Latest Odisha News

ମାଡି ଆସୁଛି ଭୀଷଣ ବାତ୍ୟା ଦାନା: ଦୁଇ ରାଜ୍ୟରେ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ। ହେଲେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ ହୋଇପାରେ। ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ବାତ୍ୟା ଦାନା ପାଇଁ ବିମାନ ଉଡାଣ ବାତିଲ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ। ୪୦ରୁ ଉର୍ଦ୍ଧ୍ବ ବିମାନର ଉଡ଼ାଣ କରାଯାଇଛି ବାତିଲ। ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ନିଆଯିବ ନିଷ୍ପତ୍ତି।

ଗୁରୁବାର ଏବଂ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ୨୪ ପରଗଣା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଝାରଗ୍ରାମ, କୋଲକାତା, ହାୱଡା ଏବଂ ହୁଗଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋଲକାତା ବିମାନବନ୍ଦର ଗୁରୁବାର ରାତି ୬ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦର ଆଜି ଅପରାହ୍ନ ୫ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖିବ। ଏହି ଘୂର୍ଣ୍ଣିବଳୟ ପରେ ଦୁଇ ପଡୋଶୀ ରାଜ୍ୟ ଦେଇ ଚାଲୁଥିବା ପ୍ରାୟ ୨୦୦ ଟ୍ରେନକୁ ବାତିଲ କରାଯାଇଛି।

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ସାଗର ଦ୍ୱୀପଠାରୁ ୩୫୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି। ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ତା’ସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନର ପ୍ରବଳ ବର୍ଷା ହେବ ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଯାଜପୁର, କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝରର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ,ଗଞ୍ଜାମ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.