Latest Odisha News

BREAKING NEWS

ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ସିଦ୍ଧାନ୍ତ ଦାସ

ଭୁବନେଶ୍ବର: ଓଡ଼ିଶା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି (ଓରେରା) ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ଅବସରପ୍ରାପ୍ତ ଆଇଏଫଏସ୍ ସିଦ୍ଧାନ୍ତ ଦାସ । ଏହା ପରେ ସେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି (ସିଇସି)ର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି ।

ତେବେ ସିଦ୍ଧାନ୍ତ ଦାସ ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାୟ ଦ୍ୱାରା ଗଠିତ ସିଇସି ଅଧ୍ୟକ୍ଷ ଭାବେ ତାଙ୍କୁ ୨୦୨୩ ଡିସେମ୍ବରରେ ନିଯୁକ୍ତି ମିଳିଥିଲା । ଏହାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କୁ ଡିସେମ୍ବରରେ ସିଇସି ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିବା ନେଇ ସେ ତତକାଳୀନ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ, ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସଙ୍କୁ ରାଜ୍ୟ ସରକାର ୨୦୨୦ ଜୁଲାଇ ମାସରେ ଓରେରା ଅଧ୍ୟକ୍ଷ ନିଯୁକ୍ତି ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ରହିଥିଲା । ୨୦୨୩ ଡିସେମ୍ବରରେ ସିଦ୍ଧାନ୍ତ ଦାସଙ୍କୁ ସିଇସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ହେଲେ ମାର୍ଚ୍ଚ ୩ ତାରିଖ ୨୦୨୪ରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ପୂର୍ଣ୍ଣକାଳୀନ ସିଇସି ଅଧ୍ୟକ୍ଷ ରହିବା ପାଇଁ ନିର୍ଦ୍ଦେଶ ଦେବା ପରେ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଏବେ ସିଇସି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀ ଦାସ ।

Leave A Reply

Your email address will not be published.