Latest Odisha News

ମାସକରେ ୮୫ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ବାଟ୍ସଆପ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ହ୍ଵାଟସଆପ କେବଳ ଗୋଟିଏ ମାସରେ ୮୫ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ ତା’ର ମାସିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି । ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ଏବଂ ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ପାଇଁ କମ୍ପାନୀ ଏହି ପଦକ୍ଷେପ ନେଇଛି। ଏହାପୂର୍ବରୁ ଅଗଷ୍ଟ ମାସରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା ହ୍ଵାଟସଆପ।

ହ୍ବାଟସ୍ଆପର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହ୍ଵାଟସ୍ଆପ୍ ୮୫,୮୪,୦୦୦ ଆକାଉଣ୍ଟକୁ ବ୍ୟାନ କରିଛି । ସେଥିମଧ୍ୟରୁ ୧୬,୫୮,୦୦୦ ଆକାଉଣ୍ଟ ବ୍ୟବହାରକାରୀଙ୍କ ଠାରୁ କୌଣସି ରିପୋର୍ଟ ପାଇବା ପୂର୍ବରୁ ହିଁ ବନ୍ଦ କରିଦିଆଯାଇଛି । ୬୦୦ ମିଲିୟନରୁ ଅଧିକ ଉପଭୋକ୍ତା ଥିବା ହ୍ଵାଟସ୍ଆପକୁ ଗତ ସେପ୍ଟେମ୍ବର ମାସରେ ୮,୧୬୧ ଟି ଅଭିଯୋଗ ମିଳିଛି । ସେଥିମଧ୍ୟରୁ ୯୭ ଟି ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇଟି ନିୟମ 2021 ଅନୁଯାୟୀ କମ୍ପାନୀ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନିୟମ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ପ୍ରତ୍ୟେକ ମାସରେ ୟୁଜର ସେଫ୍ଟି ରିପୋର୍ଟ ପ୍ରଦାନ କରିବାକୁ ବାଧ୍ୟତାମୂଳକ ହୋଇଥାଏ ।

ଆକାଉଣ୍ଟ୍ ଗୁଡିକୁ ବ୍ୟାନ କରିବାକୁ ନେଇ କମ୍ପାନୀ କହିଛି ଯେ ଆମେ ଆମର କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା କରିବୁ ଏବଂ ଭବିଷ୍ୟତ ରିପୋର୍ଟରେ ଆମର ଉଦ୍ୟମ ବିଷୟରେ ସୂଚନା ଅନ୍ତର୍ଭୂକ୍ତ କରିବୁ। ଆମେ ଉପଭୋକ୍ତାଙ୍କୁ ଆପ୍ ମାଧ୍ୟମରେ ଯେ କୌଣସି କଣ୍ଟେଣ୍ଟକୁ ବ୍ଲକ କରିବାର ସୁବିଧା ଦେଇଛୁ । ଆମେ ଉପଭୋକ୍ତାମାନଙ୍କ ମତାମତ ପ୍ରତି ପୁରା ଧ୍ୟାନ ଦେଇଛୁ ଏବଂ ଭୁଲ ତଥ୍ୟକୁ ରୋକିବା, ସାଇବର ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ନିର୍ବାଚନର ଅଖଣ୍ଡତା ବଜାୟ ରଖିବା ପାଇଁ ବିଶେଷଜ୍ଞଙ୍କ ସହ ଅଛୁ ।

 

 

Comments are closed.