Latest Odisha News

ଦକ୍ଷିଣକୁ ପସନ୍ଦ ନୁହେଁ ଆମେ ଦୁଇ ଆମର ଦୁଇ !

ନୂଆଦିଲ୍ଲୀ: ଦକ୍ଷିଣକୁ ପସନ୍ଦ ନୁହେଁ ଆମେ ଦୁଇ ଆମର ଦୁଇ । ଜନସଂଖ୍ୟାକୁ ନେଇ ଉତ୍ତର ବନାମ ଦକ୍ଷିଣ । କାହିଁକି ଜନସଂଖ୍ୟା ବଢାଇବାକୁ କହୁଛନ୍ତି ସାଉଥ୍ ସିଏମ୍? ଜନସଂଖ୍ୟା ବୃଦ୍ଧି ପଛରେ କଣ ରହିଛି ରାଜନୀତି? ଜନସଂଖ୍ୟାରେ ଚୀନକୁ ଟପିଗଲାଣି ଭାରତ । ହେଲେ ନିୟନ୍ତ୍ରଣ କରିବେ କଣ ଜନସଂଖ୍ୟା ବଢାଇବାକୁ କହି ଏବେ ଚର୍ଚ୍ଚାରେ ଦକ୍ଷିଣ ଭାରତର ଦୁଇ ମୁଖ୍ୟମନ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି ନାଇଡୁ ଓ ଷ୍ଟାଲିନଙ୍କର ଏଭଳି ଘୋଷଣା ପରେ ପୁଣି ଆରମ୍ଭ ହେବ କି ଉତ୍ତର ବନାମ ଦକ୍ଷିଣ ତର୍କ?

କଣ କହିଲେ ନାଇଡୁ, ଷ୍ଟାଲିନ?

ପ୍ରଥମେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବାକୁ କହିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶରେ ବୟସ୍କଙ୍କ ସଂଖ୍ୟା ବଢୁଥିବା ବେଳେ ଜାତୀୟଠାରୁ ଆନ୍ଧ୍ରରେ ପ୍ରଜନନ ହାର କମ୍ ରହିଛି । ୨୦୪୭ସୁଦ୍ଧା ବୟସ୍କଙ୍କ ସଂଖ୍ୟା ବହୁତ ହେବ । ତେଣୁ ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ନିର୍ବାଚନ ଲଢିବା ଭଳି ନିୟମ ସରକାର ଖୁବ୍ ଶୀଘ୍ର ଆଣିବେ ବୋଲି ନାଇଡୁ କହିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଉ ଦୁଇ ପାଦ ଆଗକୁ ଯାଇଛନ୍ତି । ନବବିବାହିତଙ୍କୁ ୧୬ଟି ସନ୍ତାନ ଜନ୍ମ କରିବାକୁ ସେ ଅପିଲ୍ କରିଛନ୍ତି । ଜନସଂଖ୍ୟା କମୁଛି, ଏହାର ପ୍ରଭାବ ଲୋକସଭା ସିଟ୍ ଉପରେ ପଡିବ । ତେଣୁ ୧୬ଟି ଲେଖାଏଁ ସନ୍ତାନ ଜନ୍ମ କରିବାକୁ ଷ୍ଟାଲିନ କହିଛନ୍ତି ।

ବଢୁଛି କି ବୟସ୍କଙ୍କ ଜନସଂଖ୍ୟା?

ଭାରତରେ ୧୫ରୁ ୨୯ବର୍ଷ ବୟସ ବର୍ଗକୁ ଯୁବବର୍ଗ କୁହାଯାଏ। ସାରା ବିଶ୍ବରେ ଏବେ ଭାରତରେ ହିଁ ସର୍ବାଧିକ ଯୁବ ଜନସଂଖ୍ୟା ରହିଛି । ତେବେ ଏ ସଂଖ୍ୟା ଆଗକୁ କମିବ। କେନ୍ଦ୍ର ସରକାରଙ୍କ ୟୁଥ୍ ଇନ ଇଣ୍ଡିଆ ରିପୋର୍ଟ ଅନୁସାରେ ୨୦୨୧ ମସିହା ପର୍ଯ୍ୟନ୍ତ ଦେଶର ୨୭ପ୍ରତିଶତରୁ ଅଧିକ ଜନସଂଖ୍ୟା ଯୁବବର୍ଗ ଥିଲେ । ତେବେ ୨୦୩୧ ସୁଦ୍ଧା ଯୁବ ଜନସଂଖ୍ୟା କମି ୨୪ପ୍ରତିଶତ ଓ ୨୦୩୬ ସୁଦ୍ଧା ୨୨ପ୍ରତିଶତରେ ପହଞ୍ଚିବ । ସେପଟେ ୨୦୨୧ ପର୍ଯ୍ୟନ୍ତ ଦେଶରେ ୬୦ବର୍ଷରୁ ଅଧିକଙ୍କ ସଂଖ୍ୟା ୧୦ପ୍ରତିଶତ ଥିବା ବେଳେ ୨୦୩୧ ସୁଦ୍ଧା ଏହା ୧୩ପ୍ରତିଶତ ଟପିଯିବ। ୨୦୩୬ ବେଳକୁ ବୟସ୍କଙ୍କ ସଂଖ୍ୟା ୧୫ପ୍ରତିଶତ ହୋଇଯିବ ।

କାହିଁକି ଉତ୍ତର Vs ଦକ୍ଷିଣ?

