Latest Odisha News

କାହାକୁ ଭରସା କରିବେ ଝାଡ଼ଖଣ୍ଡ ଆଦିବାସୀ?

ନୂଆଦିଲ୍ଲୀ: ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିପାରିବ କି ବିଜେପି? ହରିୟାଣା ବିଜୟ ପରେ ଜୋଶରେ ବିଜେପି । ଜେଏମଏମ ବିରୋଧରେ ଶାସନ ବିରୋଧୀ ହାଓ୍ବାକୁ ଅସ୍ତ୍ର କରି ଝାଡ଼ଖଣ୍ଡ ହାତେଇବାକୁ ଚଳାଇଛି ଉଦ୍ୟମ। ପଡୋଶୀ ରାଜ୍ୟ ଓଡିଶାରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପିଚ୍ ପ୍ରସ୍ତୁତ କରିଛି ବିଜେପି। ଚମ୍ପାଇ ସୋରେନ ପଦ୍ମ କ୍ୟାମ୍ପକୁ ଯିବା ପରେ କୋହ୍ଲାନ ସମେତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗେରୁଆ ପତାକା ଉଡାଇବାକୁ ଉଦ୍ୟମ କରୁଛି ଦଳ । ତେବେ ଜେଏମଏମ ଝାଡ଼ଖଣ୍ଡ ପରିଚୟକୁ କରିଛି ଅସ୍ତ୍ର । ଆଦିବାସୀ ଅସ୍ମିତା ସହ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ ବିଜେପି ବିରୋଧରେ ଦେଇଛି ଯୁଦ୍ଧଂ ଦେହୀ ଡାକରା । କାରଣ ହେମନ୍ତଙ୍କ ଗିରଫଦାରୀକୁ ନେଇ ଆଦିବାସୀଙ୍କର ବିଜେପି ବିରୋଧୀ ରାଗର ଝଲକ ଗତ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଗୋଟିଏ ବି ଆଦିବାସୀ ସିଟ୍ ଜିତିପାରିନଥିଲା ବିଜେପି ।

କେତେ ଗୁରୁତ୍ବପୂର୍ଣ୍ଣ ଆଦିବାସୀ ଭୋଟ୍?

ଝାଡ଼ଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ମୋଟ୍ ଜନସଂଖ୍ୟାର ୨୬ପ୍ରତିଶତ ଆଦିବାସୀ। ଝାଡ଼ଖଣ୍ଡ ବିଧାନସଭାର ମୋଟ ୮୧ ସିଟ ମଧ୍ୟରୁ ୨୮ଟି ଓ ଲୋକସଭାରେ ୧୪ରୁ ୫ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ। ତେଣୁ ଝାଡ଼ଖଣ୍ଡରେ କ୍ଷମତାର ଚାବି ଆଦିବାସୀଙ୍କ ପାଖରେ ହିଁ ରହିଛି। ତେଣୁ ୨୦୦୫ରୁ ଏପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ଆଦିବାସୀ ହିଁ ପ୍ରମୁଖ ପ୍ରସଙ୍ଗ ରହିଛି । କେବଳ ରଘୁବର ଦାସଙ୍କୁ ଛାଡି ଏପର୍ଯ୍ୟନ୍ତ ଝାଡ଼ଖଣ୍ଡର ସମସ୍ତ ମୁଖ୍ୟମନ୍ତ୍ରୀ ଆଦିବାସୀ ସଂପ୍ରଦାୟର ।

ବିଜେପି ପାଇଁ ‘କଳ୍ପନା’ ଚ୍ୟାଲେଞ୍ଜ

ହେମନ୍ତ ସୋରେନଙ୍କ ଗିରଫଦାରୀ ସହ ଝାଡ଼ଖଣ୍ଡ ରାଜନୈତିକ ଦୃଶ୍ୟପଟ୍ଟକୁ ହୋଇଥିଲା କଳ୍ପନା ସୋରେନଙ୍କ ଏଣ୍ଟ୍ରି । ତେବେ କେବଳ ସ୍ବାମୀଙ୍କ କା ନୁହେଁ ବରଂ ନିଜକୁ ଜଣେ ଟାଣୁଆ ଆଦିବାସୀ ନେତ୍ରୀ ଭାବେ ପ୍ରମାଣିତ କରିଛନ୍ତି କଳ୍ପନା । ଲୋକସଭା ନିର୍ବାଚନ ବେଳେ ସେ ଜେଏମଏମ ପ୍ରଚାରର ମଙ୍ଗ ଧରିଥିଲେ। ଦିଲ୍ଲୀ ଗସ୍ତ କରି ମେଣ୍ଟ ଗଣିତ କଷିଥିଲେ ତ ଉପନିର୍ବାଚନ ଜିତି ବିଧାନସଭା ଯାଇଥିଲେ । ଏବେ ଜେଏମଏମ ପାଇଁ ସାରା ରାଜ୍ୟରେ ପ୍ରଚାର କରୁଛନ୍ତି କଳ୍ପନା । କେବଳ ସ୍ବାମୀ ହେମନ୍ତ ସୋରେନଙ୍କ ଛାୟା ନୁହେଁ ବରଂ ଜଣେ ଆଦିବାସୀ ନେତ୍ରୀ ଭାବେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛନ୍ତି କଳ୍ପନା । କାରଣ ବିଜେପି ପାଖରେ କଳ୍ପନାଙ୍କ ପରି କୌଣସି ମହିଳା ଚେହେରା ନାହାନ୍ତି ।

