Latest Odisha News

‘୧୦ ଦିନ ଭିତରେ ଇସ୍ତଫା ଦିଅ ନଚେତ୍…’ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଏଭଳି ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ମୁମ୍ବାଇ ପୁଲିସକୁ ଆସିଲା ଧମକପୂର୍ଣ୍ଣ ମେସେଜ୍। ୧୦ ଦିନ ଭିତରେ ଇସ୍ତଫା ଦେବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି। ମୁମ୍ବାଇ ପୁଲିସର ଟ୍ରାଫିକ କଣ୍ଟ୍ରୋଲ ଡିପାର୍ଟମେଣ୍ଟକୁ ଏକ ଅଜଣା ନମ୍ବରରୁ ଫୋନ କରି ଜଣେ ବ୍ୟକ୍ତି ଧମକ ଦେଇଛି।

ଧମକ ଦେଇ କହିଛି ଯେ, ୧୦ ଦିନ ମଧ୍ୟରେ ଯୋଗୀ ଆଦିତ୍ୟନାଥ ଯଦି ଇସ୍ତଫା ନଦିଅନ୍ତି ତେବେ ତାଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଭଳି କରାଯିବ। ଏହି ଧମକପୂର୍ଣ୍ଣ ଫୋନ କଲ ପରେ ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏହାପରେ ପୁଲିସ୍‌ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ କରିଛି। ତେବେ ଏପରି ମେସେଜ କିଏ ଦେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ମହାରାଷ୍ଟ୍ର ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ପୁଅଙ୍କ ଅଫିସ ସମ୍ମୁଖରେ ତାଙ୍କ ଉପରକୁ ଫାୟାରିଂ କରାଯାଇଥିଲା। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରଠୁ ବାବା ସିଦ୍ଦିକିଙ୍କ ପରି ଅବସ୍ଥା କରିଦେବୁ କହି ଦେଇ ବଡ଼ ବଡ଼ ନେତାଙ୍କୁ ଧମକ ଦିଅଯାଉଛି।

Comments are closed.