Latest Odisha News

କମାଲ କରୁଛି ‘କର୍ମ’: ଦର୍ଶକଙ୍କୁ ବାନ୍ଧି ରଖୁଛି

ଭୁବନେଶ୍ବର: ଏବେ ପୁଣି ଓଡିଆ ସିନେମା ପ୍ରତି ଆକର୍ଷିତ ହେଲେଣି ଦର୍ଶକ । ସେହି ପୁରୁଣା ହିରୋଙ୍କ ନୂଆ ଅନ୍ଦାଜ ଏବେ ଦର୍ଶକଙ୍କ ମନକୁ ବେଶ୍ ଛୁଉଁଛି । ପୂଜା ବଜାରରେ ଏବେ ରିଲିଜ୍ ହୋଇଛି ଅନୁଭବ ମହାନ୍ତିଙ୍କ ଅଭିନୀତ ସିନେମା ‘କର୍ମ’ । ଏବେ ସିନେମା ହଲରେ ଯେମିତି କମାଲ କରିଚାଲିଛି । ରିଲିଜ ହେବାର ୪ ଦିନ ଭିତରେ କୋଟିଏରୁ ଅଧିକ ଟଙ୍କା କମାଇ ସାରିଲାଣି । ଖାଲି ସେତିକି ନୁହେଁ ପ୍ରଥମ ଥର ପାଇଁ କୌଣସି ସିନେମା ହଲରେ ଓଡିଆ ଫିଲ୍ମ ପାଇଁ ହାଉସ୍ ଫୁଲ୍ ହୋଇଛି । ଖାଲି ଓଡିଶା ନୁହେଁ ମୁମ୍ବାଇ, ବେଙ୍ଗାଲୁରୁରେ ବି ପୂରା ହାଉସ୍ ଫୁଲ୍ । ତେବେ ବହୁଦିନ ପରେ ଓଡିଆ ଫିଲ୍ମକୁ ନେଇ ଏଭଳି ରେସପନ୍ସ ଆସିଛି ।

ତେବେ ଗତ ୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କର୍ମ’ ପ୍ରଥମ ଦିନରେ ହିଁ ୩୭ ଲକ୍ଷ ଟଙ୍କା ବ୍ୟବସାୟ କରି ଓଡ଼ିଶା ସିନେମା ଶିଳ୍ପ ଇତିହାସରେ ରେକର୍ଡ ସୃଷ୍ଟି କରିଛି। ଦର୍ଶକମାନେ ସୁପର୍‌ଷ୍ଟାର୍‌ ଅନୁଭବଙ୍କୁ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ଚରିତ୍ରରେ ଦେଖି ଯେତିକି ଉତ୍ସାହିତ ହେଉଛନ୍ତି, ଆହୁରି ରୋମାଞ୍ଚିତ ହେଉଛନ୍ତି ଏହାର ବଦଳୁଥିବା ସିନେମା ମୋଡକୁ ନେଇ । ପୁରାଣର ‘କର୍ମ’ ତତ୍ତ୍ବ କିଭଳି ସମସ୍ତଙ୍କୁ ନିଜ କର୍ମର ଫଳ ପ୍ରଦାନ କରିଥାଏ ତାହାକୁ ତାହାକୁ ନେଇ ଚିତ୍ରିତ ଏହି ଓଡ଼ିଆ ସିନେମା ‘କର୍ମ’ ।

ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଓଡିଆ ଆକ୍ସନ ଥ୍ରୀଲର ଫିଲ୍ମ କର୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ ମହାପାତ୍ର, ଦିବ୍ୟଦିଶା ମହାନ୍ତି, ସନୋଜ କୁମାର ଏବଂ ମନ୍ମୟ ଦେ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ସିନେମାରେ ଏମାନଙ୍କ ଚରିତ୍ର ଓ ଅଭିନୟ ଦର୍ଶକଙ୍କୁ ଯେତିକି ବାନ୍ଧିକି ରଖିଛି, ଏହାର ଗୀତ ମଧ୍ୟ ଦର୍ଶକଙ୍କୁ ସେତିକି ମତୁଆଲା କରିଛି । ‘ଚିରିଙ୍ଗ୍‌ ଚିରିଙ୍ଗ୍‌’ ଗୀତଟି ବାଜିବା ମାତ୍ରେ ସିନେମା ହଲରେ ଦର୍ଶକମାନେ ନିଜ ଆସନରୁ ଉଠି ନାଚୁଥିବାର ଦେଖିବାକୁ ମିଳୁଛି।

ତେବେ ଏହି ଫିଲ୍ମଟିକୁ ଦର୍ଶକ ବହୁ ପସନ୍ଦ କରିବା ସହିତ କେହି କେହି ଏହାକୁ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍‌’ ସିନେମା ସହିତ ତୁଳନା କରୁଛନ୍ତି। ଏଥିସହିତ ଏହି ସିନେମାର ଶେଷ ପର୍ଯ୍ୟାୟ ଲୋକଙ୍କ ମନରେ ଏତେ ଉତ୍କଣ୍ଠା ଭରିଦେଇଛି ଯେ ସିନେମା ହଲରୁ ବାହାରିବା ପରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ରହୁଛି ‘ଏବେ ୟା ପରେ କ’ଣ ହେବ?’ । ଯାହାକୁ ନେଇ ଏହାର ସିକ୍ବେଲ ନେଇ ଚର୍ଚ୍ଚା ଜୋର ଧରିଲାଣି ।

Leave A Reply

Your email address will not be published.