Latest Odisha News

BREAKING NEWS

‘ମେଟାଲ୍ ଆର୍ମ’ରେ ‘ରକେଟ୍ କ୍ୟାଚ୍‌’

ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମରେ ଏକ ଐତିହାସିକ ସଫଳତା ହାସଲ କରିଛି ସ୍ପେସଏକ୍ସ କମ୍ପାନି । ସ୍ପେସଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପ୍‌ର ବୁଷ୍ଟର ସଫଳ ଅବତରଣ କରି ରଚିଛି ନୂଆ ଇତିହାସ । ଷ୍ଟାରସିପ୍ ବୁଷ୍ଟରର ସଫଳ ପରୀକ୍ଷଣ ସହ ଭବିଷ୍ୟତରେ କୌଣସି ଗୋଟିଏ ରକେଟ୍‌କୁ ବାରମ୍ବାର ବ୍ୟବହାରର ପଥ ପରିଷ୍କାର ହୋଇଛି । ଷ୍ଟାରସିପ୍ ରକେଟର ବୁଷ୍ଟର ୯୬ କିଲୋମିଟର ଉଚ୍ଚତାରୁ ପୁଣି ଲଂଚପ୍ୟାଡକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛି । ମହାକାଶ ଗବେଷଣା କାର୍ଯ୍ୟକ୍ରମରେ ଏହା ଏକ ବଡ ଧରଣର ସଫଳତା ।

ଷ୍ଟାରସିପ୍ ରକେଟ୍‌ର ସବୁଠୁ ସାହସିକ ପରୀକ୍ଷାମୂଳକ ଉଡାଣ

ସ୍ପେସଏକ୍ସ ନିଜର ଷ୍ଟାରସିପ୍ ରକେଟର ଏ ଯାଏଁ ସବୁଠୁ ସାହସିକ ପରୀକ୍ଷାମୂଳକ ଉଡାଣରେ ସଫଳ ହୋଇଛି । ଷ୍ଟାରସିପ୍ ରକେଟକୁ ପ୍ରଥମେ ସଫଳତାର ସହ ମହାକାଶକୁ ଛଡାଯାଇଥିଲା । ଆଉ ଫେରୁଥିବା ବୁଷ୍ଟରକୁ ଧରିବା ପାଇଁ ବ୍ୟବହାର କରାଯାଇଥିଲା ବିଶାଳ ମେଟାଲ୍ ଆର୍ମ ବା ଯାନ୍ତ୍ରିକ ବାହୁ । ମେଟାଲ୍ ଆର୍ମ ବୁଷ୍ଟରକୁ ଧରି ଲଂଚପ୍ୟାଡରେ ପୁଣି ସ୍ଥାପିତ କରିଥିଲା । ମାନବ ରହିତ ଷ୍ଟାରସିପ୍ ରକେଟର ଏହି ଐତିହାସିକ ସଫଳତାକୁ ମହାକାଶ ଯାତ୍ରୀ ଓ ବିଜ୍ଞାନୀମାନେ ପ୍ରଶଂସା କରିଛନ୍ତି । ଷ୍ଟାରସିପ୍ ରକେଟର ଏହା ଥିଲା ପଂଚମ ଉଡାଣ । ଷ୍ଟାରସିପ୍ ରକେଟର ଲମ୍ବ ହେଉଛି ପ୍ରାୟ ୪ ଶହ ଫୁଟ ବା ୧୨୧ ମିଟର ।

