ନୂଆଦିଲ୍ଲୀ: ମ୍ୟୁଜିକ କମ୍ପୋଜର ଏ ଆର୍ ରେହମାନ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ମାମଲା ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ଏ.ଆର୍ ରେହମାନ ଏନେଇ ଘୋଷଣା କରିବା ପରେ ଟ୍ରୋଲ୍ ର ସମ୍ମୁଖୀନ ହୋଇଥିଲେ।
ଏଭଳି ପରିସ୍ଥିତିରେ ଯେଉଁମାନେ ତାଙ୍କୁ ବଦନାମ କରୁଛନ୍ତି, ସେମାନଙ୍କ ବିରୋଧରେ ଏ. ଆର୍ ରେହମାନ୍ ଙ୍କ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ତେବେ ଏ. ଆର୍ ରେହମାନଙ୍କ ଛାଡପତ୍ର ଖବର ଆସିବାର କିଛି ସମୟ ପରେ ଗିଟାରିଷ୍ଟ ମୋହିନୀ ଦେ ମଧ୍ୟ ତାଙ୍କ ଛାଡପତ୍ର ଘୋଷଣା କରିଥିଲେ। ଫଳରେ ସୋସିଆଲ ମିଡିଆ ୟୁଜର୍ସ ଏ ଆର୍ ରେହମାନଙ୍କୁ ମୋହିନୀ ଦେଙ୍କ ସହ ଲିଙ୍କ୍ କରିବା ଆରମ୍ଭ କରିଦେଇଥିଲେ। ଏଭଳି ସ୍ଥଳେ ଯେଉଁମାନେ ମିଥ୍ୟା ପୋଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ ଆଇଗତ ନୋଟିସ୍ ଜାରି କରାଯାଇଥିବା ନେଇ ତାଙ୍କ ଟିମ୍ ସୂଚନା ଦେଇଛନ୍ତି।
ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କିଛି କଣ୍ଟେଣ୍ଟ କ୍ରିଏଟର୍ସ ଏବଂ ୟୁଟ୍ୟୁବର୍ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ନିଜର ମନମୁତାବକ କଳ୍ପିତ କାହାଣୀ ସହିତ ଅନେକ ନିନ୍ଦାଜନକ ଆର୍ଟିକିଲ ପୋଷ୍ଟ କରିବା ଆରମ୍ଭ କରିଦେଇଛନ୍ତି। ଆହୁରି ମଧ୍ଯ କେତେକ ବ୍ୟକ୍ତି ସେମାନଙ୍କର ଦାମ୍ପତ୍ୟ ଜୀବନର ବିଫଳତା ଉପରେ ନିଜର ମତ ରଖି ଇଣ୍ଟରଭିଉ ଦେଇଛନ୍ତି।
ଏପରିକି ରେହମାନଙ୍କୁ ବଦନାମ କରୁଥିବା ସମସ୍ତ ଆର୍ଟିକିଲ୍ ତଥା କଣ୍ଟେଣ୍ଟକୁ ୨୪ଘଣ୍ଟା ମଧ୍ୟରେ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।