Latest Odisha News

ବିଜେପିରେ ଗେହଲଟ: ଆପକୁ ଝଟକା ନା ସୁଯୋଗ?

ନୂଆଦିଲ୍ଲୀ: ଆପ୍ ଛାଡି ବିଜେପିରେ ସାମିଲ ହୋଇଛନ୍ତି କୈଳାଶ ଗେହଲଟ । ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିଥିବା ଗେହଲଟ ଉଭୟ ମନ୍ତ୍ରୀ ପଦ ଓ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କୈଳାଶଙ୍କ ଦଳ ଛାଡିବା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛି । କୈଳାଶଙ୍କ ଏଗଜିଟ୍ ଆପ ପାଇଁ ବଡ କ୍ଷତି ବୋଲି ବିରୋଧୀ ଦଳ କହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, କୈଳାଶ ଗେହଲଟ୍ ଏପିସୋଡରୁ ରାଜନୈତିକ ଫାଇଦା ନେଇପାରିବ କି ଆପ୍?

ଦଳବଦଳ ପଛରେ ଡର !

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଢାଲ କରି ଆପକୁ ଶେଷ କରିଦେବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଆସୁଛି ଆମ ଆଦମୀ ପାର୍ଟି। କୈଳାଶ ଗେହଲଟଙ୍କ ଦଳ ଛାଡି ବିଜେପିକୁ ଯିବା ନେଇ ବି ଦଳ ସମାନ କଥା କହୁଛି । କିଛି ମାସ ପୂର୍ବରୁ କୈଳାଶ ଗେହଲଟଙ୍କୁ ପଚରାଉଚରା ପାଇଁ ଡାକିଥିଲା ଇଡି । ଦିଲ୍ଲୀ ସରକାରଙ୍କ ବିବାଦୀୟ ଅବକାରୀ ନୀତି ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟିରେ ସାମିଲ ହୋଇଥିବା ୩ମନ୍ତ୍ରୀଙ୍କ ମଧ୍ୟରୁ କୈଳାଶ ଜଣେ ଥିଲେ । ଅନ୍ୟ ଦୁଇ ଜଣ ହେଉଛନ୍ତି ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ । ମାମଲାରେ ଉଭୟ ସିସୋଦିଆ ଓ ଜୈନଙ୍କୁ ଗିରଫ କରାଯାଇଥିଲା । ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଗିରଫ ହୋଇଥିଲେ । କୈଳାଶ ବିଜେପିରେ ମିଶିବା ସହ ତାଙ୍କୁ କ୍ଲିନ୍ ଚିଟ ମିଳିବା ନେଇ ବିଜେପିକୁ ସିଧା ଟାର୍ଗେଟ୍ କରିବ ଆପ୍ ।

ଦୁର୍ନୀତି ଅଭିଯୋଗ…ଲୋକ ମାନିବେ ତ?

କେନ୍ଦ୍ର ସହ ଆପର ଲଗାତର ଲଢେଇ, ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣକୁ କମ୍ ଧ୍ୟାନ ଦେବା, ଦଳର ରାଜନୈତିକ ଏଜେଣ୍ଡା ଓ ମୁଖ୍ୟମନ୍ତ୍ରୀ ଆବାସ ମରାମତିକୁ ନେଇ ଅଜବ ସ୍ଥିତିକୁ ଦଳ ଛାଡିବା ପଛରେ କାରଣ ଦର୍ଶାଇଥିଲେ କୈଳାଶ । ବିରୋଧୀ ଲଗାତର କେଜ୍ରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଅତ୍ୟଧିକ ଖର୍ଚ୍ଚକୁ ନେଇ ଟାର୍ଗେଟ୍ କରି ଆସୁଛନ୍ତି । ତେବେ କୈଳାଶ ଏଥିରେ ଦୁର୍ନୀତିକୁ ନେଇ ସିଧା ସଳଖ ଟାର୍ଗେଟ୍ କହିନାହାନ୍ତି, ଯାହାର ଫାଇଦା କେଜ୍ରିଓ୍ବାଲଙ୍କୁ ମିଳିବ । ଅତିସୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ସହ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେବାରୁ କୈଳାଶ ଗେହଲଟ ଲମ୍ବା ସମୟ ଧରି ଅସନ୍ତୋଷ ଥିବା ନେଇ ନାରେଟିଭ୍ ପ୍ରସ୍ତୁତ କରିବ ଆପ୍।

ଦୁର୍ବଳ ହେବ କି ଜାଠ୍ ଭୋଟବ୍ୟାଙ୍କ?

