ସିମଲା:ଭିଡିଓ କଲ ମାଧ୍ୟମରେ ହିମାଚଳ ପ୍ରଦେଶରର ଏକ ବିବାହ ସମ୍ପନ୍ନ ହୋଇଛି।
ସୂଚନା ଅନୁଯାୟୀ, ବର ଅଦନନ୍ ମହମ୍ମଦ ତୁର୍କୀର ଏକ କମ୍ପାନୀରେ କାମ କରନ୍ତି। ହିମାଚଳ ପ୍ରଦେଶ ମଣ୍ଡିର ଜଣେ ଝିଅ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା, ଯେଉଁଥିପାଇଁ ସେ ଛୁଟି ଆବେଦନ କରିଥିଲେ। କିନ୍ତୁ ତାଙ୍କ ଉପରସ୍ଥ ଅଧିକାରୀ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିଲେ। ସ୍ଥିତି ଏଭଳି ଥିଲା ଯେ ଅଦନାନ ଚାକିରି ମଧ୍ଯ ଛାଡିବାକୁ ଚାହୁଁନଥିଲେ। ଫଳରେ ସେମାନେ ଭିଡିଓ କଲରେ ବିବାହ କରିବାକୁ ସ୍ଥିର କରିଥିଲେ।
ଅଦନନ୍ ମହମ୍ମଦ ହିମାଚଳ ପ୍ରଦେଶର ବିଲାସପୁରର ବାସିନ୍ଦା ହୋଇଥିବାବେଳେ ତାଙ୍କ ପତ୍ନୀ ମଣ୍ଡି ଜିଲ୍ଲାର। ପରିବାର ଅନୁଯାୟୀ, ପୁଅ ତୁର୍କୀରୁ ଭିଡିଓ କଲ କରିଥିବା ବେଳେ କନ୍ଯା ମଣ୍ଡିରୁ ଭିଡିଓ କଲରେ ଯୋଗ ଦେଇଥିଲା। ଭର୍ଚୁଆଲରେ କାଜୀ ବିବାହର ସମସ୍ତ ରୀତିନୀତି କରିଥିଲେ। ଏହି ସମୟରେ ଦୁହେଁ କୁବୁଲ ହେ- କୁବୁଲ ହେ, ତିନିଥର କହିଥିଲେ ଏବଂ ଏହା ସହିତ ବିବାହ ସମାପ୍ତ ହୋଇଥିଲା। ଏଭଳି ବିବାହକୁ ନେଇ ସବୁଠି ଚର୍ଚ୍ଚା ହେଉଛି।