ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ। ୱାନ ନେସନ, ୱାନ ଇଲେକସନ ଓ ୱାକଫ୍ ଭଳି ଗୁରୁତ୍ବପୂର୍ଣ୍ଣ ବିଲ ଆସିପାରେ। ପୂର୍ବରୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି । ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଆଧାରରେ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।
ଅନ୍ୟପଟେ ମଣିପୁର ହିଂସା ନେଇ ସରକାରଙ୍କୁ ଘେରିବେ ବିରୋଧୀ । ସରକାରଙ୍କୁ ଘେରିବାକୁ ଆହୁରି ଅନେକ ପ୍ରସଙ୍ଗ ରହିଛି । ଆଜି ରଣନୀତି ପ୍ରସ୍ତୁତ କରିବେ ବିରୋଧୀ । ଆଜି ସକାଳେ ବିରୋଧୀ ଇଣ୍ଡିଆ ମେଣ୍ଟର ଲୋକସଭା ଓ ରାଜ୍ୟସଭା ନେତାଙ୍କ ବୈଠକ ହେବ । ଗତକାଲି ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଗୃହକୁ ସୁରୁଖୁରୁରେ ଚଳାଇବାକୁ ସରକାର ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ।
ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଉପରେ ତୁରନ୍ତ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଥିବାରୁ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ତୁମ୍ବିତୋଫାନ ଲାଗିରହିବାର ଆଭାସ ମିଳୁଛି। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ୩୦ ଦଳରୁ ୪୨ ଜଣ ନେତା ଯୋଗଦେଇଥିଲେ।
ଆଦାନୀ ପ୍ରସଙ୍ଗ ଉପରେ ଆଲୋଚନାକୁ ପ୍ରାଧାନ୍ୟ ଦେବା ସହ ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଲୋକ ସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗେଇ ଦାବି କରିଥିଲେ। ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ଲୋକ ସଭା ବାଚସ୍ପତି ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ସହମତିକ୍ରମେ ଉଭୟ ଗୃହର ବିଜ୍ନେସ୍ ଆଡ୍ଭାଇଜରି କମିଟି ଏହା ଉପରେ ନିଷ୍ପତ୍ତି ନେବ। ଶୀତ ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଓ୍ବକ୍ଫ ସଂଶୋଧନ ବିଲ୍ ସମେତ ୧୬ଟି ବିଲ୍ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।