରେ ସୌରଭଙ୍କୁ ଭାରତ ଆଣିବା ସମ୍ଭାବନା ରହିଛି । ସୌରଭର ଗିରଫଦାରୀ ନେଇ ଇଂଟରପୋଲ ସିବିଆଇକୁ ଜଣାଇଛି । ମହାଦେବ ଆପ୍ ଠକେଇ ମାମଲାରେ ସୌରଭ ଚନ୍ଦ୍ରାକର ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା ଇଂଟରପୋଲ୍ । ଠକେଇ ଓ ମନି ଲଣ୍ଡ୍ରିଂ ମାମଲାରେ ସୌରଭଙ୍କୁ ଖୋଜା ପଡିଥିଲା । ଛତିଶଗଡରେ ମହାଦେବ ଆପ୍ ଠକେଇ ମାମଲାର ପର୍ଦ୍ଦାଫାଶ ହୋଇଥିଲା । ରାଜ୍ୟରେ କଂଗ୍ରେସ ସରକାର ଥିବା ବେଳେ ଠକେଇ ମାମଲା ସାମନାକୁ ଆସିଥିଲା ।

ଆପ୍ ଜରିଆରେ ଲକ୍ଷାଧିକ ଲୋକଙ୍କୁ ଠକେଇ

ମହାଦେବ ବେଟିଂ ଆପ୍ ଜରିଆରେ ଲକ୍ଷାଧିକ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଏ ଯାଏଁ ୧୨ ଜଣଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମହାଦେବ ବେଟିଂ ଆପ୍ ଜରିଆରେ ପ୍ରାୟ ୬ ହଜାର କୋଟି ଟଙ୍କା ଠକେଇ ହୋଇଛି ବୋଲି ଅନୁମାନ କରୁଛି କେନ୍ଦ୍ରୀୟ ଯାଂଚ ଏଜେନସୀ । ଏକ ବର୍ଷରୁ ଅଧିକ ସମୟ ହେବ ମହାଦେବ ଆପ୍ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାର ଯାଂଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡରେ ବିଜେପି ସରକାର ଆସିଲା ପରେ ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଇଥିବା ରିପୋର୍ଟ ଆଧାରରେ ଏକାଧିକ ଏତଲା ଦାୟର କରିଥିଲା । ସୌରଭ ଚନ୍ଦ୍ରାକରଙ୍କ ସମେତ ମହାଦେବ ବେଟିଂ ଆପ୍‌ର ଅନ୍ୟ ମାଲିକ ଏବଂ ପ୍ରମୋଟର ରବି ଉପ୍ପଲ, ଶୁଭମ ସୋନି ଓ ଅନିଲ କୁମାର ଅଗ୍ରୱାଲ ବିରୋଧରେ ରୁଜୁ ହୋଇଥିଲା ମାମଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ବି ଅଭିଯୋଗ ଆସିଛି ।

ବଡ ନେତା ଓ ଅଧିକାରୀ ବି ସ୍କାମରେ ସାମିଲ !

ମହାଦେବ ବେଟିଂ ଆପ୍ ସ୍କାମରେ ଛତିଶଗଡର ବହୁ ବଡ ନେତା ଓ ଅଧିକାରୀ ସଂପୃକ୍ତ ବୋଲି ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲ ମହାଦେବ ବେଟିଂ ଆପ୍‌ର ମାଲିକ ଭାବେ ଦୁବାଇରେ ରହି ବେଆଇନ୍ ବେଟିଂ କାରବାର ଚଳାଉଥିଲେ । ମହାଦେବ ବେଟିଂ ଆପ୍ ଏକ ଅମ୍ବ୍ରେଲା ସିଣ୍ଡିକେଟ୍ ଥିଲା ବୋଲି ଇଡି ଯାଂଚ ରିପୋର୍ଟରେ କୁହାଯାଇଛି । ବେଟିଂ ୱେବସାଇଟ୍‌ରେ ନୂଆ ୟୁଜରଙ୍କ ପଂଜୀକରଣ, ୟୁଜର ଆଇଡି ପ୍ରସ୍ତୁତି ଏବଂ ବେନାମୀ ବ୍ୟାଙ୍କ୍ ଆକାଉଂଟ ମାଧ୍ୟମରେ ମନି ଲଣ୍ଡ୍ରିଂ କରିବାକୁ ଅନଲାଇନ୍ ପ୍ଲାଟଫର୍ମର ବ୍ୟବସ୍ଥା କରୁଥିଲା ସିଣ୍ଡିକେଟ୍।

ମହାଦେବ ବେଟିଂ ଆପକୁ ବ୍ୟାନ କରିଥିଲା କେନ୍ଦ୍ର

୨୦୨୩ ନଭେମ୍ବର ୫ ତାରିଖରେ ମହାଦେବ ବେଟିଂ ଆପ୍ ସମେତ ବେଆଇନ ବେଟିଂରେ ସଂପୃକ୍ତ ୨୨ଟି ଆପ୍ ଓ ୱେବସାଇଟ ବ୍ୟାନ କରିଥିଲେ କେନ୍ଦ୍ର ସରକାର । ଇଡି ସୁପାରିଶ ପରେ ଆଇଟି ଆକ୍ଟର ଧାରା ୬୯ଏ ଅଧୀନରେ ଅବୈଧ ବେଟିଂ ଆପ୍ ସବୁ ବ୍ଲକ୍ କରାଯାଇଥିଲା । ଠକେଇ ଅଭିଯୋଗରେ ମହାଦେବ ବେଟିଂ ଆପ୍ ଓ ଏହାର ମାଲିକ ଏବଂ ପ୍ରମୋଟରଙ୍କ ବିରୋଧରେ ୨୦୨୩ ନଭେମ୍ବର ୮ରେ ମାମଲା ରୁଜୁ କରିଥିଲା ମୁମ୍ବାଇ ପୋଲିସ । ୩୦ରୁ ଅଧିକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତମାନେ ଲୋକଙ୍କୁ ୧୫ ହଜାର କୋଟି ଟଙ୍କା ଠକିଥିଲେ ବୋଲି ଅଭିଯୋଗ ହୋଇଥିଲା । ସୌରଭ ଚନ୍ଦ୍ରାକରକୁ ଗିରଫ କରାଗଲା ପରେ ଏହି ମାମଲା ସଂପର୍କିତ ଆହୁରି ଅନେକ ରହସ୍ୟର ପର୍ଦ୍ଦାଫାଶ ହେବ ଅନୁମାନ କରାଯାଉଛି ।

Leave A Reply

Your email address will not be published.