ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଏହାରି ଭିତରେ ବିଜେପି ତାର ମାଷ୍ଟର କାର୍ଡ ତଥା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି । ରାଞ୍ଚିରେ ସଂକଳ୍ପ ପତ୍ର ଜନସାଧାରଣଙ୍କ ଆଗରେ ଘୋଷଣା କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।
ଏହି ବିଜେପି ସଂକଳ୍ପ ପତ୍ରରେ ଦଳ ଆଗାମୀ ୨୫ ବର୍ଷ ପାଇଁ ୨୫ଟି ପ୍ରତିଶ୍ରୁତି ହାଇଲାଇଟ କରିଛି । ସେଗୁଡିକ ମଧ୍ୟରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି । ଯଦି ବିଜେପି ସରକାରକୁ ଆସେ ତାହାଲେ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ପ୍ରତି ମାସ ମିଳିବ ୨୧୦୦ ଟଙ୍କା । ଏଥିସହିତ ବର୍ଷକୁ ଦୁଇ ଥର ମାଗଣା ଏଲ୍ପିଜି ସିଲିଣ୍ଡର ଦିଆଯିବ । ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ ମାଗଣା ଏଲ୍ପିଜି ସିଲିଣ୍ଡର ନେଇ ଘୋଷଣା କରିଛି ବିଜେପି । ଆଉ ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ଏତିସହିତ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା କରିଛି ବିଜେପି ।
ଖାଲି ସେତିକି ନୁହେଁ ହେମନ୍ତ ସୋରେନ ସରକାରକୁ ଗାଦିରୁ ହଟାଇବା ପାଇଁ ମାଷ୍ଟର କାର୍ଡ ଜନତାଙ୍କ ଆଗରେ ରଖିବା ପରେ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଶାହ । ଶାହ କହିଛନ୍ତି, ସୋରେନ୍ ସରକାର ଝାଡଖଣ୍ଡ ଅସ୍ମିତାକୁ ସୁରକ୍ଷା ଦେଇପାରିଲେ ନାହିଁ । ଝାଡଖଣ୍ଡର ରୁଟି, ମାଟି, ଝିଅଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର । ଝାଡଖଣ୍ଡ ବାସୀଙ୍କୁ ରାଜ୍ୟର ଭବିଷ୍ୟତ ପାଇଁ କେମିତିକା ସରକାର ଦରକାର ପ୍ରଶ୍ନ କରି ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି ଶାହ ।
ତେବେ କହିରଖିଛୁ, ସମାନ ଅସ୍ମିତା କାର୍ଡ ବିଜେପିକୁ ଓଡିଶାରେ ୨୪ ବର୍ଷର ସରକାର ଆଗରେ ବିଜୟର ସ୍ବାଦ ଚଖାଇଥିଲା । ସୁଭଦ୍ରା, ମାଗଣା ବିଜୁଳି ଭଳି ପ୍ରତିଶ୍ରୁତି ବିପୁଳ ଭୋଟରଙ୍କୁ ଆକର୍ଷିତ କରିଥିଲା । ଏବେ ସମାନ ଢଙ୍ଗରେ ବିଜେପି ଝାଡଖଣ୍ଡରେ ମଧ୍ୟ ତାହାର ରଣନୀତି ପ୍ରସ୍ତୁତି କରିଛି । ଯାହା ସୋରେନ୍ ସରକାର ଉପରେ ଭାରି ପଡିପାରେ ବୋଲି ଚର୍ଚ୍ଚା ।
Comments are closed.