ପୋଲସରା: ମା’ତାରାତାରିଣୀ ମନ୍ଦିରରୁ ଚୋରି । ମା’ଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗ । ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗତକାଲି ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ କିଛି ଦୁର୍ବୃତ୍ତ । ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ପ୍ରାୟ ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଜଣାଯାଇଛି। ସକାଳୁ ସକାଳୁ ମନ୍ଦିର ପୂଜକ ମନ୍ଦିରକୁ ଆସି ଦେଖିବା ବେଳକୁ ମନ୍ଦିର ହୁଣ୍ଡି ଭଙ୍ଗା ଯିବା ସହ ଗ୍ରିଲ କଟାଯାଇଛି । ଏନେଇ ସଙ୍ଗେ ସଙ୍ଗେ ମନ୍ଦିର ଟ୍ରଷ୍ଟକୁ ଖବର ଦେଇଥିଲେ ମନ୍ଦିର ପୂଜକ । ମନ୍ଦିର ଟ୍ରଷ୍ଟ ଘଟଣାସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲା । ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିରରେ ସିସିଟିଭି ବ୍ୟବସ୍ଥା ନଥିବାରୁ ଦୁର୍ବୃତ୍ତ ମାନଙ୍କୁ ଧରିବା ପୋଲିସ ପାଇଁ କାଠିକର ପାଠ ହୋଇଛି । ସେପଟେ ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।