Latest Odisha News

ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ଭୋଟ୍ ପାଇଁ ବାଜିଲା ବିଗୁଲ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଜାତୀୟ ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମହାରାଷ୍ଟ୍ର ସହ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ନଭେମ୍ବର ୨୦ରେ ହେବେ ଭୋଟ ଗ୍ରହଣ । ଝାଡଖଣ୍ଡରେ ନଭେମ୍ବର ୧୩ ଓ ୨୦ରେ ହେବ ମତଦାନ । ନଭେମ୍ବର ୨୩ରେ ହେବ ଭୋଟ୍ ଗଣତି । ନିର୍ବାଚନ ତାରିଖ ଘୋଷଣା ସହ ଦୁଇ ରାଜ୍ୟରେ ଲାଗୁ ହୋଇଛି ଆଚରଣ ବିଧି । ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହେଉଥିବା ବେଳେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ ଯାଏଁ ରହିଛି ।

ମହାରାଷ୍ଟ୍ରରେ ଦୁଇ ମେଂଟ ମଧ୍ୟରେ ମହାଲଢେଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିବ । ରାଜ୍ୟରେ ଏଥର ଦୁଇ ମେଂଟ ମଧ୍ୟରେ ଲଢେଇ ହେବାକୁ ଯାଉଛି । ବିଜେପି, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା, ଅଜିତ ପାୱାରଙ୍କ ଏନସିପିକୁ ନେଇ ଗଠିତ ଶାସକ ମହାୟୁତି ମେଂଟର ସିଧାସଳଖ ଲଢେଇ ବିରୋଧୀ ମହାବିକାଶ ଅଘାଡି ସହ ହେବ । ମହାବିକାଶ ଅଘାଡି-ଏମଭିଏରେ ଉଦ୍ଧବ ଥାକରେଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସକୁ ନେଇ ଗଠିତ ହୋଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ଶିବସେନା ନେତୃତ୍ୱାଧିନ ଏକନାଥ ସିନ୍ଦେ ସରକାର ରହିଛି । ଦୁଇବର୍ଷ ତଳେ ପୁରୁଣା ଶିବସେନାରୁ ଅଲଗା ହୋଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହ ହାତ ମିଳାଇ ସରକାର ଗଠନ କରିଥିଲା । ଏକନାଥ ସିନ୍ଦେ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସିନ୍ଦେ ସରକାରରେ ଅଜିତ ପାୱାରଙ୍କ ଏନସିପି ମଧ୍ୟ ସାମିଲ ଅଛି ।

ଏନଡିଏକୁ ମିଳିଥିଲା ବହୁମତ, ସରକାର କଲା ଏମଭିଏ

୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଥିଲା ସ୍ପଷ୍ଟ ବହୁମତ । କିନ୍ତୁ ମତଭେଦ ଯୋଗୁଁ ଏନଡିଏରୁ ଓହରି ଆସିଥିଲା ଶିବସେନା । ଏନସିପି ସହ ମେଂଟ କରିଥିଲା ଶିବସେନା । ଏଥିରେ କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା । ଶିବସେନା ନେତା ଉଦ୍ଧବ ଥାକରେ ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୨ରେ ଶିବସେନାରେ ଘଟିଥିଲା ବିଭାଜନ । ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେ । ୪୦ ବିଧାୟକଙ୍କୁ ନେଇ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏକନାଥ ସିନ୍ଦେ । ୨୦୨୩ରେ ଏନସିପିରେ ବିଦ୍ରୋହ କରି ଅଜିତ ପାୱାର ଗୋଷ୍ଠୀ ମଧ୍ୟ ସିନ୍ଦେ ସରକାରରେ ସାମିଲ ହୋଇଥିଲା ।

ଝାଡଖଣ୍ଡରେ ଜେଏମଏମ ଓ ବିଜେପି ମେଂଟ ମଧ୍ୟରେ ଟକ୍କର

ଝାଡଖଣ୍ଡର ୮୧ ବିଧାନସଭା ଆସନରେ ନଭେମ୍ବର ୧୩ ଓ ୨୦ରେ ଭୋଟ୍ ଗ୍ରହଣ ହେବ । ରାଜ୍ୟରେ ଏଥର କ୍ଷମତା ବଜାୟ ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଆଶା ରଖିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଜେଏମଏମ ମେଂଟ । ଜେଏମଏମ ଇଣ୍ଡି ମେଂଟର ଅଂଶୀଦାର ରହିଛି । ଏଥର ନିର୍ବାଚନ ସଫଳତା ପାଇଁ ଏନଡିଏ ରାଜ୍ୟର ଚାରି ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ଚଂପାଇ ସୋରେନ ଓ ମଧୁ କୋଡାଙ୍କ ଉପରେ ନିର୍ଭର କରି କରିଛି । ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ରଣନୀତି ପ୍ରସ୍ତୁତି ଓ ପ୍ରଚାର ଅଭିଯାନରେ ଏନଡିଏ ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବେ ଚାରି ପୂର୍ବତନ ମୁଖ୍ୟମନ୍ତ୍ରୀ । କିଛି ଦିନ ତଳେ ଶାସକ ଜେଏମଏମରୁ ଇସ୍ତଫା ଦେଇ ପଦ୍ମ ଧରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ । ଚଂପାଇଙ୍କୁ ସାମିଲ କରି ବିଜେପି ଜେଏମଏମର ଭୋଟ୍ ବିଭାଜନ ପାଇଁ ଆଶା ରଖିଛି।

Leave A Reply

Your email address will not be published.