Latest Odisha News

BREAKING NEWS

ଧରତୀ ଆବା ‘ବିର୍ସା ମୁଣ୍ଡା’: କାହିଁକି ଆଜି ଭାରତ ତାଙ୍କୁ ଭଗବାନ୍ କହୁଛି?

ଭୁବନେଶ୍ବର: ବିର୍ସା ମୁଣ୍ଡା, ସେ ବୀର, ସେ ଅମର, ଆଦିବାସୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ । ଆଜି ତାଙ୍କୁ ଦେଶ ଭଗବାନ୍ ସମ୍ବୋଧନ କରୁଛି । ଆଦିବାସୀ ସମ୍ପ୍ରଦାୟର ଗର୍ବର ଚିରସ୍ଥାୟୀ ପ୍ରତୀକ ବିର୍ସାମୁଣ୍ଡା ଆଜି ୧୫୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଯାହାଙ୍କର ଜନ୍ମଜୟନ୍ତୀ ପାଳୁଛି ସାରା ଦେଶ । ଆଜି ସେ ନାହାନ୍ତି ସତ ହେଲେ ସେ ଦିନର ସେ ୨୫ ବର୍ଷର ଯୁବକର ରଣହୁଙ୍କାର ଆଜି ବି ପବନରେ ବାସ୍ନା ହୋଇ ମହକୁଛି ।

ଆଜିର ଝାଡ଼ଖଣ୍ଡର ଉଲିହାତୁରେ ୧୯୭୪ ନଭେମ୍ବର ୧୫ରେ ତାଙ୍କର ଜନ୍ମ । ଊନବିଂଶ ଶତାବ୍ଦୀରେ ପାହାଡର ବୁକୁ ଚରି ବିରୋଧର ସ୍ବରକୁ ଶାଣିତ କରିଥିଲେ ସେ ।  ଭାରତରେ ଇଂରେଜ ଶାସନ କାଳରେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ ବିର୍ସା ମୁଣ୍ଡା । ୨୫ ବର୍ଷ ବୟସରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ଅଲିଭା ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ ।

କୈଶୋରରୁ ହିଁ ସେ ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ୱ ନେଇଥିଲେ । ଯେତେବେଳେ ବ୍ରିଟିଶ୍‌ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜମିଦାରମାନେ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ, ସେମାନଙ୍କ ଭୂମି ହରଣ କରୁଥିଲେ ଏବଂ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ, ସେତେବେଳେ ଭଗବାନ ବିର୍ସା ଏହି ସାମାଜିକ ଓ ଆର୍ଥିକ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇ ନିଷ୍ପେଷିତ ଲୋକମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲେ।

‘ଧରତୀ ଆବା’(ପୃଥିବୀର ପିତା) ଭାବରେ ସମ୍ମାନିତ ଭଗବାନ ବିର୍ସା ୧୮୯୦ ଦଶକର ଶେଷ ଭାଗରେ ବ୍ରିଟିଶ୍‌ ଅତ୍ୟାଚାର ବିରୋଧରେ ‘ଉଲଗୁଲାନ’ ବା ମୁଣ୍ଡା ବିଦ୍ରୋହ ସଂଗଠିତ କରିଥିଲେ । ଉଲଗୁଲାନ କେବଳ ଏକ ବିଦ୍ରୋହ ନଥିଲା। ଏହା ଆଦିବାସୀଙ୍କ ନ୍ୟାୟ ଓ ସାଂସ୍କୃତିକ ପରିଚୟର ସଂଗ୍ରାମ ପାଲଟିଥିଲା। ବିର୍ସା ମୁଣ୍ଡା ନିଜ ବୋଧଶକ୍ତି ବଳରେ ଗୋଟିଏ ପଟେ ଆଦିବାସୀଙ୍କ ଜମିର ମାଲିକାନା ଓ ଜମି ଚାଷ ଅଧିକାର ଏବଂ ଅନ୍ୟପଟେ ଆଦିବାସୀ ରୀତିନୀତି ଓ ସାମାଜିକ ମୂଲ୍ୟବୋଧକୁ ଏକାଠି କରିପାରିଥିଲେ।

ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ମଧ୍ୟରେ ସେତେବେଳର ଅବିଭାଜିତ ଓଡ଼ିଶାର ବିର୍ସା ମୁଣ୍ଡା ଅନ୍ୟତମ । ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ହାତରେ କେବଳ ଧନୁତୀର ଆଉ ବର୍ଚ୍ଛା ଧରି ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାକୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ମାତ୍ର ୨୩ ବର୍ଷ ବୟସରେ ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ବି ଦିଆଯାଇଥିଲା ।

ହେଲା ତଥାପି ହାର ମାନିନଥିଲେ ବିର୍ସା । ଆଦିବାସୀଙ୍କ ପାଇଁ ସୁରକ୍ଷା କବଜ ସାଜିଥିଲେ ବିର୍ସା । ଖାଲି ଯେ ସଂଗ୍ରାମ ଏବଂ ନିଜ ହକ୍ ପାଇଁ ଲଢିବାକୁ ପଥ ଦେଖାଇଥିଲେ ତାହା ନୁହେଁ  ତାଙ୍କ ହାତେ ସତେ ଯେମିତି ଯାଦୁ ଭରିଦେିଥିଲେ ଈଶ୍ବର । ସେ ଜଣେ ଚିକିତ୍ସକ ଭାବରେ ତାଲିମ ମଧ୍ୟ ପାଇଥିଲେ। ତାଙ୍କର ହାତ ଲାଗିଲା କ୍ଷଣି ରୋଗୀର ରୋଗ ଭଲ ହୋଇଯାଉଥିଲା । ଏଥିପାଇଁ ସେତେବେଳେ ସେ ଅଧୁନା ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ପାଲଟିଥିଲେ ଭଗବାନ୍ । ଆଉ ବାସ୍ତବରେ ବିର୍ସାଙ୍କ ସଂଘର୍ଷ ଏହାର ଯଥାର୍ଥତା ମଧ୍ୟ ପ୍ରତିପାଦନ କରୁଛି ।

ତେବେ ବାରମ୍ବାର ଇଂରେଜ ଶିକାରର ସାମ୍ନା କରିବା ପରେ ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ହେଲେ କିଛି ବିଶ୍ୱାସଘାତ ବ୍ୟକ୍ତି ବିଶେଷଙ୍କ ପାଇଁ ପୁଣି ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍‌କୁ ନିଆଯାଇଥିଲା । ସେଠି ତାକୁ ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯିବା ସହିତ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଉଥିଲା । ମାତ୍ର ୨୫ ବର୍ଷ ବୟସରେ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍‌ରେ ଛଟପଟ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଜି ତାଙ୍କର ସେହି ପରାକ୍ରମ ଓ ବଳିଦାନ ପାଇଁ ତାଙ୍କୁ ଝୁରୁଛି ସାରା ଭାରତ  ।

ତେବେ ୨୦୨୧ ମସିହାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫କୁ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେବାପରେ, ଏହିଦିନଟିକୁ କେବଳ ଆଦିବାସୀ ସଂପ୍ରଦାୟ ନୁହେଁ ପୂରା ଭାରତ ଗର୍ବର ସହ ପାଳନ କରିଥାଏ ।

Leave A Reply

Your email address will not be published.