ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଆମ୍ବ କୋଇଲି ଜାଉ ମୃତ୍ୟୁ ଘଟଣା l ଖାଦ୍ୟ ଶସ୍ୟର ଅଭାବ (ଚାଉଳ) ଓଡିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁର ମହିଳାମାନଙ୍କୁ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ କଲା ବୋଲି କହିଲା ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ l ସେମାନେ ୩୦ ଅକ୍ଟୋବର, ୨୦୨୪ ଦିନ ଯେଉଁ ଆମ୍ବ କୋଇଲି ଜାଉ ଖାଇଲେ ତାହା ବୋଧ ହୁଏ ଫଙ୍ଗାଳ ପ୍ରକ୍ରିୟା ଯୋଗୁଁ ବିଷାକ୍ତ ହେଇଥିଲା ଯାହା ଖାଇବା ଦ୍ଵାରା ସେମାନଙ୍କ “ଖାଦ୍ୟ ପଇଜନିଙ୍ଗ” ପାଇଁ ସମ୍ଭବତଃ ମୃତ୍ୟୁ ହେଲା ବୋଲି କହିଛି ସିଭିଲ ସୋସାଇଟି ।
ମିଳିଥିବା ରିପୋର୍ଟରୁ ଜଣାପଡିଛି ଯେ, ପିଡିଏସ୍ ଅଧୀନରେ ମିଳୁଥିବା ଚାଉଳ ସେ ପରିବାରମାନଙ୍କ ପାଇଁ ଯଥେଷ୍ଟ ନୁହେଁ, କାରଣ ସେମାନେ ଦିନକୁ ତିନିଥର ମୁଖ୍ୟତଃ ଭାତ ଖାଇଥାନ୍ତି। ମିଳୁଥିବା ଚାଉଳ ମାସକୁ ଅତି ବେଶୀରେ ୧୫ – ୧୭ ଦିନ ଯାଇଥାଏ। ଯେତେବେଳେ ଚାଉଳର ଅଭାବ ହୁଏ, ସେମାନେ ଚାଉଳକୁ ଆମ୍ବ କୋଇଲି କିମ୍ବା ମାଣ୍ଡିଆ ସହିତ ମିଶେଇ କିମ୍ବା ବେଳେବେଳେ କେବଳ ଆମ୍ବ କୋଇଲି ଜାଉ କରି ଖାଇବାକୁ ବାଧ୍ୟ ହୁଅନ୍ତି। ସେହି ପରିବାରଗୁଡିକ ଶେଷ ଥର ପାଇଁ ଜୁଲାଇ ମାସରେ ପିଡିଏସ୍ ଅଧୀନରେ ଚାଉଳ ପାଇଥିଲେ। ଅକ୍ଟୋବରରେ ସେମାନେ ଚାଉଳ ପାଇବା କଥା କିନ୍ତୁ ସେମାନେ ପାଇଲେ ନାହିଁ। ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ ସ୍ଥାନୀୟ ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ବର୍ଷର ଖାଦ୍ୟ ଅଭାବ ସମୟରେ (ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର) ଆମ୍ବ କୋଇଲି ଗୁଣ୍ଡ, ପଣସ ମଞ୍ଜି ଇତ୍ୟାଦି ଖାଇବା ପାଇଁ ବାଧ୍ୟ ହୁଅନ୍ତି। ଏହି ପରିବାରମାନେ ଅଭାବ ସମୟ ପାଇଁ ଆମ୍ବ କୋଇଲି ସଂରକ୍ଷଣ କରିଥିଲେ କିନ୍ତୁ ଏଥିରେ ଫଙ୍ଗସ୍ ହୋଇଗଲା ଯାହା ଖାଦ୍ୟ ବିଷାକ୍ତ ଏବଂ ମୃତ୍ୟୁର କାରଣ ହୋଇପାରେ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛି ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଓ ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ।
ଗାଁରେ କାମର କୌଣସି ସୁଯୋଗ ନାହିଁ। ତେଣୁ, କିଛି ଲୋକ ଦାଦନ ଖଟିବାକୁ ଯାଇଥିବା ବେଳେ କିଛି ମନରେଗା ଅଧୀନରେ କାମ କରୁଛନ୍ତି l ସେପଟେ ବିଭିନ୍ନ କାରଣରୁ ସରକାରଙ୍କ ରାସନ କାର୍ଡରେ ଅନେକ ମହିଳା ଏବଂ ଶିଶୁଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ଅନେକ ଚେଷ୍ଟା ପରେ ମଧ୍ୟ ରାସନ କାର୍ଡରେ ନାମ ଉଠିନଥିଲା ବୋଲି କହିଛନ୍ତି ଗ୍ରାମବାସୀ l ଯାହା ପ୍ରଶାସନିକ ଅବହେଳାକୁ ସୂଚିତ କରୁଛି l ତେଣୁ ସରକାର ତୁରନ୍ତ ଏକ ସର୍ଭେ କରିବା ସହ ଖାଦ୍ୟ ଅସୁରକ୍ଷା ସ୍ଥିତିରେ ଥିବା ପରିବାରକୁ ଚିହ୍ନଟ କରନ୍ତୁ ଓ ପ୍ରତି ମାସରେ ପିଡ଼ିଏସ୍ ରାସନ ବଣ୍ଟନ କରିବା ସହ ମୁଣ୍ଡପିଛା ୧୨ କିଲୋ ଚାଉଳ ସହ ଡାଲି ଓ ତେଲ ଦେବା ସହ ଦୁର୍ଗମ ଅଞ୍ଚଳର ପ୍ରତି ଗାଁରେ ରେସନ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ ଓ ଆଧାର କାର୍ଡ଼କୁ ଆଧାର କରି କୌଣସି ରେସନ ବନ୍ଦ କରାନଯାଉ ବୋଲି କହିଛି ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଓ ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ।