ଭୁବନେଶ୍ୱର: ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଉଲ୍ଲେଖ କରିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏହାସହିତ ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଗଲେ ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହା ସହିତ ରାଜ୍ୟର ତହସିଲଗୁଡ଼ିକରେ ପଡ଼ିରହିଥିବା ମ୍ୟୁଟେସନ୍ ମାମଲାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଓ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାଁରେ ସଂଶୋଧନ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ବ୍ୟବହାର କରୁନାହାନ୍ତି ତା’ହେଲେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି। ଏହାସହ ରାଜସ୍ୱ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା, ବାସସ୍ଥାନ, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।