ପାଞ୍ଚ ପ୍ରଣ ବନାମ ମୟାଁ ସମ୍ମାନ ଯାତ୍ରା

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ପାଞ୍ଚ ପ୍ରଣ ନାଁରେ ନିର୍ବାଚନୀ ଇସ୍ତାହାର ଜାରି କରିଛି । ମହିଳା ଓ କଲେଜ ପଢୁଆ ଯୁବତୀଙ୍କୁ ଆର୍ଥିକ ଅନୁଦାନ, ନିଯୁକ୍ତି ଓ ଶସ୍ତା ସିଲିଣ୍ଡରକୁ ନେଇ ପ୍ରତିଶ୍ରୁତି ଦେଇଛି ଦଳ । ତେବେ କେନ୍ଦ୍ର ସରକାରଙ୍କ ଗୋଗୋ ଦିଦି ଯୋଜନା ବିପକ୍ଷରେ ମୟାଁ ସମ୍ମାନ ଯୋଜନାରେ ଅଢେଇ ହଜାର ଟଙ୍କା ଅନୁଦାନକୁ ମଞ୍ଜୁରୀ ଦେଇଥିଲା ଜେଏମଏମ। ଯୋଜନାକୁ ଆହୁରି ଗତିଶୀଳ କରିବାକୁ କଳ୍ପନା ସୋରେନଙ୍କ ଝାଡଖଣ୍ଡ ଯାତ୍ରାକୁ ମୟାଁ ସମ୍ମାନ ଯାତ୍ରା ନାଁରେ ନାମିତ କରାଯାଇଛି । ମହିଳା ଭୋଟବ୍ୟାଙ୍କ ହାତଛଡା କରିବାକୁ ଚାହୁଁନାହାନ୍ତି କୌଣସି ଦଳ ।

ଆଦିବାସୀ ଭୋଟ୍ ପାଇଁ ବିଜେପି ପ୍ଲାନ୍

ଝାଡ଼ଖଣ୍ଡରେ ମୁସଲିମ୍ ଜନସଂଖ୍ୟା ପ୍ରାୟ ୧୪ପ୍ରତିଶତ। ସାଧାରଣ ଭାବେ ମୁସଲିମ ବିଜେପିକୁ ଭୋଟ୍ ଦିଅନ୍ତି ନାହିଁ । ଆଦିବାସୀ ଓ ମୁସଲିମ ମିଶିଲେ ରାଜ୍ୟର ମୋଟ୍ ଜନସଂଖ୍ୟାର ୪୦ପ୍ରତିଶତ। ତେଣୁ ଇଣ୍ଡିଆ ମେଣ୍ଟର ପାରମ୍ପରିକ ଆଦିବାସୀ-ମୁସଲିମ୍ ଭୋଟ ବିଭାଜନ କରିବାକୁ ଉଦ୍ୟମ କରୁଛି ବିଜେପି । ମୁସଲିମ ଜନସଂଖ୍ୟା ବୃଦ୍ଧି ଓ ଆଦିବାସୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ନେଇ ପ୍ରସଙ୍ଗ କରିଛି ଦଳ । ସେହିପରି ବାବୁଲାଲ ମାରାଣ୍ଡି, ଚମ୍ପାଇ ସୋରେନ୍, ମଧୁ କୋଡାଙ୍କ ପରି ଆଦିବାସୀ ନେତାଙ୍କୁ ବିଜେପିରେ ସାମିଲ କରି ଆଦିବାସୀ ସିଟ୍ ଜିତିବାକୁ ରଣନୀତି କରୁଛି ।

ହେମନ୍ତ ସୋରେନଙ୍କ ନେତୃତ୍ବରରେ ଜେଏମଏମ ଝାଡ଼ଖଣ୍ଡରେ ଆଦିବାସୀଙ୍କ ସ୍ବର ପାଲଟିଛି । ଆଦିବାସୀଙ୍କ ଅଧିକାର ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସୋରେନ୍ ସରକାର । ତେଣୁ ହରିୟାଣା ଭଳି ସରକାର ବିରୋଧୀ ଲହରକୁ ଅସ୍ତ୍ର କରି ଝାଡ଼ଖଣ୍ଡ ବିଜୟ ରଣନୀତି ବିଜେପି ପାଇଁ ସହଜ ହେବନି ।

Leave A Reply

Your email address will not be published.