ଦକ୍ଷିଣ ଭାରତରେ ଜନସଂଖ୍ୟା ବୃଦ୍ଧି ହାର ଉତ୍ତର ଭାରତ ତୁଳନାରେ କମ୍ ରହିଛି। ଫଳରେ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ବେଳେ ଯୁବକଙ୍କ ସଂଖ୍ୟା କମ୍ ରହିଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୨୦୩୬ ବେଳକୁ ଉତ୍ତର ଅପେକ୍ଷା ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ଅଧିକ ରହିବ। ସ୍ବାଧୀନତା ପରେ ୧୯୫୧ ଜନଗଣନାରେ ଦେଶର ଜନସଂଖ୍ୟା ପ୍ରାୟ ୩୬କୋଟି ଥିଲା । ଯାହା ୧୯୭୧ ବେଳକୁ ବଢି ୫୫କୋଟି ହୋଇଥିଲା । ଫଳରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଜୋର ଦେଇଥିଲେ ସରକାର । ଏହାପରେ ଦକ୍ଷିଣରେ ଜନସଂଖ୍ୟା ନିୟନ୍ତ୍ରଣ ହେଲା ହେଲେ ଉତ୍ତରରେ ବଢିଲା । ଜନସଂଖ୍ୟାକୁ ନେଇ ଲୋକସଭା ସିଟ୍ ବଣ୍ଟନକୁ ନେଇ ସେତେବେଳେ ବି ପ୍ରଶ୍ନ ଉଠିଥିଲା। ୧୯୭୬ରେ ସମ୍ବିଧାନ ସଂଶୋଧନ କରି ୧୯୭୧ ଜନଗଣନା ଅନୁସାରେ ଲୋକସଭା ସିଟ୍ କରିବାକୁ ନିଷ୍ପତ୍ତି ହୋଇଥିଲା । ପରେ ଅଟଳ ସରକାର ଏଥିରେ ସଂଶୋଧନ କରିଥିଲେ ।

ଜନସଂଖ୍ୟା ବୃଦ୍ଧି ପଛର ରାଜନୀତି

୧୦ଲକ୍ଷ ଜନସଂଖ୍ୟାକୁ ଗୋଟିଏ ଲୋକସଭା ସିଟ୍ ରହିଥାଏ । ୧୯୭୧ ପରଠୁ ଲୋକସଭା ସିଟର ପରସିମନ କରାଯାଇନି। ତେବେ ଆଗକୁ ପରସିମନ କରାଗଲେ, ଯେଉଁ ରାଜ୍ୟର ଜନସଂଖ୍ୟା କମ୍ ଥିବ ସେଠାରେ ଲୋକସଭା ସିଟ ବି କମ୍ ରହିବ । ଅର୍ଥାତ ୧୦ଲକ୍ଷ ଜନସଂଖ୍ୟା ନିୟମ ଲାଗୁ ହେଲେ କେରଳର ଆନୁମାନିକ ଜନସଂଖ୍ୟା ସାଢେ ତିନି କୋଟି ଥିବା ବେଳେ ସିଟ୍ ୩୫ଟି ହୋଇଯିବ । ଉତ୍ତରପ୍ରଦେଶରେ ୨୩କୋଟି ୮୦ଲକ୍ଷ ଜନସଂଖ୍ୟା ଥିବାରୁ ସିଟ୍ ସଂଖ୍ୟା୨୩୫ରେ ପହଞ୍ଚିବ । ଯେତେ ଅଧିକ ଜନସଂଖ୍ୟା ସେତେ ଅଧିକ ଲୋକସଭା ସିଟ୍ ହେଲେ, କମ୍ ଜନସଂଖ୍ୟା ଥିବା ରାଜ୍ୟର ପ୍ରତିନିଧିତ୍ବ କମିବ। ପୂର୍ବରୁ କେନ୍ଦ୍ରର ଯୋଜନା ଲାଗୁ କରି ଜନସଂଖ୍ୟା କମ୍ କରିଥିବା ଦକ୍ଷିଣ ଭାରତ କ୍ଷତି ସହିବା ନେଇ ଆଶଙ୍କା କରୁଛି । ତେଣୁ ଜନସଂଖ୍ୟା ବୃଦ୍ଧି ନେଇ ଉଭୟ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିବା କୁହାଯାଉଛି ।

Leave A Reply

Your email address will not be published.