କୈଳାଶ ଗେହଲଟ ଆପ୍ ଛାଡି ଯିବା ପରେ ଦଳର ଜାଠ୍ ଭୋଟବ୍ୟାଙ୍କ ଦୁର୍ବଳ ହୋଇପାରେ ବୋଲି କୁହାଯାଉଛି । ତେବେ ଆପର ରାଜନୈତିକ ଆଧାର କୌଣସି ଜାତି ସହ ସଂପର୍କିତ ନୁହେଁ । ଦୁର୍ନୀତି ବିରୋଧରେ ସ୍ବର ଉଠାଇ ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିବା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ଆପ୍ । ପରେ ମାଗଣା ପ୍ରତିଶ୍ରୁତି ଦଳର ପରିଚୟ ପାଲଟିଥିଲା । ଏବେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ବିରୋଧରେ ଦଳ ଯୁଦ୍ଧଂ ଦେହୀ ଡାକରା ଦେଇ ଚର୍ଚ୍ଚାରେ ରହିଛି ଆପ୍ । ବିଜେପି ଉପରେ ଜାଠ ଭୋଟରଙ୍କ ଅସନ୍ତୋଷ ରହିଥିବା ବେଳେ କୈଳାଶ ଗେହଲଟ୍ ଆପରୁ ଯିବା ଯୋଗୁଁ ଦଳର ଭୋଟବ୍ୟାଙ୍କ ସେଭଳି ପ୍ରଭାବିତ ହେବନି ।

କୈଳାଶ ଗେହଲଟ କିଏ?

କୈଳାଶ ଗେହଲଟ ଆମ୍ ଆଦମୀ ପାର୍ଟିର ପୁରୁଣା ନେତାଙ୍କ ମଧ୍ୟରୁ ଜଣେ । ୨୦୧୫ରେ ସେ ଆପ ଟିକେଟରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ପରିବହନ ସହ ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ମନୀଷ ସିସୋଦିଆ ଜେଲ୍ ଯିବା ପରେ ସେ ଦିଲ୍ଲୀ ସରକାରଙ୍କ ୨୦୨୩-୨୪ର ବଜେଟ୍ ଉପସ୍ଥାପନ କରିଥିଲେ । ଏପରିକି କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କୈଳାଶ ଗେହଲଟଙ୍କ ନାଁ ମଧ୍ୟ ସିଏମ୍ ପଦ ପାଇଁ ଚର୍ଚ୍ଚାରେ ରହିଥିଲା ।

ବର୍ଷେ ଭିତରେ ହାତ ଛାଡିଲେଣି ଅନେକ

କେବଳ କୈଳାଶ ଗେହଲଟ ନୁହନ୍ତି ଗତ ବର୍ଷେ ମଧ୍ୟରେ ଆମ ଆଦମୀ ପାର୍ଟି ଛାଡିଛନ୍ତି ଅନେକ ନେତା । ଗତ ସେପ୍ଟେମ୍ବରରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆପ୍ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ସେ ଆପର ବଡ ଦଳିତ ଚେହେରା ଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲ ସରକାରରେ ମନ୍ତ୍ରୀ ରହିଥିବା ରାଜକୁମାର ଆନନ୍ଦ ଆପ୍ ଛାଡି ବିଜେପିରେ ମିଶିଥିଲେ । ସେହିପରି ଆପ୍ ଛାଡି ବିଜେପିରେ ଯୋଗ ଦେଇଥିଲେ କରତାର ସିଂ ତମ୍ବର । ଦଳିତ ଭୋଟ ଆପର କୋର ଭୋଟବ୍ୟାଙ୍କ କୁହାଯାଉଥିବା ବେଳେ ଅନେକ ଦଳିତ ନେତା ଦଳ ଛାଡିଛନ୍ତି । ଆପର ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲ ମଧ୍ୟ ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆପର ସୃଷ୍ଟି ହୋଇଥିବା ବେଳେ ବରିଷ୍ଠ ନେତା ଦଳ ଛାଡିବା କେଉଁଠି ନା କେଉଁଠି ଆପକୁ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.