ଲଂଚପ୍ୟାଡରେ ବୁଷ୍ଟରକୁ କ୍ୟାଚ୍ କଲା ଯାନ୍ତ୍ରିକ ବାହୁ

ସ୍ପେସଏକ୍ସର ପ୍ରଥମ ପର୍ଯ୍ୟାୟର ବୁଷ୍ଟରକୁ ପୁଣି ସେହି ଲଂଚପ୍ୟାଡରେ ହିଁ ଅବତରଣ କରାଯାଇଥିଲା, ଯେଉଁଠୁ ୭ ମିନିଟ ପୂର୍ବେ ତାହା ଉଡାଣ ଭରିଥିଲା । ଉତକ୍ଷେପଣ ଟାୱାରରେ ଲାଗିଥିଲା ଲୁହା ନିର୍ମିତ ବିଶାଳ ରଡ୍ , ଯାହା କି ଚପଷ୍ଟିକ୍ ଭାବେ ପରିଚିତ । ଷ୍ଟାରସିପ୍ ରକେଟରେ ଲାଗିଛି ୩୩ଟି ରାଫ୍ଟର ଇଞ୍ଜିନ । ପୂର୍ବରୁ ଷ୍ଟାରସିପ୍ ରକେଟ୍‌ର ଚାରି ଥର ସଫଳ ଉତକ୍ଷେପଣ ହୋଇଥିଲେ ମଧ୍ୟ ଲଂଚପ୍ୟାଡକୁ ବୁଷ୍ଟରର ରିଟର୍ଣ୍ଣ ହୋଇପାରିନଥିଲା । ମଝି ଆକାଶରେ ନଷ୍ଟ ହୋଇଯାଇଥିଲା ବୁଷ୍ଟର । ସ୍ପେସଏକ୍ସ ମାଲିକ ଏଲନ ମସ୍କ ଏଥର ବୁଷ୍ଟରର ସଫଳ ଲ୍ୟାଣ୍ଡିଂ ପାଇଁ ଲଂଚପ୍ୟାଡରେ ବିଶାଳ ଓ ମଜବୁତ୍ ମେକାନିକାଲ ଆର୍ମ ବା ଯାନ୍ତ୍ରିକ ବାହୁ ବ୍ୟବହାର କରିଥିଲେ । ବିଶାଳ ଯାନ୍ତ୍ରିକ ବାହୁ ୨୩୨ ଫୁଟ ଲମ୍ବା ବୁଷ୍ଟରକୁ ଚପଷ୍ଟିକ ଭଳି ଧରିନେଇଥିଲା । ଷ୍ଟାରସିପ୍ ବୁଷ୍ଟରକୁ ଲଂଚପ୍ୟାଡର ଯାନ୍ତ୍ରିକ ବାହୁ ଧରିବା ପରେ ଖୁସିରେ ଚିତ୍କାର କରିଥିଲେ ସ୍ପେସଏକ୍ସ କର୍ମଚାରୀ । ସମଗ୍ର ପ୍ରକ୍ରିୟାକୁ ରକେଟ୍ କ୍ୟାଚ୍ ବୋଲି କୁହାଯାଉଛି । ଏଲନ ମସ୍କ ଏକ୍ସରେ ଏହି ଐତିହାସିକ ସଫଳତା ସଂପର୍କରେ ସୂଚନା ଦେଇଛନ୍ତି । ସଫଳତାର ଶ୍ରେୟ ମିଶନର ଫ୍ଲାଇଟ୍ ଡାଇରେକ୍ଟରଙ୍କୁ ଦେଇଛନ୍ତି ମସ୍କ ।

ରକେଟ୍ କ୍ୟାଚ୍ ସଫଳତାକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ଷ୍ଟାରସିପ୍ ରକେଟର ବୁଷ୍ଟର ଲଂଚପ୍ୟାଡରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିବାରୁ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଷ୍ଟାରସିପ୍ ରକେଟର ନିମ୍ନଭାଗ ସଫଳତାରୁ ସହ ଲଂଚପ୍ୟାଡର ମେଟାଲ୍ ଆର୍ମରେ ଅବତରଣ କରିଥିବାରୁ ମସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମହିନ୍ଦ୍ରା । ରକେଟ୍ କ୍ୟାଚ୍ ପରୀକ୍ଷଣ ମହାକାଶ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ମହିନ୍ଦ୍ରା , ମସ୍କଙ୍କୁ କହିଛନ୍ତି ।

 

Leave A Reply

Your email address will not be published.